ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି (ଏସ୍‌ପି)ର ମହାସଚିବ ଓ ଉତ୍ତର ପ୍ରଦେଶର ପ୍ରଭାବଶାଳୀ ନେତା ଆଜମ ଖାନ ଦୀର୍ଘ ୨୩ ମାସ ଜେଲରେ ରହିବା ପରେ ବହୁ ଜଲଦି ଖଲାସ ହେବାକୁ ଯାଉଛନ୍ତି। ଇଲାହାବାଦ ହାଇକୋର୍ଟ କ୍ୱାଲିଟି ବାର ସ୍ଥାନରେ ଅବୈଧ କବ୍ଜା ସମ୍ବନ୍ଧୀୟ ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଛି। ଆଜମଙ୍କ ଓକିଲ ଓ ତାଙ୍କ ନିକଟତମ ସହଯୋଗୀ ମହମ୍ମଦ ଖାଲିଦଙ୍କ ଅନୁଯାୟୀ, ପୂର୍ବରୁ ତାଙ୍କୁ ସମସ୍ତ ମାମଲାରେ ଜାମିନ ମିଳିଯାଇଛି ଏବଂ ଆସନ୍ତା ଦୁଇ-ତିନ ଦିନ ଭିତରେ ସେ ରାମପୁର ଜେଲରୁ ବାହାରିବେ ବୋଲି ଅନୁମାନ କରାଯାଉଛି।

ଆଜମ ଖାଁ ଉତ୍ତରପ୍ରଦେଶ ସଂଖ୍ୟାଲଘୁ ସମ୍ପ୍ରଦାୟ ଭୋଟବ୍ୟାଙ୍କର ସବୁଠୁ ବଡ ଚେହେରା ଭାବେ ପରିଗଣିତ ହୁଅନ୍ତି। ଖାଲି ରାମପୁର କି ଆଖପାଖ ଅଞ୍ଚଳ ନୁହେଁ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ତାଙ୍କ ସହଯୋଗି ଓ ସମର୍ଥକ ରହିଛନ୍ତି। ୨୦୨୨ ମସିହାରେ ସେ ପ୍ରଥମେ ଜେଲରୁ ବାହାରିଥିବା ବଳେ ନିଜେ ଅଖିଳେଶ ଯାଦବ ଟ୍ୱିଟ କରି ତାଙ୍କୁ ସ୍ୱାଗତ କରିଥିଲେ। ତେଣୁ ଆଜମ ଜେଲରୁ ବାହାରିବା ପରେ ସପାର ଭୋଟ ବ୍ୟାଙ୍କରେ ଏହାର ପ୍ରଭାବ ପଡିବ ବୋଲି ବିଶେଷଜ୍ଞମାନେ ମତ୍ତପ୍ରକାଶ କରୁଛନ୍ତି।

ତେବେ ବର୍ତ୍ତମାନ ଚିନ୍ତାର ବିଷୟ ହେଉଛି ଯେ, ଆଜମ ଖାନଙ୍କ ପାରମ୍ପରିକ ଆସନ ରାମପୁରରୁ ସପା ମୋହିବୁଲ୍ଲା ନକଭିଙ୍କୁ ଠିଆ କରିଛି। ନକଭିଙ୍କୁ ଏହି ଆସନ ଦେବା ପରେ ଅଖିଳେଶ ସିଧାସଳଖ ଆଜମଙ୍କ ସହ ଟକ୍କର ନେଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ସେତେବେଳେ ଆଜମ ଖାଁ ଜେଲରୁ ଏକ ପତ୍ର ଲେଖି ସମ୍ପୂର୍ଣ୍ଣ ଇଣ୍ଡିଆ ବ୍ଲକ ଉପରେ ବର୍ଷିଥିଲେ। ଏହାରି ମଧ୍ୟରେ ଅଖିଳେଶ ୨୦୨୪ରେ ଜେଲ ଯାଇ ଆଜମଙ୍କ ସହ ଭେଟିଥିଲେ। ତଥାପି ବି ଉଭୟଙ୍କ ଭିତରେ ପରିସ୍ଥିତି ସୁଧୁରି ନଥିଲା।

