ନୂଆଦିଲ୍ଲୀ ୧୧/୧୦: ବିହାର  ବିଧାନସଭା ନିର୍ବାଚନ ଲାଗି ମହାମେଣ୍ଟରେ ଆସନ ବୁଝାମଣା ପ୍ରକ୍ରିୟା ଜାରି ରହିଛି ।  ମହାମେଣ୍ଟର ପ୍ରମୁଖ ଦଳ କଂଗ୍ରେସ ଏହାର  ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିଥିବା  ସୂଚନା ମିଳିଛି । ଏହି ତାଲିକାରେ ୩୬ ଜଣଙ୍କ  ନାଁ ସ୍ଥାନ ପାଇଛି । କିନ୍ତୁ ଦଳ ପକ୍ଷରୁ ବିଧିବଦ୍ଧ  ଭାବେ ଘୋଷଣା କରାଯାଇନାହିଁ ।

ସୂଚନା ଅନୁସାରେ କଂଗ୍ରେସର ସ୍କ୍ରିନିଂ  କମିଟି ବୈଠକ ଆଜି ଅନ୍‌ଲାଇନରେ ଅନୁଷ୍ଠିତ  ହୋଇଥିଲା । ନୂଆଦିଲ୍ଲୀରେ ବସିଥିବା ଏହି  ବୈଠକରେ ପାଟନାରୁ ଦଳର ରାଜ୍ୟ ପ୍ରଭାରୀ  କ୍ରିଷ୍ଣା ଆଲାୱରୁ, ରାଜ୍ୟ ସଭାପତି ରାଜେଶ  ରାମ, ବିଧାୟକ ଦଳ ନେତା ସକିଲ ଅହମ୍ମଦ  ଖାନ ଓ ଅନ୍ୟାନ୍ୟ ନେତାମାନେ ସାମିଲ  ହୋଇଥିଲେ । ବୈଠକ ପୂର୍ବାହ୍ନ ୧୧ଟାରୁ  ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ଚାଲିଥିଲା ।  ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଆସିଥିବା ଆଶାୟୀ  ପ୍ରାର୍ଥୀଙ୍କ ଆବେଦନ ଫର୍ମକୁ ଭଲ ଭାବେ  ଯାଞ୍ଚ କରାଯାଇଥିଲା । ସେଥିରୁ କିଛି ପ୍ରାର୍ଥୀଙ୍କ  ନାମରେ ମୋହର ଲାଗିଛି । କୁହାଯାଉଛି କି  ପ୍ରଥମ ପର୍ଯ୍ୟାୟରେ ଦଳର ୩୬ ଜଣ ପ୍ରାର୍ଥୀଙ୍କ  ନାମକୁ ଅନୁମୋଦନ କରାଯାଇଛି । ଖୁବଶୀଘ୍ର  ସେମାନଙ୍କ ନାମ ଘୋଷଣା କରାଯିବା ସହ  ଦଳୀୟ ଚିହ୍ନ ପ୍ରଦାନ କରାଯିବ ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା  ଅନୁସାରେ ମହାମେଣ୍ଟରେ ଦିନେ ଦୁଇଦିନ  ଭିତରେ ଆସନ ବୁଝାମଣା ଚୂଡାନ୍ତ ହେବ ।  ଆସନ ଚୂଡାନ୍ତ ହେବା ପରେ କଂଗ୍ରେସ ତାର  ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବିଧିବଦ୍ଧ  ଭାବେ ଘୋଷଣା କରିବ । ଆସନ୍ତା ୧୫  ତାରିଖ ପରେ କଂଗ୍ରେସ ପକ୍ଷରୁ ଦ୍ୱିତୀୟ  ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯିବ ବୋଲି  ସୂଚନା ମିଳିଛି । ବିହାର ବିଧାନସଭା ନିର୍ବାଚନ  ଲାଗି ଦୁଇଟି ପର୍ଯ୍ୟାୟରେ ନଭେମ୍ବର ୬ ଓ  ୧୧ରେ ଭୋଟ ଗ୍ରହଣ କରାଯିବ । ନଭେମ୍ବର  ୧୪ରେ ଭୋଟ ଗଣତି ହେବା ସହ ଫଳାଫଳ  ପ୍ରକାଶ ପାଇବ । ରାଜ୍ୟର ମୋଟ ୨୪୩  ବିଧାନସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ  ୧୨୧ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୨୨ ଆସନରେ  ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ନାମାଙ୍କନ  ଦାଖଲର ଶେଷ ତାରିଖ ଅକ୍ଟୋବର ୧୭  ରହିଛି । ଅକ୍ଟୋବର ୧୮ରେ ନାମାଙ୍କନପତ୍ର  ଯାଞ୍ଚ ଏବଂ ୨୦ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର  କରାଯାଇପାରିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ  ଲାଗି ନାମାଙ୍କନ ଦାଖଲର ଶେଷ ତାରିଖ  ଅକ୍ଟୋବର ୨୦ ରହିଥିଲା ବେଳେ ୨୧ରେ  ଯାଞ୍ଚ କରାଯିବ । ନାମାଙ୍କପତ୍ର ପ୍ରତ୍ୟାହାରର  ଶେଷ ତାରିଖ ଅକ୍ଟୋବର ୨୩ ରଖାଯାଇଛି ।  ବିହାର ବିଧାନସଭାର କାର୍ଯ୍ୟକାଳ ଆସନ୍ତା  ନଭେମ୍ବର ୨୨ରେ ଶେଷ ହେବ ।