ଭୁବନେଶ୍ଵର, ୭/୧୦ : ଆଇନଜୀବୀ ପୀତବାସ ପଣ୍ଡାଙ୍କ ଜଘନ୍ୟ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ। ଖୁବ୍ ଶୀଘ୍ର ଦୋଷୀଙ୍କୁ ଖୋଜି ବାହାର କରାଯିବ ଓ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ବର୍ଗତ ପଣ୍ଡାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୋହନ ଚରଣ ମାଝୀ ।

ସୂଚନାନୁଯାୟୀ, ସୋମବାର ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କୁ ଖୋଜି ବାହାର କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ମୁଖ୍ୟମନ୍ତ୍ରୀ ପୁଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଏଭଳି ଜଘନ୍ୟ ଓ ଅମାନୁଷିକ ଘଟଣାକୁ କୌଣସି ପରିସ୍ଥିତିରେ ମଧ୍ୟ ବରଦାସ୍ତ କରାଯିବ ନାହିଁ ।