ଦୁବାଇ,୦୪/୦୩: ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯାଉଛି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡ଼ିୟମ୍‌ରେ ମୁହାଁମୁହିଁ ହୋଇଛନ୍ତି ଶକ୍ତିଶାଳି ଭାରତ-ଅଷ୍ଟ୍ରେଲିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି କଙ୍ଗାରୁ ଦଳ । ବୋଲିଂ କରିବ ଭାରତ  । ଭାରତ ଏହି ମ୍ୟାଚ ଜିତି ଫାଇନାଲ ଟିକେଟ ହାତେଇବା ସହ ୨୦୨୩ ବିଶ୍ବକପ ଫାଇନାଲ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ଯିଏ ଜିତିବ ପ୍ରଥମ ଦଳ ଭାବେ ଫାଇନାଲ ଟିକେଟ୍ ହାତେଇବ । ସେପଟେ ଏହି ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । କଙ୍ଗାରୁ ଦଳକୁ ରୋକିବାକୁ ହେଲେ ଭାରତକୁ ଉଭୟ ବ୍ୟାଟିଂ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ପଡିବ ।

ଶେଷ ଲିଗ୍ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ବିଜୟରେ ହିରୋ ହୋଇଥିଲେ ବରୁଣ ଚକ୍ରବର୍ତ୍ତୀ ।  ତାଙ୍କ ଚକ୍ରବ୍ୟୁହୁରେ ଫସି ଯାଇଥିଲା କିୱି ଦଳ । ବରୁଣଙ୍କୁ ୫ଟି ସଫଳତା ମିଳିଥିଲା । ଆଜି ମଧ୍ୟ ବରୁଣଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ମହମ୍ମଦ ସାମି, ଅକ୍ଷର ପଟେଲ ଓ ଜାଡେଜାଙ୍କ ଉପରେ ନଜର ରହିବ । ଚାମ୍ପିଅନ୍ସ ଟ୍ରଫିରେ ଉଭୟ ଦଳ ପରସ୍ପରକୁ ୪ଥର ଭେଟିଛନ୍ତି । ଏଥିରୁ ଭାରତ ୨ଟି ଓ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ୍‌ ଜିତିଛନ୍ତି । ୨୦୦୯ ସଂସ୍କରଣରେ  ଉଭୟ ଦଳ ମଧ୍ୟ ହେବାକୁ ଥିବା ମ୍ୟାଚ୍‌କୁ ବର୍ଷା ଧୋଇ ନେଇଥିଲା । ଏହା ପରଠୁ ଚାମ୍ପିଅନ୍ସ  ଟ୍ରଫିରେ ଉଭୟ ସାମ୍ନା ସାମ୍ନି ହୋଇନାହାନ୍ତି । ରୋହିତ ବାହିନୀ ଅଷ୍ଟ୍ରେଲିଆକୁ ହରାଇ ୨୦୨୩  ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ପରାଜୟର ପ୍ରତିଶୋଧ  ନେବାକୁ ଚେଷ୍ଟା କରିବ । ସେପଟେ ତାରକା  ଖଚିତ ଭାରତୀୟ ବ୍ୟାଟିଂ ବିଭାଗକୁ ଅଟକାଇବା ପାଇଁ  ଅଷ୍ଟ୍ରେଲିଆର ପେସ୍‌  ବାହିନୀ କି କୌଶଳ ଆପଣେଇବ, ଦେଖିବାକୁ  ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।  

ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରନ୍ତି ଟ୍ରେଭିସ ହେଡ୍ । କାରଣ ସେ ୨୦୨୩ ଦିନିକିଆ ବିଶ୍ବକପରେ ଶତକୀୟ ପାଳି ଖେଳିଥିଲେ । ଭାରତକୁ ସେମି ମୁକାବିଲା ପକେଟକୁ ନେବାକୁ ହେଲେ ଟ୍ରେଭିସ୍ ହେଡଙ୍କୁ ବଡ ସ୍କୋର କରିବାକୁ ଅଟକାଇବାକୁ ହେବ । ୨୦୧୦ ଠାରୁ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଏକମାତ୍ର  ଦଳ ଭାବେ ଭାରତକୁ ସବୁ ଫର୍ମାଟ୍‌ରେ କଡ଼ା  ଟକ୍କର ଦେଇ ଆସିଛି । ଗତ ୧୫ବର୍ଷ ମଧ୍ୟରେ  ଅନ୍ୟ ସବୁ ଦଳ ବିପକ୍ଷରେ ଭାରତର ବିଜୟ ହାର ଅଧିକ ରହିଛି । କେବଳ ଅଷ୍ଟ୍ରେଲିଆ ବିପକ୍ଷରେ  ବିଜୟ ହାର ୫୦%(ସବୁଠୁ କମ୍‌) ରହିଛି । ଉଭୟ ଦଳ ପରସ୍ପର ବିପକ୍ଷରେ ୨୩ଟି ଲେଖାଏଁ ଦିନିକିଆ ମ୍ୟାଚ୍‌ ଜିତିଛନ୍ତି ।  

ଅଧିକ ପଢନ୍ତୁ...ଆଲୋଚକଙ୍କୁ ରୋହିତଙ୍କ ଜବାବ: ଦୁବାଇ ଆମ ଘରୋଇ ଗ୍ରାଉଣ୍ଡ ନୁହେଁ, କେଉଁ ପିଚ୍ ମିଳିବ ଜଣାନାହିଁ

ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ),  ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ  ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା,  ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ,କୁଲଦୀପ  ଯାଦବ,ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସାମି । 

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ: ଟ୍ରେଭିସ ହେଡ୍‌, ଜୋସ  ଇଂଲିଶ, ଷ୍ଟିଭେନ ସ୍ମିଥ (ଅଧିନାୟକ), କୁପର କନଲି,  ମାର୍ନସ  ଲାବୁସାନ,ଆଲେକ୍ସ କ୍ୟାରୀ,  ଗ୍ଲେନ ମ୍ୟାକ୍ସୱେଲ୍‌, ବେନ ଡାର୍ସିୟସ, ନାଥାନ  ଏଲିସ୍‌, ଆଡାମ ଜାମ୍ପା, ଟି. ସାଙ୍ଘା ।