ପାଟନା,୨୨/୧୦ : ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ନିମନ୍ତେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ସୋମବାର ଶେଷ ହୋଇଯାଇଛି । ଏଥର ନିର୍ବାଚନରେ ଏକ ବଡ଼ ଘଟଣା ଦେଖିବାକୁ ମିଳିଛି । କ୍ଷମତାସୀନ ଏନ୍ଡିଏ ଏବଂ ବିରୋଧୀ ‘ଇଣ୍ଡିଆ’ ପକ୍ଷରୁ କାହାକୁ ମୁଖ୍ୟମନ୍ତ୍ରୀ ଚେହେରା କରାଯାଇ ନାହିଁ । ପ୍ରଥମ ଥର ପାଇଁ ଉଭୟ ପ୍ରମୁଖ ମେଣ୍ଟ ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ନିର୍ବାଚନ ଲଢ଼ୁଛନ୍ତି । ରାଜ୍ୟରେ ବର୍ତ୍ତମାନ ଏନ୍ଡିଏ କ୍ଷମତାସୀନ । ଜେଡିୟୁ ନେତା ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଅଛନ୍ତି । ଏଥର ନିର୍ବାଚନ ଫଳାଫଳ ପରେ ହିଁ ମୁଖ୍ୟମନ୍ତ୍ରୀ ଚୟନ ହେବା ନେଇ ଏନ୍ଡିଏ କହିଛି । ସେପଟେ ବିରୋଧୀଙ୍କ ମହାମେଣ୍ଟ (ଇଣ୍ଡିଆ)ରେ ଏହାକୁ ନେଇ କେଁ ରହିଛି । ଆର୍ଜେଡି ନେତା ତେଜସ୍ୱୀ ଯାଦବ ନିଜକୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରିବାକୁ ଚାହୁଁଥିଲେ । କିନ୍ତୁ କଂଗ୍ରେସ ଆଗ୍ରହ ଦେଖାଇ ନ ଥିଲା । ଏମିତି କି ତେଜସ୍ୱୀଙ୍କ ପ୍ରାର୍ଥିପତ୍ର ଦାଖଲ ବେଳେ ‘ଇଣ୍ଡିଆ’ର କୌଣସି ନେତା ସାମିଲ ହୋଇ ନ ଥିଲେ ।
ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମୋଟ ୧,୩୧୪ ପ୍ରାର୍ଥୀ ଲଢ଼ୁଛନ୍ତି । ୩୦୦ରୁ ଅଧିକ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ଖାରଜ ହୋଇଯାଇଛି । ୬୧ ଜଣ ନାମ ପ୍ରତ୍ୟାହାର କରିନେଇଛନ୍ତି । ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାର ୧୨୧ ଆସନରେ ନଭେମ୍ବର ୬ରେ ମତଦାନ ହେବ । ଦ୍ୱିତୀୟ ପର୍ଯ୍ୟାୟର ୧୨୨ ଆସନ ଲାଗି ନଭେମ୍ବର ୧୧ରେ ଭୋଟ ପଡ଼ିବ । ଦ୍ୱିତୀୟ ପର୍ଯ୍ୟାୟର ପ୍ରାର୍ଥୀଙ୍କ ସ୍ଥିତି ଆସନ୍ତା ୨୩ ତାରିଖ ସୁଦ୍ଧା ଜଣାପଡ଼ିବ । ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ପର୍ଯ୍ୟନ୍ତ ମହାମେଣ୍ଟରେ ବିବାଦ ଦେଖିବାକୁ ମିଳିଛି । ଟିକଟ ଭାଗବଣ୍ଟାକୁ ନେଇ ସହମତି ହୋଇପାରି ନାହିଁ । ଅନ୍ତଃକନ୍ଦଳ ଥିବା ସ୍ପଷ୍ଟ ବୁଝାପଡ଼ୁଛି । କାରଣ ଏଥର ୨୪୩ ଆସନ ପାଇଁ ମହାମେଣ୍ଟର ୨୫୪ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ଆର୍ଜେଡି ପ୍ରଥମେ ୧୪୩ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଥିଲା । ଏହାପରେ କଂଗ୍ରେସ ୬୧, ସିପିଆଇ (ଏମ୍) ୨୦, ସିପିଆଇ ୯, ସିପିଏମ୍ ୬ ଓ ମୁକେଶ ସହନୀଙ୍କ ଦଳ ‘ଭିଆଇପି’ ୧୫ ପ୍ରାର୍ଥୀ ଦେଇଥିଲା । ଏହିଭଳି ଭାବେ ଏମାନଙ୍କ ସଂଖ୍ୟା ୨୫୪ରେ ପହଞ୍ଚିଛି । ୧୨ ଜଣ ପ୍ରାର୍ଥୀ ପରସ୍ପର ବିରୋଧରେ ଲଢ଼ୁଛନ୍ତି । ବିହାର ନିର୍ବାଚନରେ ପ୍ରଥମ ଥର ପାଇଁ ଏନ୍ଡିଏ ଏବଂ ମହାମେଣ୍ଟ ଟିକଟ ଭାଗବଣ୍ଟାକୁ ନେଇ କୌଣସି ମିଳିତ ସାମ୍ବାଦିକ ସମ୍ମିଳନୀ କରିନାହାନ୍ତି । ସମସ୍ତ ଦଳ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ପର୍ଯ୍ୟନ୍ତ ତାଲିକା ଜାରି କରିଚାଲିଥିଲେ ।
