କଟକ, ୧୦/୧୦ : ସୋସିଆଲ୍ ମିଡିଆରେ କୌଣସି ପ୍ରକାରର ସାମ୍ପ୍ରଦାୟିକ ପୋଷ୍ଟ କିମ୍ବା ଉତ୍ତେଜନା ସୃଷ୍ଟି ଉଦ୍ୟମ କରୁଥିଲେ ସାବଧାନ। ସୋସିଆଲ୍‌ ମିଡିଆ ସ୍କାନ୍‌ କରୁଛନ୍ତି ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌। ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟିକାରୀଙ୍କୁ ପୁଲିସ କମିଶନର ଏସ୍‌. ଦେବଦତ୍ତ ସିଂହଙ୍କ କଡ଼ା ଚେତାବନୀ। ସେ କହିଛନ୍ତି ଯେ, ହଜାର ହଜାର ଆକାଉଣ୍ଟ ଉପରେ ପୁଲିସର ନଜର ରହିଛି। ଏଭଳି ବିଷୟ ସାମ୍ନାକୁ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆବଶ୍ୟକ ସ୍ଥଳେ ଦେଶଦ୍ରୋହ ମାମଲା ରୁଜୁ କରାଯିବ। ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର କହିଛନ୍ତି।

ଶୁକ୍ରବାର ଦରଘା ବଜାର ଓ କଦମ ରସୁଲରେ ପୁଲିସ ଫ୍ଲାଗମାର୍ଚ୍ଚ କରିଛି। କଟକ ସହର ସାରା ପୁଲିସ ଫୋର୍ସ ମୁତୟନ ଅଛନ୍ତି, ଏବେ ସ୍ଥିତି ସ୍ବାଭାବିକ ଅଛି। ତଥାପି କିଛି ଲୋକ ସୋସିଆଲ ମିଡିଆରେ ବିଭ୍ରାନ୍ତକାରୀ ତଥ୍ୟ ରଖୁଛନ୍ତି, ଭାଇରାଲ କରୁଛନ୍ତି। ଏଥିରୁ କ୍ଷାନ୍ତ ରହିବାକୁ ପୁଲିସ କମିଶନର ଚେତାବନୀ ଦେଇଛନ୍ତି। ଅପର ପକ୍ଷରେ କଟକ ସହରରେ ଆଜି କୌଣସି ପ୍ରକାରର ଶୋଭାଯାତ୍ରା ହେଉନାହିଁ। ତେଣୁ କୌଣସି ପ୍ରକାର ଗୁଜବକୁ ନେଇ ବିଶ୍ୱାସ ନକରିବାକୁ ପୁଲିସ କମିଶନର ପରାମର୍ଶ ଦେଇଛନ୍ତି। ଗୁଜବ ସୃଷ୍ଟିକଲେ କ୍ୟାରିଅର ଖରାଫ ହେବ, ଏବଂ ଗୁଜବକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ପୁଣିଥରେ ଚେତାଇ ଦେଇଛନ୍ତି ସିପି।