ଭୁବନେଶ୍ୱର,୦୩/୧୧: ଭୁବନେଶ୍ୱର ମହାନଗର ନିଗମର ପରିସୀମା ବଢ଼ିବ । ସାମିଲ ହେବେ ଉପକଣ୍ଠ ଅଞ୍ଚଳର ୭୧ ଗ୍ରାମ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ୩ ବ୍ଲକର ବିଡିଓ ପ୍ରାଥମିକ ଭାବେ ଗ୍ରାମସଭା ରିପୋର୍ଟ ଦାଖଲ କରିଛନ୍ତି । ସରକାରଙ୍କ ସବୁଜ ସଙ୍କେତ ପରେ ପଞ୍ଚାୟତ ବିଏମ୍ସିରେ ମିଶିବା ପ୍ରକ୍ରିୟା ଆରମ୍ଭ ହେବ ।
ବିଏମ୍ସି ଅଧିନକୁ ୧୪ଟି ପଞ୍ଚାୟତ ଆସିବ । ସେଥିରେ ଭୁବନେଶ୍ୱର ବ୍ଲକ ଅଧିନରେ ଥିବା ୧୨ଟି ପଞ୍ଚାୟତା ରହିଛି । ଏହା ମଧ୍ୟରେ ତମାଣ୍ଡୋ, ଧଉଳି, ଲିଙ୍ଗିପୁର, ଇଟିପୁର, ରଘୁନାଥପୁର, ଦାରୁଠେଙ୍ଗ, ଅନ୍ଧାରୁଆ, ଦାସପୁର, ଗୋଠପାଟଣା ଭଳି ପଞ୍ଚାୟତ ରହିଛି । ବାଲିଅନ୍ତା ବ୍ଲକର ଅଣ୍ଡିଲୋ ଏବଂ ଜଟଣୀର ଗୋଟିଏ ପଞ୍ଚାୟତ ବିଏମ୍ସି ଅଧିନକୁ ଆସିବ ।
ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ଖୋର୍ଦ୍ଧା ଜିଲ୍ଲପାଳଙ୍କୁ ଅବଗତ କରାଯାଇଥିଲା । ଏହା ପରେ ବ୍ଲକରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗ୍ରାମସଭାର ରିଜୋଲ୍ୟୁସନକୁ ସରକାରଙ୍କ ପାଖକୁ ପଠାଯାଇଛି । ବିଏମ୍ସିରେ ବର୍ତ୍ତମାନ ୬୭ ୱାର୍ଡ ରହିଛି । ୩ଟି ଜୋନ୍ ତଥା ଦକ୍ଷିଣ-ପୂର୍ବ, ଦକ୍ଷିଣ-ପଶ୍ଚିଓ ଓ ଉତ୍ତର ଜୋନ୍ରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକେ ରହୁଛନ୍ତି । ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବାକୁ ବିଏମ୍ସି ପକ୍ଷରୁ ଆଉ ୩ ଅତିରିକ୍ତ ଜୋନ୍ ଅଫିସ ଖୋଲିବ ।
ଦକ୍ଷିଣ-ପୂର୍ବ ଜୋନ୍ରେ ୨୫ ୱାର୍ଡ ରହିଛି । ଏଥିରେ ୧୨ଟି ଏକାମ୍ର ଏବଂ ୧୩ଟି ମଧ୍ୟ ନିର୍ବାଚନ ମଣ୍ଡଳୀର ୱାର୍ଡ ରହିଛି । ଏହି ଦୁଇ ନିର୍ବାଚନ ମଣ୍ଡଳୀ ୱାର୍ଡକୁ ଅଲଗା କରାଯିବ । ଜଟଣୀର ବ୍ଲକର ନୂଆ ୱାର୍ଡ ସାମିଲ ହେବ । ଉତ୍ତର ଜୋନ୍କୁ ଦୁଇ ଭାଗ କରିବ ଜୟଦେବ ବିହାର ନନ୍ଦନକାନନ ରାସ୍ତା । ବିଏମ୍ସି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଏ ବିଭାଗକୁ ଜୋନ୍ ଅଫିସ ପାଇଁ ଜାଗା ଦେବାକୁ ଚିଠି ଲେଖାହୋଇଛି । ବିଏମ୍ସି ଅଧିନକୁ ଏହି ସବୁ ଗ୍ରାମ ଆସିବା ପରେ ଜୋନ୍ର ନାମ କରଣ କରାଯିବ ।
ଗୋଟିଏ ଗୋଟିଏ ଅଫିସ ଉପରେ ୨୪ରୁ ଅଧିକ ୱାର୍ଡ ରହୁଥିବାରୁ ଚାପ ପଡୁଥିଲା । ତେଣୁ ଏହାକୁ ଅଲଗା କରିବାକୁ ବିଏମ୍ସି ନିଷ୍ପତ୍ତି ନେଇଛି । ଏହା ସହ ଆବଶ୍ୟକୀୟ କର୍ମଚାରୀ ସଂଖ୍ୟା ମଧ୍ୟ ବଢିବ । ଜଣେ ଜଣେ ଅତିରିକ୍ତ ଜୋନାଲ କମିଶନରଙ୍କୁ ନିଯୁକ୍ତି ଦିଆଯିବ । ବିଏମ୍ସି ଆବଶ୍ୟକୀୟ କର୍ମଚାରୀ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ପୂର୍ବ ସରକାରରେ ବିଏମ୍ସିରେ ଆଉ ୪୫୭ କର୍ମଚାରୀଙ୍କୁ ନିଯୁକ୍ତି କରିବାକୁ ନିଷ୍ପତ୍ତି କରାଯାଇଥିଲା । ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ । ଏହି ନୂଆ ପଞ୍ଚାୟତର ୭୧ଟି ଗ୍ରାମ ମିଶିବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଖାଲି ପଡିଥିବା ପଦବି ଏବଂ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି କରାଯିବ।