ଭୁବନେଶ୍ୱର,୨୧/୦୯: ଦୁର୍ଗା ପୂଜା ପାଇଁ ମାର୍ଗଦର୍ଶିକା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) । ପରିବେଶ ସୁରକ୍ଷାକୁ ଦୃଷ୍ଟି ଦେଇଛି । ଏଥିପାଇଁ ପ୍ଲାଷ୍ଟିକ୍ ବ୍ୟବହାରକୁ ନିଷିଦ୍ଧ କରିଛି । ମୂର୍ତ୍ତିରେ ବ୍ୟବହୃତ ଫୁଲକୁ ବିଏମ୍ସିର ସ୍ୱତନ୍ତ୍ର ଗାଡ଼ିରେ ଦେବାକୁ କୁହାଯାଇଛି । ପୂଜା ମଣ୍ଡପର ୫ ମିଟର ଚର୍ତୁଃପାଶ୍ୱର୍କୁ ସଫେଇ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଣ୍ଡପର ନିରାପତ୍ତା ଓ ସୁରକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ସିକ୍ୟୁରିଟି କର୍ମୀ ମୁତୟନ କରିବାକୁ ନିର୍ଦ୍ଦେଶ ହୋଇଛି । କମିଶନରେଟ ପୁଲିସର ବିନା ଅନୁମତି କୌଣସି ବି ମଣ୍ଡପ ପକ୍ଷରୁ ଡାକବାଜି ଯନ୍ତ୍ର ବାଜି ପାରିବନି । ଏପରି ମାର୍ଗଦର୍ଶିକା ଜାରି କରିଛି ବିଏମ୍ସି ।
ପ୍ରସାଦ ସେବନ ପାଇଁ ଜୈବ ବିଘଟନ ଯୋଗ୍ୟ ଠୁଙ୍ଗା, ଖଲିର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । କଦଳୀପତ୍ର, ଶାଳପତ୍ର, କାଗଜ ପତ୍ର, କପ୍, ମାଟି ପାତ୍ର ଆଦି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । କୌଣସି ପ୍ରକାରର ଥର୍ମକୁଲ, ଏକକ ବ୍ୟବହାର ବା ନିଷିଦ୍ଧ ପାତ୍ରରେ ପ୍ରସାଦ ବଣ୍ଟନ ହୋଇପାରିବ ନାହିଁ ବୋଲି କଡ଼ା ଚେତାବନୀ ଦିଆଯାଇଛି । ମୂର୍ତ୍ତିରେ କୌଣସି ପ୍ରକାରର ପ୍ଲାଷ୍ଟିକ୍ ଆଭୁଷଣର ବ୍ୟବହାର ହୋଇପାରିବ ନାହିଁ । ପୂଜା ମଣ୍ଡପ ପାଖରେ ବଡ଼ ଡଷ୍ଟବିନ୍ ରଖାଯିବ । ସବୁଦିନ ସଂଗୃହୀତ ଅଳିଆକୁ ସଫେଇ ଗାଡ଼ିରେ ଦିଆଯିବ । ବିଏମ୍ସି ଦ୍ୱାରା ପ୍ରସ୍ତୁତ ଅସ୍ଥାୟୀ ପୁଷ୍ପରିଣୀରେ ମୂର୍ତ୍ତି ବିସର୍ଜନ କରାଯିବ ।