ତିରୁୱନନ୍ତପୁରମ୍,୧୮/୯ : କେରଳରେ ମୁଣ୍ଡ ନେଉଛି ମସ୍ତିଷ୍କଖିଆ ଆମିବା। ରାଜ୍ୟରେ ଏବେ ପ୍ରାଇମେରୀ ଆମିବିକ୍ ମେନିଙ୍ଗୋଏନ୍ସେଫାଲାଇଟିସ୍ (ପିଏଏମ୍) ସଂକ୍ରମଣ ମାମଲା ଲଗାତର ବୃଦ୍ଧି ପାଉଛି । ସେଥିଯୋଗୁ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି । ରାଜ୍ୟ ସରକାରଙ୍କ ଅନୁସାରେ, ମଙ୍ଗଳବାର ପିଏଏମ୍ ସଂକ୍ରମଣର ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଥିଲା । ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ । ଏଥିସହ ଚଳିତବର୍ଷ ଅଦ୍ୟାବଧି ରାଜ୍ୟରେ ମୋଟ ୬୧ ଜଣ ପିଏଏମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ପ୍ରାଣ ହରାଇଛନ୍ତି । ସେପ୍ଟେମ୍ବର ଅର୍ଥାତ୍ ଚଳିତ ମାସରେ ହିଁ ସର୍ବାଧିକ ମାମଲା ସାମ୍ନାକୁ ଆସିଛି।
ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ପୂର୍ବରୁ ଏହି ସଂକ୍ରମଣ କୋଝିକୋଡ୍ ଓ ମଲାପ୍ପୁରମ୍ ଭଳି ଜିଲ୍ଲାର କିଛି ଅଞ୍ଚଳରେ ଦେଖିବାକୁ ମିଳୁଥିଲା । ବର୍ତ୍ତମାନ ରାଜ୍ୟରେ ବିକ୍ଷିପ୍ତ ଭାବେ ଦେଖିବାକୁ ମିଳୁଛି । ସଂକ୍ରମିତଙ୍କ ମଧ୍ୟରେ ୩ ମାସର ଶିଶୁରୁ ନେଇ ୯୧ ବର୍ଷୀୟ ବୃଦ୍ଧ ବି ରହିଛନ୍ତି । ବିଶେଷଜ୍ଞମାନଙ୍କ ଅନୁସାରେ, ଏହି ସଂକ୍ରମଣ ନାଗ୍ଲେରିଆ ଫାଉଲେରି ନାମକ ଏକ ସୂକ୍ଷ୍ମ ଜୀବାଣୁ ଯୋଗୁ ହୋଇଥାଏ । ସେହି ଜୀବାଣୁକୁ ସାଧାରଣତଃ ମସ୍ତିଷ୍କଖିଆ ଆମିବା କୁହାଯାଏ । ପ୍ରାଇମେରୀ ଆମିବିକ୍ ମେନିଙ୍ଗୋଏନ୍ସେଫାଲାଇଟିସ୍ ଏକ ବିରଳ ଘାତକ ମସ୍ତିଷ୍କ ସଂକ୍ରମଣ । ଏହା ମସ୍ତିଷ୍କର କୋଷିକାକୁ ନଷ୍ଟ କରିଦେଇଥାଏ । ତେଣୁ ଅଧିକାଂଶ କ୍ଷେତ୍ରରେ ସଂକ୍ରମିତଙ୍କର ମୃତ୍ୟୁ ଘଟିଥାଏ । ନାଗ୍ଲେରିଆ ଫାଉଲେରି ଜୀବାଣୁ ପୋଖରୀ ଓ ହ୍ରଦ ଭଳି ତାଜା ପାଣିର ସ୍ରୋତରେ ରହିଥାଏ । ଗାଧୋଇବା ସମୟରେ ସେହି ଆମିବା ସଂସ୍ପର୍ଶରେ ଆସିବା ଫଳରେ ଲୋକମାନେ ସଂକ୍ରମିତ ହେବାର ଆଶଙ୍କା ରହେ ।