ନୂଆଦିଲ୍ଲୀ, ୪।୬: ମାସ ଶେଷ ହେଲେ ମୋବାଇଲକୁ ଆସୁଥିବା ଦରମା ବା କ୍ରେଡିଟେଡ୍ ମେସେଜ୍‌ ପ୍ରତିଟି ଚାକିରିଆଙ୍କୁ ଏକ ଅଜବ ଖୁସି ଦେଇଥାଏ । ହେଲେ ଯଦି ଏହି ଦରମା ହଠାତ୍ ବନ୍ଦ ହୋଇଯାଏ, ତେବେ କ’ଣ ହେବ ? ଘର ଖର୍ଚ୍ଚ କେମିତି ଚଳିବ ? ଘର ଭଡ଼ା କେମିତି ଦିଆଯିବ ? ଏଭଳି ଅନେକ ପ୍ରଶ୍ନ ଚାକିରିଆଙ୍କ ମନକୁ ଆନ୍ଦୋଳିତ କରିଥାଏ । ଏହି ଭୟ ଯୋଗୁଁ ଅନେକ ଲୋକ ଅଫିସର ଖରାପ ପରିବେଶ ବା 'ଟକ୍ସିକ୍ ଜବ୍' ମଧ୍ୟରେ ଛଟପଟ ହେଉଥିଲେ ବି ଚାକିରି ଛାଡ଼ିବାକୁ ସାହସ ଜୁଟାଇ ପାରନ୍ତି ନାହିଁ । କିନ୍ତୁ, ଏସବୁ ଭୟକୁ ପଛରେ ପକାଇ ଦିଲ୍ଲୀର ଜଣେ ଯୁବକ ଏମିତି ଏକ ପଦକ୍ଷେପ ନେଇଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ଦୁଇ ମାସ ଧରି ଆସିଲାନି ଦରମା:

କରନ ନାମକ ଜଣେ ଯୁବକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ନିଜର ୬୦ ଦିନର ଅନୁଭୂତି ବର୍ଣ୍ଣନା କରିଛନ୍ତି । ସେ ଭିଡିଓରେ ଲେଖିଛନ୍ତି- "୬୦ ଦିନ ବିନା ଦରମାରେ" । ଚାକିରି କରୁଥିବା ଲୋକଙ୍କ ପାଇଁ ଏହି ଗୋଟିଏ ଧାଡ଼ି କୌଣସି ଭୟାନକ ସ୍ୱପ୍ନଠାରୁ କମ୍ ନୁହେଁ । କୌଣସି ନୂଆ ଚାକିରିର ଅଫର ନଥାଇ ହଠାତ୍ ପୁରୁଣା ଚାକିରିରୁ ଇସ୍ତଫା ଦେବା ଏବଂ ଦୀର୍ଘ ଦୁଇ ମାସ କୌଣସି ରୋଜଗାର ବିନା ଚଳିବା କେତେ କଷ୍ଟକର, ତାହା କରନ ନିଜ ଭିଡିଓ ମାଧ୍ୟମରେ ସେୟାର କରିଛନ୍ତି ।

ଦୁଇ ବର୍ଷର ଅପେକ୍ଷା ପରେ ନେଲେ ବଡ଼ ନିଷ୍ପତ୍ତି:

କରନଙ୍କ କହିବା ଅନୁସାରେ, ସେ ଗତ ମାର୍ଚ୍ଚ ମାସ ଶେଷ ଆଡ଼କୁ ନିଜ ଚାକିରିରୁ ଇସ୍ତଫା ଦେଇଥିଲେ । ଏହି କମ୍ପାନୀରେ ସେ ଦୀର୍ଘ ଦୁଇ ବର୍ଷ ଧରି କାମ କରୁଥିଲେ । ପ୍ରତି ବର୍ଷ ସେ ଭାବୁଥିଲେ ଯେ ଆସନ୍ତା 'ଆପ୍ରେଜାଲ' ବା ଦରମା ବୃଦ୍ଧି ସମୟରେ ସବୁକିଛି ଠିକ୍ ହୋଇଯିବ ଏବଂ ଅଫିସର ସ୍ଥିତି ବଦଳିଯିବ । କିନ୍ତୁ ପରିସ୍ଥିତିରେ କୌଣସି ସୁଧାର ନଆସିବାରୁ ଶେଷରେ ସେ ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଥିଲେ ।

"ଦରମା ହେଉଛି ଏକ ନିଶା":

