ଦୁବାଇ: ବ୍ରିଟେନର ୨୩ ବର୍ଷୀୟ ଆଇନ ଛାତ୍ରୀ ମିଆ ଓ’ବ୍ରାୟନ୍ ଦୁବାଇରେ ଏକ ମୂର୍ଖତାପୂର୍ଣ୍ଣ ଭୁଲ ପାଇଁ ଆଜୀବନ କାରାଦଣ୍ଡାଦେଶ ପାଇଛନ୍ତି। ଲିଭରପୁଲର ହୁଇଟନ୍ରୁ ଆସିଥିବା ମିଆ ବର୍ତ୍ତମାନ ଦୁବାଇର କେନ୍ଦ୍ରୀୟ ଜେଲ୍ରେ ବନ୍ଦୀ ଥିବା ଜଣାପଡିଛି। ତାଙ୍କ ମାଆ ଡାନିୟେଲ ମ୍ୟାକକେନା (୪୬) ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଗତ ଅକ୍ଟୋବର ପରଠାରୁ ସେ ତାଙ୍କ ଝିଅକୁ ଦେଖି ନାହାନ୍ତି। ରିପୋର୍ଟ ଅନୁଯାୟୀ, ମିଆ ଗତ ଅକ୍ଟୋବର ମାସରେ ଦୁବାଇ ଗସ୍ତ ସମୟରେ ୫୦ ଗ୍ରାମ କୋକେନ ସହ ଧରାପଡ଼ିଥିଲେ। ଏବଂ ଜୁଲାଇ ୨୫ ତାରିଖରେ ଏକ ଦିନିଆ ଶୁଣାଣି ପରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
ଡାନିୟେଲ ଏକ ଗୋଫଣ୍ଡମି ନାମକ ଫଣ୍ଡ ରାଇଜର ପୃଷ୍ଠା ମାଧ୍ୟମରେ ମିଆଙ୍କ ଆଇନଗତ ଓ ଯାତାୟାତ ଖର୍ଚ୍ଚ ପାଇଁ ସାହାଯ୍ୟ ମାଗିଥିଲେ। ଯାହା ପରେ ଗୋଫଣ୍ଡମିର ନିୟମ ଉଲ୍ଲଙ୍ଘନ କାରଣରୁ ହଟାଯାଇଥିଲା। ସେ ଲେଖିଥିଲେ, “ମିଆ ଏକ ଆଇନ ଛାତ୍ରୀ ଏବଂ ତାଙ୍କ ଜୀବନରେ କେବେ ଖରାପ କାମ କରି ନାହାନ୍ତି। ଦୁର୍ଭାଗ୍ୟବଶତଃ ସେ ଭୁଲ ବନ୍ଧୁଙ୍କ ସହ ଜଡ଼ିତ ହୋଇ ଏକ ମୂର୍ଖତାପୂର୍ଣ୍ଣ ଭୁଲ କଲେ, ଯାହା ପାଇଁ ସେ ଏବେ ଏହାର ମୂଲ୍ୟ ଦେଉଛନ୍ତି।”
ଆପମକୁ ଜଣାଇରଖୁ ଯେ, ଦୁବାଇର କେନ୍ଦ୍ରୀୟ ଜେଲ୍ରେ ଅବସ୍ଥା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଅତ୍ୟଧିକ ଭିଡ଼, ହିଂସା ଓ ଖରାପ ଜୀବନଯାପନ ସ୍ଥିତି ପାଇଁ ଏହା ପୂର୍ବରୁ ମଧ୍ୟ ବିବାଦୀୟ ହୋଇ ରହିଆସିଛି। ଡାନିୟେଲ ବ୍ରିଟେନର ଖବର ସରବରାହ ସଂସ୍ଥା ମେଲ୍ ଅନଲାଇନକୁ କହିଛନ୍ତି, “ମିଆ ଅତ୍ୟନ୍ତ ଭୟଭୀତ ଓ ଦୁଃଖରେ ଅଛନ୍ତି। ଜେଲ୍ରେ ଅସୁବିଧାଜନକ ଅବସ୍ଥା, କମ କର୍ମଚାରୀ ଓ ଅସୁସ୍ଥତା ଯୋଗୁ ସେ ଚର୍ମ ରୋଗରେ ପୀଡ଼ିତ। ସେ ଏକ ପତଳା ମ୍ୟାଟ୍ରେସ୍ରେ ଭୂଇଁରେ ଶୁଅନ୍ତି ଏବଂ ଛଅ ଜଣଙ୍କ ସହ ଏକ ସେଲ୍ ଅଂଶୀଦାର କରନ୍ତି।”