ଆଜମ ଜେଲରୁ ବାହାରୁ ଥିବା ଖବର ସାମ୍ନାକୁ ଆସିବା ପରେ ସୋଶିଆଲ ମିଡିଆରେ ଏନେଇ ଚର୍ଚ୍ଚା ଜୋର ଧରିଛି। ଜେଲରୁ ମୁକୁଳିବା ପରେ ଜଦି ଆଜମ ସପା ବିରୋଧରେ କିଛି ମତମନ୍ତବ୍ୟ ନ ଦିଅନ୍ତି ତେବେ ସପାର ଲାଭ ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଅଖିଳେଶ କି ସପାର କୌଣସି ବରିଷ୍ଠ ନେତା ଏନେଇ ମତବ୍ୟକ୍ତ କରିନାହାନ୍ତି। ଏହାରି ଭିତରେ ଆଜମଙ୍କ ଦ୍ୱାରା ସପା, ବିଜେପିକୁ ଘେରିବା ନେଇ ପ୍ରସ୍ତୁତି ଚଲାଇଛି ବୋଲି ଚର୍ଚ୍ଚା ଜୋର ଧରିଛି।

ସୂଚନା ମୁତାବକ, ୨୦୧୭ରୁ ୨୦୧୯ ମଧ୍ୟରେ ଯୋଗୀ ଆଦିତ୍ୟନାଥ ସରକାର ଗଠନ ପରେ ଆଜମ ଖାନ ଓ ସେମାନଙ୍କ ପରିବାର ବିରୋଧରେ ପ୍ରାୟ ୯୦ଟି ମାମଲା ଦାଖଲ ହୋଇଥିଲା। ୨୦୨୩ ମସିହା ଅକ୍ଟୋବର ୧୮ ତାରିଖରେ ରାମପୁରର ଏମପି-ଏମଏଲେ କୋର୍ଟ ଆଜମ ଖାନ, ତାଙ୍କ ପତ୍ନୀ ତଞ୍ଜୀନ ଫାତିମା ଏବଂ ପୁଅ ଅବ୍ଦୁଲ୍ଲା ଆଜମଙ୍କୁ ଏକ ମାମଲାରେ ୭ ବର୍ଷ କାରାଦଣ୍ଡ ଶୁଣାଇ ଥିଲା। ଯାହା ପରେ ସେମାନଙ୍କୁ ରାମପୁର ଜେଲକୁ ପଠାଇଦିଆଯାଇଥିଲା।

ଆଜମ ଖାନ ରାମପୁରରୁ ୧୦ ଥର ଏମଏଲେ ଓ ୨ ଥର ଏମପି ରହିଛନ୍ତି। ସେ ମୁସଲମାନ ଭୋଟରଙ୍କୁ ଆଧାର କରି ସପା ପାର୍ଟିର ଜଣେ ପ୍ରଭାବଶାଳୀ ନେତା ଥିଲେ।

ତେବେ ଆଜମଙ୍କ ମୁକୁଳିବା ସହ ପ୍ରଶ୍ନ ଉଠୁଛି ଯେ, ଏହା ସପା ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ଶକ୍ତି ବଢ଼ାଇବ ନା ପାର୍ଟିରେ ଆଭ୍ୟନ୍ତରୀଣ କନ୍ଦଳ ସୃଷ୍ଟି କରିବ। ଗୋଟିଏ ପାର୍ଶ୍ୱରୁ ବିଚାର କଲେ, ଆଜମଙ୍କ ଘର ଲେଉଟାଣି ପାର୍ଟିର ମୁସଲମାନ ଭୋଟବ୍ୟାଙ୍କରେ ସପାର ପ୍ରଭାବ ବଢ଼ାଇପାରେ, ଯାହା ଅଖିଲେଶଙ୍କ ନେତୃତ୍ୱକୁ ମଜବୁତ କରିବ।

ଅନ୍ୟ ପଟେ, ଆଜମଙ୍କ ପୁରୁଣା ବିବାଦାସ୍ପଦ ଚରିତ୍ର ଏବଂ ପାର୍ଟି ଭିତରେ ତାଙ୍କ ପ୍ରଭାବ କାରଣରୁ ଅଭ୍ୟନ୍ତରୀଣ ସଂଘର୍ଷ ହୋଇପାରେ। ଯାହା ଅଖିଳେଶଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। ତେବେ ଏହା ଦେଖିବା ବାକି ରହିଲା ଆଜମଙ୍କ  ନେତୃତ୍ତ୍ୱ କାହାକୁ ଭଲ ରାଜନୈତିକ ମାଇଲେଜ ପ୍ରଦାନ କରିବ।