ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ସେମିକନ୍‌ ଇଣ୍ଡିଆ-୨୦୨୫ସମ୍ମିଳନୀରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ସମ୍ମିଳନୀରେ ୪୮ଟି ଦେଶର ୨୫୦୦ରୁ ଅଧିକ ପ୍ରତିନିଧି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱୀନି ବୌଷ୍ଣବଙ୍କ ସମେତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଉଦ୍ୟୋଗୀମାନେ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହ ସେମିକଣ୍ଡକ୍ଟରକୁ ନେଇ ଦେଶକ ଭବିଷ୍ୟତ ଉପରେ ନିଜର ମନ୍ତବ୍ୟ ରଖିଛନ୍ତି।

ଏହି ଅବସରରେ ଭାରତର ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଚିପର ଉନ୍ମୋଚନ ହୋଇଥିଲା। ଯାହା ଓଡିଶାରେ ନିର୍ମିତ ହୋଇ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି ।  ଯାହା ଭାରତକୁ ବିଶ୍ୱରେ ଟେକ୍ନୋଲୋଜି ଓ ନୂତନତ୍ୱରେ ନେତୃତ୍ୱ ପ୍ରଦାନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପରିଗଣିତ ହେଉଛି।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱୀନି ବୌଷ୍ଣବ ଏକ୍ସରେ ଏକ ପୋଷ୍ଟ ଜାରି କରିଛନ୍ତି। ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ ର ଶୁଭାରମ୍ଭ ପ୍ରକୃତରେ ପ୍ରେରଣାଦାୟକ ଥିଲା, ଯାହା ଆମ ଦେଶର ପ୍ରଯୁକ୍ତିବିଦ୍ୟା ନେତୃତ୍ୱ ଆଡ଼କୁ ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟ। ଏହି ପ୍ରଥମ ସଫଳତାର ଏକ ଗର୍ବର ଅଂଶ, ହାଇ ପରଫର୍ମାନ୍ସ ମଲ୍ଟିପ୍ଲାୟର୍ IC C2S0061 ବିକଶିତ କରି ଉଲ୍ଲେଖନୀୟ ଅବଦାନ ପାଇଁ ମୁଁ PMEC ବ୍ରହ୍ମପୁରକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ମୁଁ SEMICON India 2025 ରେ #Odisha Pavilion ମଧ୍ୟ ଉଦ୍ଘାଟନ କରିଛି। ସାହସିକ ନୀତି, ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ଏବଂ ନିବେଶ ପାଇଁ ପ୍ରସ୍ତୁତ ସୁଯୋଗ ସହିତ, ଓଡ଼ିଶା ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ନବସୃଜନର ପରବର୍ତ୍ତୀ ବଡ଼ କେନ୍ଦ୍ର ଭାବରେ ଉଭା ହେବାକୁ ପ୍ରସ୍ତୁତ।

ଓଡିଶାର ଏହି ବିରଳ କୃତିତ୍ତ୍ୱ ପରେ ସମଗ୍ର ଦେଶର ନଜର ବର୍ତ୍ତମାନ ଓଡିଶା ଉପରେ ରହିଛି। ଓଡିଶାରେ ଆଉ ଗୋଟିଏ ସେମିକଣ୍ଡକ୍ଟର ଚିପ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବାର ଯୋଜନା ରହିଥିବା ବେଳେ ଆଗକୁ ଓଡିଶା ଭାରତର ସେମିକଣ୍ଡକ୍ଟର ହବ ଭାବେ ପରିଗଣିତ ହେବ ବୋଲି ବିଶେଷଜ୍ଞମାନେ ରାୟ ପ୍ରକାଶ କରିଛନ୍ତି।  ​​​​​​​