ଭିଡିଓର କ୍ୟାପସନରେ କରନ ଏକ ବହୁତ ବଡ଼ କଥା ଲେଖିଛନ୍ତି, ଯାହା ପ୍ରତ୍ୟେକ ଚାକିରିଆଙ୍କ ଜୀବନ ସହ ସାମଞ୍ଜସ୍ୟ ରହୁଛି । ସେ ଲେଖିଛନ୍ତି, "ଦରମା ହେଉଛି ଏକ ପ୍ରକାର ନିଶା, ଯାହାକୁ ଛାଡ଼ିବା ଅତ୍ୟନ୍ତ କଠିନ । ପ୍ରତ୍ୟେକ ମାସରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ଆମ ଆକାଉଣ୍ଟକୁ ଟଙ୍କା ଆସେ ଏବଂ ଆମେ ଖୁସି ହୋଇଯାଉ । ଆମେ ସେହି ଦରମା ଚାରିପାଖରେ ହିଁ ନିଜର ସମ୍ପୂର୍ଣ୍ଣ ଜୀବନ, ସ୍ୱପ୍ନ ଓ ଇଏମଆଇର ଜାଲ ବୁଣି ଦେଇଥାଉ । ତେଣୁ ସେହି ନିଶାରୁ ମୁକ୍ତ ହେବା ପାଇଁ ବହୁତ ବଡ଼ ସାହସ ଦରକାର ।" କରନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ହଜାର ହଜାର ଚାକିରିଆ ଏହାକୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କରନଙ୍କ ଭଳି ସମାନ ପରିସ୍ଥିତି ଦେଇ ଗତି କରୁଥିବା ଅନେକ ଯୁବପିଢ଼ି କମେଣ୍ଟ ବକ୍ସରେ ନିଜର କାହାଣୀ ଲେଖିଛନ୍ତି ।

ଜଣେ ୟୁଜର ଲେଖିଛନ୍ତି, "ମୁଁ ମଧ୍ୟ ହାତରେ କୌଣସି ଦ୍ୱିତୀୟ ଚାକିରି ନଥାଇ କେବଳ ମାନସିକ ଶାନ୍ତି ପାଇଁ ମୋର ଟକ୍ସିକ୍ ଜବ୍ ଛାଡ଼ି ଦେଇଛି ।" ଅନ୍ୟ ଜଣେ ୟୁଜର ଲେଖିଛନ୍ତି, "ଆଜି ଅଫିସରେ ମୋର ଶେଷ ଦିନ ଏବଂ ଆଗକୁ କ’ଣ ହେବ ମୁଁ ଜାଣିନାହିଁ, କିନ୍ତୁ ମୁଁ ଖୁସି ଅଛି ।" ଆଉ ଜଣେ ଚାକିରିଆ ତ ସାରା ଜୀବନ ପାଇଁ ନିଜର କର୍ପୋରେଟ୍ ପ୍ରଫେସନ ହିଁ ବଦଳାଇ ଦେଇଥିବା କଥା ସେୟାର କରିଛନ୍ତି । ଆଜିର ପ୍ରତିଯୋଗିତାମୂଳକ ଯୁଗରେ କର୍ପୋରେଟ୍ ଦୁନିଆର ଚାପ ଏବଂ ଖରାପ ପରିବେଶ ଯୋଗୁଁ ଅନେକ ଯୁବପିଢ଼ି ମାନସିକ ଅବସାଦର ଶିକାର ହେଉଛନ୍ତି । ଏଭଳି ସ୍ଥିତିରେ ଦିଲ୍ଲୀର ଏହି ଯୁବକଙ୍କ କାହାଣୀ ପ୍ରମାଣ କରୁଛି ଯେ, ବେଳେବେଳେ ନିଜର ମାନସିକ ସ୍ୱାସ୍ଥ୍ୟ ଏବଂ ଶାନ୍ତି ପାଇଁ ଟଙ୍କାର ନିଶାକୁ ପଛରେ ପକାଇ ଜୀବନରେ ଏକ 'ବ୍ରେକ୍' ନେବା ଜରୁରୀ ।

ଆହୁରି ପଢ଼ନ୍ତୁ... Muzaffarpur Hospital Fire: ଜଳୁଥିଲା ହସ୍ପିଟାଲ; ୯୭ ବର୍ଷୀୟ ବୃଦ୍ଧା ନିଜ ଅକ୍ସିଜେନ ମାସ୍କ କାଢି ଅନେକ ରୋଗୀଙ୍କୁ ବଞ୍ଚାଇଲେ, ICUରେ କ'ଣ ଘଟିଥିଲା ସବୁ କହିଲେ...