ଆର୍ଜେଡି ଏଥର ସର୍ବାଧିକ ଆସନରେ ନିର୍ବାଚନ ଲଢ଼ୁଛି । କଂଗ୍ରେସକୁ ଗଲା ଥର ୬୬ ଆସନ ମିଳିଥିଲା । କିନ୍ତୁ ଦଳ ୧୯ରେ ଜିତିଥିଲା । ତେଣୁ ଏଥର ଏହାର ଆସନ ସଂଖ୍ୟା ୬୧କୁ ହ୍ରାସ ପାଇଛି । ସିପିଆଇ (ଏମ୍ଏଲ୍) ଗତ ଥର ଚମତ୍କାର ପ୍ରଦର୍ଶନ କରି ୧୯ରୁ ୧୨ଟିରେ ଜିତିଥିଲା । ତେଣୁ ଏଥର ଏହାକୁ ୨୦ ଆସନ ଦିଆଯାଇଛି । ଗତ ନିର୍ବାଚନରେ ଏନ୍ଡିଏ ସହ ଥିବା ଭିଆଇପି (ବିକାଶଶୀଳ ଇନ୍ସାନ ପାର୍ଟି) ଏଥର ୧୫ ଆସନରେ ପ୍ରାର୍ଥୀ ଦେଇଛି । ତନ୍ମଧ୍ୟରୁ ଦୁଇଟି ଆସନ ଯଥା ବାବୁ ବରହୀ ଓ ଚୈନପୁରରେ ଆର୍ଜେଡି ବି ପ୍ରାର୍ଥୀ ଦେଇଛି । ତେଣୁ ଏହାକୁ ନେଇ ମହାମେଣ୍ଟରେ ବିବାଦ ଉପୁଜିଛି । ୬ଟି ଆସନରେ କଂଗ୍ରେସ ଓ ଆର୍ଜେଡି ପ୍ରାର୍ଥୀ ମୁହାଁମୁହିଁ ହେଉଛନ୍ତି । ତନ୍ମଧ୍ୟରୁ ସିକନ୍ଦରା ଆସନରେ ଆର୍ଜେଡି ଉଦୟ ନାରାୟଣ ଚୌଧୁରୀଙ୍କୁ ଟିକଟ ଦେଇଥିବା ବେଳେ କଂଗ୍ରେସ ବିନୋଦ ଚୌଧୁରୀଙ୍କୁ ପ୍ରାର୍ଥୀ କରିଛି । ସେହିଭଳି କହଲଗାଓଁରେ ଆର୍ଜେଡିର ରଜନୀଶ ଭାରତୀଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ପ୍ରବୀଣ କୁମାର କୁଶୱାହ । ସୁଲ୍ତାନଗଞ୍ଜ, ବୈଶାଳୀ, ଲାଲଗଞ୍ଜ ଓ ୱାରିସଲୀଗଞ୍ଜ ଆସନରେ ମଧ୍ୟ ଉଭୟ ଦଳର ପ୍ରାର୍ଥୀ ପରସ୍ପର ବିରୋଧରେ ଲଢ଼ୁଛନ୍ତି । ୪ଟି ଆସନ ଯଥା ବଛୱାଡ଼ା, କରଗହର, ବିହାର ଶରିଫ ଏବଂ ରାଜାପାକରରେ ଉଭୟ ସିପିଆଇ ଓ କଂଗ୍ରେସ ନିଜ ପ୍ରାର୍ଥୀ ଦେଇଛନ୍ତି ।
ରାଜ୍ୟ ବିଧାନସଭା ନିର୍ବାଚନରେ ଏଥର ୭୪ ଦଳ ସାମିଲ ହୋଇଛନ୍ତି । ଏଗୁଡ଼ିକରେ ପ୍ରମୁଖ ଜାତୀୟ ଓ ଆଞ୍ଚଳିକ ଦଳ ରହିଛନ୍ତି । ଏନ୍ଡିଏରେ ବିଜେପି, ଜେଡିୟୁ, ଏଲ୍ଜେପି (ଆର୍), ହାମ୍ ଏବଂ ଆର୍ଏଲ୍ଏମ୍ ଅନ୍ତର୍ଭୁକ୍ତ । ସେହିଭଳି ‘ଇଣ୍ଡିଆ’ ବା ମହାମେଣ୍ଟରେ ଆର୍ଜେଡି, କଂଗ୍ରେସ, ସିପିଆଇ, ସିପିଆଇ (ଏମ୍), ଆଇଆଇପି, ଭିଆଇପି ଭଳି ଦଳ ରହିଛନ୍ତି । ଏହାବ୍ୟତୀତ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ଏବଂ ଆମ୍ ଆଦ୍ମି ପାର୍ଟି ସମସ୍ତ ୨୪୩ ଆସନରେ ନିର୍ବାଚନ ଲଢ଼ୁଛନ୍ତି । ଅନ୍ୟପକ୍ଷରେ ମହାମେଣ୍ଟକୁ ଝଟ୍କା ଦେଇ ୬ଟି ଆସନରେ ଏକାକୀ ଲଢ଼ିବାକୁ ପୂର୍ବରୁ ନିଷ୍ପତ୍ତି ନେଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜେଏମ୍ଏମ୍ ନିର୍ବାଚନରୁ ଓହରି ଯାଇଛି । ଏହା ନିର୍ବାଚନରେ କୌଣସି ପ୍ରାର୍ଥୀ ଦେବନାହିଁ ବୋଲି କହିଛି ।