ପୂର୍ଣ୍ଣିଆ: ଶୁକ୍ରବାର ବିହାରର ପୂର୍ଣ୍ଣିଆ ଜିଲ୍ଲାରେ ଏକ ଭୟାବହ ରେଳ ଦୁର୍ଘଟଣା ଘଟିଛି। ଯେଉଁଠି ଏକ ବନ୍ଦେଭାରତ ଟ୍ରେନ ଲୋକଙ୍କ ଉପରେ ମାଡିଯିବା କାରଣରୁ ତିନି ଜଣ ଯୁବକଙ୍କ ମୃତ୍ୟୁ ହେବା ସହ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।
ସୂଚନା ମୁତାବକ, ଶୁକ୍ରବାର ସକାଳ ୫ଟା ସମୟରେ ଜୋଗବଣିରୁ ପାଟଳିପୁତ୍ର ଅଭିମୁଖେ ଯାତ୍ରା କରୁଥିବା ବନ୍ଦେଭାରତ ଏକ୍ସପ୍ରେସ ଉକ୍ତ ଅଞ୍ଚଳ ଦେଇ ଯାତ୍ରା କରୁଥିଲା। ଏହି ସମୟରେ ମୃତ ତିନି ଯୁବକଙ୍କ ସହ କେତେ ଜଣ ଲୋକ ରେଳଧାରଣା ପାର କରୁଥିଲେ। ଅନ୍ଧାର ସମୟ ଓ ଅସାବଧାନତା କାରଣରୁ ଦ୍ରୁତ ବେଗରେ ଯାତ୍ରା କରୁଥିବା ଏହି ଟ୍ରେନ ଲୋକମାନଙ୍କ ଉପରେ ମାଡିଯାଇଥିଲା।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ଲୋକ ଓ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ହୋଇଥିବା ସମସ୍ତ ଲୋକଙ୍କୁ ପୂର୍ଣ୍ଣିଆସ୍ଥିତ ସରକାରୀ ମେଡିକାଲ କଲେଜରେ ଭର୍ତ୍ତୀ କରାଯାଇଥିଲା। ମୃତ ତିନି ଯୁବକଙ୍କ ବୟସ ୧୮ରୁ ୨୫ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ରେଲୱେ ପୋଲିସ ମୃତ ଦେହଗୁଡିକୁ ଜବତ କରିବା ସହ ଏହି ଦୁର୍ଘଟଣା ପଛର କାରଣ ଖୋଜିବା ଆରମ୍ଭ କରିଛି।
ଏହି ଦୁର୍ଘଟଣା ପଛର ପ୍ରକୃତ କାରଣ ଏଯାଏ ଜଣାପଡିନଥିବା ବେଳେ ଲେଭଲ କ୍ରସିଂ କର୍ମଚାରୀଙ୍କ ଦାୟିତ୍ତ୍ୱହିନତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। କାରଣ ରେଳ ଲାଇନରେ ଏକ ଦ୍ରୁତଗାମୀ ରେଳ ଯାତ୍ରା କରୁଥିବା ବେଳେ ଏତେ ସଂଖ୍ୟକ ଲୋକ ଏକାସହ ରେଲଲାଇନ ପାର ହେବା ସନ୍ଦେହ ସୃଷ୍ଟି କରୁଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।