କଟକ,୧୭/୦୯: ବାଲିଯାତ୍ରା  ହେଉଛି ଲୋକଙ୍କ ମେଳା, କ୍ଷୁଦ୍ର ବ୍ୟବସାୟୀଙ୍କ ମେଳା । ଉପର ପଡ଼ିଆରେ ସାଧାରଣତଃ ପାରମ୍ପରିକ ସାମଗ୍ରୀ ବିକ୍ରି କରିବାକୁ ବସିଥାନ୍ତି ଛୋଟ ବ୍ୟବସାୟୀ । କୁଲା, ବାଉଁଶିଆଠାରୁ ଆରମ୍ଭ କରି ଶିଳ, ଚକି ଯାଏ ବିକି ସେମାନେ ଏଠି ଦି’ ପଇସା ରୋଜଗାର କରନ୍ତି । ଏମାନଙ୍କୁ ତଳ ପଡ଼ିଆକୁ ନେଲେ ବଡ ବ୍ୟବସାୟୀଙ୍କ ଭିଡ଼ରେ ହଜିଯିବେ । ଉପର ପଡ଼ିଆରେ ଉଠା ଓ ଛୋଟ ବ୍ୟବସାୟୀଙ୍କୁ ବସାଇଲେ ବାଲିଯାତ୍ରା ବି ହୁଅନ୍ତା, ପରମ୍ପରା ବି ବଞ୍ଚିଯାଆନ୍ତା, ଛୋଟ ବ୍ୟବସାୟୀ ଓ କ୍ଷୁଦ୍ର ଉଠା ବେପାରୀ ବି ଲାଭବାନ ହୁଅନ୍ତେ । ଏମିତିକା ପ୍ରତିକ୍ରିୟା ବଢ଼ିଛନ୍ତି ଐତିହ୍ୟପ୍ରେମୀ ତଥା  ଶିକ୍ଷାବିତ୍‌ ଡ. ଦୀପକ ସାମନ୍ତରାୟ ।  

ଏବର୍ଷ ବାଲିଯାତ୍ରାକୁ ତଳପଡ଼ିଆକୁ ନେଇ ଭବିଷ୍ୟତରେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି ।  ଯାହାଫଳରେ ଆଗାମୀ ଦିନରେ କଟକ  ସହର ଶ୍ରୀହୀନ ହେବା ସହ ବର୍ଷ ବର୍ଷର ପରମ୍ପରା ନଷ୍ଟ ହେବ । ବାଲିଯାତ୍ରାକୁ  କେବଳ ତଳ ପଡ଼ିଆରେ ଆୟୋଜନ କରାଗଲେ ଟ୍ରାଫିକ୍‌ ନିୟନ୍ତ୍ରଣ କିପରି କରାଯିବ ସେ ନେଇ ପ୍ରଶାସନ ଜବାବ ଦେବା ଦରକାର । ଯଦି ଷ୍ଟଲ୍‌ କରିବାକୁ ପ୍ରଶାସନ କୁଣ୍ଠାବୋଧ କରୁଛି, ତେବେ ଉଠା ବ୍ୟବସାୟୀଙ୍କୁ ଏଠି କାହିଁକି ଥଇଥାନ କରାଯିବ ନାହିଁ? ବୋଲି ପ୍ରଶ୍ନ କରିଛନ୍ତି ଯୁବ ସମାଜସେବୀ ତଥା  ବାଲିଯାତ୍ରା ସହ ଦୀର୍ଘ ବର୍ଷ ଧରି ଜଡ଼ିତ  ରହିଆସିଥିବା ଦେବାଶିଷ ରାଉତ ।  

କିଲ୍ଲା ପଡ଼ିଆ ବା ଉପର ପଡ଼ିଆର ଷ୍ଟଲ୍‌ ଅଂଶକୁ ବାଲିଯାତ୍ରାରୁ ବାଦ୍‌ ଦେବା ନିମନ୍ତେ କଟକ ଜିଲ୍ଲା ପ୍ରଶାସନ କରିଥିବା  ଯୋଜନା ଓ ନକ୍‌ସାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି  ସହରର ବୁଦ୍ଧିଜୀବୀ, ବିଭିନ୍ନ ବର୍ଗର ବ୍ୟକ୍ତି । କେବଳ ଡ. ସାମନ୍ତରାୟ ବା ଶ୍ରୀ ରାଉତ ନୁହନ୍ତି, ଆହୁରି ଅନେକ ବିଶିଷ୍ଟ ବ୍ୟକ୍ତି ଏ କଥା ଉଠାଇଲେଣି । ଐତିହ୍ୟ, ପରମ୍ପରା କଥା ଉଠିଲାଣି । ଏ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି ବି  ଜୋର୍‌ ଧରିଲାଣି । ଉପର ପଡ଼ିଆରେ ବାଲିଯାତ୍ରା ଷ୍ଟଲ୍‌ ନ  ହେଲେ ଯେଉଁ ସମସ୍ୟା ସୃଷ୍ଟି ହେବ ସେଥିମଧ୍ୟରେ ଉଠା ବ୍ୟବସାୟୀଙ୍କ ଅସୁବିଧା ଅଧିକ ବୋଲି ଆଶଙ୍କା ପ୍ରକାଶ ପାଉଛି ।

