ଭୁବନେଶ୍ଵର, ୧୬/୧୦ : ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଫୋନ୍ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ @Naveen_Odishaଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
— Mohan Charan Majhi (@MohanMOdisha) October 16, 2025
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ଏବଂ ସୁଖମୟ ଜୀବନ କାମନା କରୁଛି।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୮୦ ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି । ନିଜ ଶାସନ କାଳ ମଧ୍ୟରେ ସେ ବହୁ ରେକର୍ଡ ଭାଙ୍ଗିଛନ୍ତି, ଅନେକ ଯୋଡ଼ିଛନ୍ତି । କେବଳ ୫ ପାଳିର ମୁଖ୍ୟମନ୍ତ୍ରୀ ଭାବେ ନୁହଁ, ନିଜର ସରଳତା ଓ ନିରଳସ ଜୀବନ ଯାପନ ପାଇଁ ଜାତୀୟ ରାଜନୀତିରେ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ନବୀନ ପଟ୍ଟନାୟକ । ଗରିବୀର ବିକଳ ଚିତ୍ର ବଦଳିଲା । ରୂପାନ୍ତରଣର ମଡେଲ ପାଲଟିଲା। ରାଜ୍ୟର ଅର୍ଥନୀତିକୁ ସଶକ୍ତ ଓ ସୁଦୃଢ଼ କରି ଟ୍ରାକକୁ ଆଣିବାର ଶ୍ରେୟ ପାଇଁ ଇତିହାସ ତାଙ୍କୁ ମନେ ରଖିବ । ତାଙ୍କ ଅମଳରେ ରାଜ୍ୟ ଦେଖିଛି ସରକାର ଓ ପ୍ରଶାସନରେ ବଡ଼ ସଂସ୍କାର । ୨୦୦୦ ମାର୍ଚ୍ଚ ୫ରୁ ୨୦୨୪ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ଏ ଲମ୍ବା ଯାତ୍ରାରେ ସେ ପାଇଛନ୍ତି ଈର୍ଷଣୀୟ ସଫଳତା । ବିକାଶ ମାନଚିତ୍ରରେ ଓଡ଼ିଶା ଅନେକ ଉପରକୁ ଉଠିଛି। ଦେଶରେ ସର୍ବାଧିକ ଦାରିଦ୍ର୍ୟ ହ୍ରାସ କରିବାରେ ଓଡ଼ିଶା ହିଁ ରହିଛି ଶୀର୍ଷରେ । ରାଜନୀତିର ପ୍ରତିଦ୍ୱନ୍ଦ୍ୱୀ ଦଳ ହୁଅନ୍ତୁ କି ଅନ୍ୟ ରାଜ୍ୟର ରାଜନେତା, ସବୁ ମହଲରେ ନବୀନଙ୍କର ରହିଛି ସ୍ୱତନ୍ତ୍ର ସମ୍ମାନ। ଜାତୀୟ ରାଜନୀତିରେ ନବୀନଙ୍କ ପତିଆରା ସବୁବେଳେ ରହିଛି । ଏବେ ବି ନବୀନଙ୍କ ବ୍ୟକ୍ତିତ୍ୱକୁ ସବୁ ଦଳର ରାଜନେତା ସମ୍ମାନ କରନ୍ତି ।