ନୂଆଦିଲ୍ଲୀ,୧୮/୦୯: ଗତକାଲି ଅର୍ଥାତ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ପାଳନ ହୋଇଯାଇଛି । ଆଉ ଏହି ବିଶେଷ ଅବସରରେ ସିଲଭର କାଷ୍ଟ କ୍ରିଏସନ୍ସ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଏକ ବାୟୋପିକ୍ ଘୋଷଣା କରିଛନ୍ତି । ଫିଲ୍ମର ନାମ 'ମା ବନ୍ଦେ' ପ୍ରକାଶ କରିବା ସହିତ  ନିର୍ମାତା ଫିଲ୍ମର ଶୀର୍ଷକ ମଧ୍ୟ ପ୍ରକାଶ କରିଛନ୍ତି ।  ଏଥିସହ କେଉଁ ତାରକା ଏଥିରେ ନଜର ଆସିବେ ତାହା ମଧ୍ୟ ପ୍ରକାଶ କରିଛନ୍ତି ।

ଏନେଇ ଉନ୍ନି ମୁକୁନ୍ଦନ ଇନଷ୍ଟାଗ୍ରାମରେ ଫିଲ୍ମ ବିଷୟରେ ଏକ ପୋଷ୍ଟ ସହିତ ଏକ ଲମ୍ବା ନୋଟ୍ ସେୟାର କରିଛନ୍ତି । ସେ ଲେଖିଛନ୍ତି, "ମୁଁ ଘୋଷଣା କରି ଅତ୍ୟନ୍ତ ଖୁସି ଯେ ମୁଁ ଆଗାମୀ ଚଳଚ୍ଚିତ୍ର "ମା ବନ୍ଦେ"ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କ ଭୂମିକାରେ ଅଭିନୟ କରିବି, ଯାହା କ୍ରାନ୍ତି କୁମାରଙ୍କ ନିର୍ଦ୍ଦେଶିତ । ଅହମଦାବାଦରେ ବଢ଼ିବା ପରେ, ମୁଁ ପ୍ରଥମେ ତାଙ୍କୁ ପିଲାବେଳେ ଆମର ମୁଖ୍ୟମନ୍ତ୍ରୀ ଭାବରେ ଜାଣିଥିଲି । ବର୍ଷ ବର୍ଷ ପରେ, ଏପ୍ରିଲ ୨୦୨୩ ରେ, ମୁଁ ତାଙ୍କୁ ବ୍ୟକ୍ତିଗତ ଭାବରେ ଭେଟିବାର ସୌଭାଗ୍ୟ ପାଇଲି, ଏକ ମୁହୂର୍ତ୍ତ ଯାହା ମୋ ଉପରେ ଏକ ସ୍ଥାୟୀ ଛାପ ଛାଡିଥିଲା ।"

ଏହି ଫିଲ୍ମରେ ମାଲାୟଲମ ଅଭିନେତା ଉନ୍ନି ମୁକୁନ୍ଦନ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରଟି ବୀର ରେଡ୍ଡୀ ଏମ୍. ଦ୍ୱାରା ପ୍ରଯୋଜିତ ହେବ । ଏହା ବ୍ୟତୀତ ଏହି ବାୟୋପିକରେ ତାଙ୍କ ମାଆ ହୀରାବେନ୍ ମୋଦିଙ୍କ ସହିତ ତାଙ୍କର ଗଭୀର ସମ୍ପର୍କକୁ ମଧ୍ୟ ଦେଖିବାକୁ ମିଳିବ । 'ମା ବନ୍ଦେ' ବିଷୟରେ କହିବାକୁ ଗଲେ, ନିର୍ଦ୍ଦେଶକ କ୍ରାନ୍ତି କୁମାର ସିଏଚ୍ 'ମା ବନ୍ଦେ' ନିର୍ଦ୍ଦେଶନା ଦେଉଛନ୍ତି । ବୀର ରେଡ୍ଡୀ ଏମ୍ ଫିଲ୍ମଟି ନିର୍ମାଣ କରୁଛନ୍ତି । 'ବାହୁବଳୀ' ଏବଂ 'ଇଗା'ର ପ୍ରସିଦ୍ଧ ସିନେମାଟୋଗ୍ରାଫର କେକେ ସେନ୍ଥିଲ କୁମାର କ୍ୟାମେରା ପରିଚାଳନା କରୁଥିବା ବେଳେ ଜାତୀୟ ପୁରସ୍କାର ବିଜେତା ଶ୍ରୀକର ପ୍ରସାଦ ସମ୍ପାଦନା ପରିଚାଳନା କରିବେ ।