କାରଣ, ଉପର ପଡ଼ିଆରେ ୫ ଶହରୁ ଅଧିକ  ଉଠା ବ୍ୟବସାୟୀ, ଅନେକ କ୍ଷୁଦ୍ର ବ୍ୟବସାୟୀ ଥଇଥାନ  ହୁଅନ୍ତି, ବେପାର କରିଥାଆନ୍ତି । ସେହିପରି ତଳ ପଡ଼ିଆରେ ହଜାରେରୁ ଅଧିକ ଉଠା ବେପାରୀ ବିଭିନ୍ନ ଜୋନ୍‌ରେ ବସି  ବ୍ୟବସାୟ କରିଥାନ୍ତି । ଚଳିତ ବର୍ଷ ତଳ ପଡ଼ିଆର ଉଠା  ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ବାଉଳା ହେଉଥିବା ପ୍ରଶାସନ ଉପର ପଡ଼ିଆରୁ ସ୍ଥାନାନ୍ତର ହେବାକୁଥିବା ଉଠା  ବେପାରୀଙ୍କୁ କେମିତି କେଉଁଠି ବସାଇବ ତାକୁ ନେଇ  ପ୍ରଶ୍ନ ଉଠିଛି । ତେଣୁ ସମସ୍ତ ଉଠା ବ୍ୟବସାୟୀଙ୍କୁ ଉପର ପଡ଼ିଆରେ ଯଦି ଥଇଥାନ କରାଯାଆନ୍ତା ତେବେ ଅନେକ  ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ମତ ପ୍ରକାଶ  ପାଇଛି ।  

ବୁଲାବୁଲି କରିବା, ଖାଇବା ପିଇବା କାମ ସାରିଦେବା, ଫେରିଲା ବେଳକୁ ରାସ୍ତା କଡ଼ରୁ ଜିନିଷ  ବୋହି ନେଇଯିବା । ଝାଡୁ, କୁଲା, ବାଉଁଶିଆ, କପ୍‌ ପ୍ଲେଟ୍‌  ସେଟ୍‌ ଧରି ବାଲିଯାତ୍ରାରେ କ’ଣ ବୁଲିହେବ? - କଟକ  ବାଲିଯାତ୍ରାକୁ ଆସୁଥିବା ଲୋକଙ୍କର ଏ ଅଭ୍ୟାସ ଏଣିକି  ପରିବର୍ତ୍ତନ ହୋଇପାରେ । କାରଣ ଏଥର ବାଲିଯାତ୍ରାରେ  ଉଠା ବ୍ୟବସାୟୀଙ୍କୁ ଉପର ପଡ଼ିଆ ଓ ରିଂରୋଡ୍‌ ପାଶ୍ୱର୍ରେ  ଆଉ ଦେଖିବାକୁ ମିଳିବ ନାହିଁ । ସମସ୍ତଙ୍କୁ ତଳ ପଡ଼ିଆରେ  ଥଇଥାନ କରିବାକୁ ନକ୍ସା ପ୍ରସ୍ତୁତ କରୁଛି ପ୍ରଶାସନ ।

ଗତ କିଛି ବର୍ଷ ଧରି ବାଲିଯାତ୍ରାରେ ଉଠା ବ୍ୟବସାୟୀଙ୍କୁ ଥଇଥାନ କରିବା ପ୍ରଶାସନ ପାଇଁ ଚାଲେଞ୍ଜିଂ ରହିଆସିଛି । ଗତବର୍ଷ ତଳ ବାଲିଯାତ୍ରା ପଡ଼ିଆର ୨୦ ହଜାର ବର୍ଗଫୁଟ୍‌ ଅଞ୍ଚଳରେ ଉଠା ବ୍ୟବସାୟୀମାନଙ୍କୁ ବସିବାକୁ ଓ ସେମାନଙ୍କ ସାମଗ୍ରୀ  ବିକ୍ରି କରିବାକୁ ସୁଯୋଗ ଦିଆଯାଇଥିଲା । ଯୋବ୍ରା ଠାରୁ  ବିଡ଼ାନାସୀ ଚହଟା ଛକ ପର୍ଯ୍ୟନ୍ତ ବାଲିଯାତ୍ରା ସମୟରେ  କୌଣସି ଉଠା ବ୍ୟବସାୟୀ ବେପାର କରିପାରିବେ  ନାହିଁ ବୋଲି ନିୟମ କରିଥିଲା ପ୍ରଶାସନ । ସେହିପରି  ବାଲିଯାତ୍ରା ଉପର ଓ ତଳ ପଡ଼ିଆ ଆଖପାଖ ରାସ୍ତାରେ  ମଧ୍ୟ କୌଣସି ବ୍ୟବସାୟୀ ବସିବେ ନାହିଁ ବୋଲି ନିର୍ଦ୍ଦେଶ  ଜାରି କରାଯାଇଥିଲା । ପ୍ରଥମ ଦିନେ ଦୁଇଦିନ ଗ୍ରୀନ୍‌  କରିଡର୍‌ ପାଶ୍ୱର୍ରେ ଉଠା ବ୍ୟବସାୟୀ ନିଜ ନିଜ ଜାଗା  ପାଇ ବସିଥିଲେ । କିନ୍ତୁ ସେପଟକୁ କେହି ଦର୍ଶକ ନ  ଯିବାରୁ ବେପାର ହୋଇ ନଥିଲା । ଫଳରେ ପ୍ରଶାସନିକ  କଟକଣା ସତ୍ତେ୍ୱ ବାଧ୍ୟ ହୋଇ ବ୍ୟବସାୟୀମାନେ ଅନ୍ୟତ୍ର  ଚାଲିଲେ । ଯିଏ ଯେଉଁଠି ପାରିଲା ବସିଲା ।