ମିଆଙ୍କ ଅପରାଧର ସଠିକ ବିବରଣୀ ସାର୍ବଜନୀନ ହୋଇନାହିଁ। କିନ୍ତୁ ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ସେ ଏକ ଅପାର୍ଟମେଣ୍ଟରେ ୫୦ ଗ୍ରାମ କୋକେନ ସହ ଧରାପଡ଼ିଥିଲେ। ଯେଉଁଥିରେ ତାଙ୍କ ସାଙ୍ଗ ସମେତ ଅନ୍ୟ ଦୁଇ ବ୍ୟକ୍ତି ମଧ୍ୟ ଏଥିରେ ଜଡ଼ିତ ଥିଲେ। ସେମାନଙ୍କ ଉପରେ ଡ୍ରଗ ଡିଲିଂର ଅଭିଯୋଗ ମଧ୍ୟ ରହିଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଡ୍ରଗ ସମ୍ବନ୍ଧୀୟ ଅପରାଧ ପାଇଁ କଠୋର ନିୟମ ରହିଛି। ଯେଉଁଥିରେ ଆଜୀବନ କାରାଦଣ୍ଡ ସହ (୧୫-୨୫ ବର୍ଷ) ଏବଂ ଭାରୀ ଜରିମାନା ମଧ୍ୟ ସାମିଲ ରିହଛି। ମିଆଙ୍କ ଉପରେ ୧ ଲକ୍ଷ ରିଆଲର(୨୨ ଲକ୍ଷ ଭାରତୀୟ ଟଙ୍କା) ଜରିମାନା ମଧ୍ୟ ଲଗାଯାଇଥିବା ଜଣାପଡିଛି।
ୟୁଏଇରେ ଡ୍ରଗ ଅପରାଧ ପାଇଁ ଶୂନ୍ୟ ସହନଶୀଳତା ନୀତି ରହିଛି। ଏହାସହ ରକ୍ତରେ ଡ୍ରଗର ଉପସ୍ଥିତିକୁ ମଧ୍ୟ ଅଧିକାରୀମାନେ ଅଧିକାର ଭାବେ ଗଣନା କରନ୍ତି। ୟୁଏଇ ବିମାନବନ୍ଦରରେ ଉନ୍ନତ ସ୍କାନିଂ ପ୍ରଯୁକ୍ତି ମାଧ୍ୟମରେ ଅବୈଧ ପଦାର୍ଥ ଚିହ୍ନଟ କରାଯାଇଥାଏ।
ଡାନିୟେଲ କହିଛନ୍ତି, “ମିଆ ନିଜର ଆଇନଜୀବୀ କିମ୍ବା ସଲିସିଟର ହେବାର ସ୍ୱପ୍ନ ନଷ୍ଟ ହୋଇଗଲା ବୋଲି ଅନୁଭବ କରୁଛନ୍ତି। ସେ ଦୁବାଇରେ ଜଣେ ସାଙ୍ଗ ଓ ତାଙ୍କ ପ୍ରେମିକକୁ ଦେଖିବା ପାଇଁ ଯାଇଥିଲେ।” ସେ ଆଶା କରୁଛନ୍ତି ଯେ ରମଜାନ ପରେ ସମ୍ଭାବ୍ୟ କ୍ଷମା ଚୁକ୍ତି ମାଧ୍ୟମରେ ମିଆ ବ୍ରିଟେନକୁ ଫେରିପାରନ୍ତି।
ବ୍ରିଟିଶ ବୈଦେଶିକ ଓ କମନୱେଲ୍ଥ ଅଫିସ ଏକ ବିବୃତିରେ କହିଛି, “ଆମେ ୟୁଏଇରେ ଅଟକ ରହିଥିବା ଜଣେ ବ୍ରିଟିଶ ମହିଳାଙ୍କ ପରିବାରକୁ ସମର୍ଥନ କରୁଛୁ ଏବଂ ସ୍ଥାନୀୟ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛୁ।”
ଏହି ଘଟଣା ୟୁଏଇର କଠୋର ଆଇନ ଓ ବିଦେଶୀ ନାଗରିକଙ୍କ ପାଇଁ ଏହାର ଗମ୍ଭୀର ପରିଣାମ ଉପରେ ଆଲୋକପାତ କରିଛି। ମିଆଙ୍କ ପରିବାର ତାଙ୍କୁ ସାହାଯ୍ୟ କରିବା ପାଇଁ ଆଇନଗତ ଓ ଆର୍ଥିକ ସମର୍ଥନ ଖୋଜୁଛନ୍ତି। ଏବଂ ଏହି ମାମଲା ବିଦେଶରେ ଅପରାଧର ଗମ୍ଭୀର ପରିଣାମ ବିଷୟରେ ସଚେତନତା ସୃଷ୍ଟି କରୁଛି।