ଏଥର ସ୍ଥିତି ଆହୁରି ସାଂଘାତିକ ହୋଇପାରେ ।  କାରଣ ଉପର ପଡ଼ିଆରେ ବାଲିଯାତ୍ରା ନ କରିବାକୁ ପ୍ରଶାସନର ନିଷ୍ପତ୍ତି ଯଦି କାର୍ଯ୍ୟକାରୀ ହୁଏ ତେବେ  ଉଠା ବ୍ୟବସାୟୀମାନେ ତଳ ପଡ଼ିଆ ଉପରେ ସମ୍ପୂର୍ଣ୍ଣ  ନିର୍ଭରଶୀଳ ହେବେ । ତେବେ ପ୍ରାୟ ଦୁଇ ହଜାରରୁ  ଅଧିକ ଉଠା ବ୍ୟବସାୟୀଙ୍କୁ ପ୍ରଶାସନ କେଉଁଠି ଥଇଥାନ  କରିବ ତାହା ବି ପ୍ରଶ୍ନବାଚୀ । ପୂର୍ବ ବର୍ଷ ଭଳି ଯଦି ଏମିତି  କିଛି ଜାଗା ଦିଆଯାଏ, ଯେଉଁଠି ବେପାର ହେବ ନାହିଁ  ସେ କ୍ଷେତ୍ରରେ ଉଠା ବ୍ୟବସାୟୀ ମାନେ ବାଧ୍ୟ ହୋଇ  ଜାଗା ପରିବର୍ତ୍ତନ କରିବେ । ଏତେ ସଂଖ୍ୟାରେ ଉଠା  ବ୍ୟବସାୟୀଙ୍କୁ ପ୍ରଶାସନ କେମିତି ନିୟନ୍ତ୍ରଣ କରିବ ତାକୁ  ନେଇ ଆଶଙ୍କା ପ୍ରକାଶ ପାଇଛି । ଏଭଳି ସ୍ଥିତିରେ ଉପର ପଡ଼ିଆରେ ଉଠା ବ୍ୟବସାୟୀଙ୍କୁ ଥଇଥାନ କରାଯାଇ  ପାରିଲେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା ।  ଉଠା ବ୍ୟବସାୟୀଙ୍କ ଲାଗି ଷ୍ଟଲ୍‌ କରିବାକୁ ପଡୁ ନଥିବାରୁ  ପ୍ରଶାସନର ଚିନ୍ତା ନାହିଁ । କେବଳ ବ୍ୟବସ୍ଥିତ ଢଙ୍ଗରେ  ବସାଇ ବେପାର କରିବାକୁ ସୁଯୋଗ ଦେଲେ ସେମାନେ  ଉପକୃତ ହୋଇପାରନ୍ତେ । ଅନ୍ୟପକ୍ଷରେ ତଳପଡ଼ିଆ  ବୁଲି ଲୋକେ ଘରକୁ ଫେରିବା ବେଳେ ଆବଶ୍ୟକତା  ମୁତାବକ ଘରକରଣା ସାମଗ୍ରୀ ଯାହା ଉଠା ବ୍ୟବସାୟୀଙ୍କ  ପାଖରେ ରହିଥାଏ କିଣି ନେଇପାରିବେ । ଏ ଦିଗରେ  ପ୍ରଶାସନକୁ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି  ବାଲିଯାତ୍ରାପ୍ରେମୀ ଅନେକ ବିଶିଷ୍ଟ ବ୍ୟକ୍ତି ମତ ଦେଉଛନ୍ତି ।