ଆମ ମଧ୍ୟରେ ଅବଶ୍ୟ କେତେଜଣ ଥିବେ,  ଯେଉଁମାନେ ଚାର୍ଲି ଚାପଲିନ (୧୮୮୯- ୧୯୭୭, ଜନ୍ମସ୍ଥାନ- ଲଣ୍ଡନ)ଙ୍କ ପରି ହେବାପାଇଁ  ଅଭିଳାଷ ପୋଷଣ କରିଥିବେ । ଚାପଲିନଙ୍କ  ଜୀବଦ୍ଦଶାରେ ପ୍ରଥମ ଓ ଦ୍ୱିତୀୟ ମହାସମର  ଘଟିଥିଲା । ପୁଣି ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା  (୧୯୨୯-୧୯୩୯) ଯୋଗୁଁ ବେକାରୀ ଓ ଦାରିଦ୍ର‌୍ୟ  ସମସ୍ୟା ସର୍ବସାଧାରଣଙ୍କୁ ସଂକଟଗ୍ରସ୍ତ କରିଥିଲା ।  ଏମିତି ଦୁଃସ୍ଥିତିରେ ଲୋକମାନଙ୍କ ମୁହଁରେ ହସ  ଫୁଟାଇବା ଏକ ସାମାନ୍ୟ ସଫଳତା ନୁହେଁ ।  ଏତାଦୃଶ ଅସାଧାରଣ କାର୍ଯ୍ୟ ସଂପାଦନାକାରୀ  ହେଉଛନ୍ତି ଚାର୍ଲି ଚାପଲିନ । ଚଳଚ୍ଚିତ୍ରର ନିର୍ବାକ  ଯୁଗର ଜଣେ କାଳଜୟୀ ଅନନ୍ୟ ହାସ୍ୟ ଅଭିନେତା ।

dr. panigrahi

ଚାପଲିନ ଯେଉଁ ପରିବାରରେ ଜନ୍ମଗ୍ରହଣ  କରିଥିଲେ ତାହା ଦାରିଦ୍ର‌୍ୟ ଦ୍ୱାରା ପ୍ରପୀଡ଼ିତ । ତାଙ୍କୁ  ନଅବର୍ଷ ପୂରିବା ଆଗରୁ ଦୁଇଥର ସେ ୱାର୍କ  ହାଉସରେ କଟାଇଥିଲେ । ଯେଉଁ ପରିବାର ନିଜ  ସନ୍ତାନର ଲାଳନ ପାଳନ କରିବା ପାଇଁ ଆର୍ଥିକ  ଭାବେ ଅସମର୍ଥ ହେଇଥାଏ  ସେମାନଙ୍କ ଘରୁ ୱାର୍କ ହାଉସକୁ  ଏମିତି ପିଲାମାନଙ୍କୁ ପଠାଯାଏ ।  ପିଲାର ଦାୟିତ୍ୱ ନେବା ସହ  ନିଯୁକ୍ତି ପାଇଁ ସେଠାରେ ବ୍ୟବସ୍ଥା  ରହିଥାଏ । ଚାପଲିନଙ୍କ ପ୍ରତି ଅନ୍ୟ  ଏକ ଅଭିଶାପ ହେଉଛି ତାଙ୍କ  ଜନନୀଙ୍କ ମାନସିକ ରୋଗ ।

ଏହିପ୍ରକାର ପ୍ରତିକୂଳ ପରିସ୍ଥିତିରେ ପଡ଼ି  ମଧ୍ୟ ଚାପଲିନ କମ୍‌ ବୟସରୁ ବିଭିନ୍ନ ସଙ୍ଗୀତ  କାର୍ଯ୍ୟକ୍ରମରେ ଭାଗ ନେଉଥାନ୍ତି । ହାସ୍ୟ ଅଭିନୟ  ସକାଶେ ସହଜାତ ପ୍ରତିଭା ତାଙ୍କଠାରେ ଅନ୍ତର୍ନିହିତ  ଥିଲା । ଊଣେଇଶ ବର୍ଷ ବୟସରେ ଫିଲ୍ମ ଶିଳ୍ପ ସହ  ସଂପୃକ୍ତ ଗୋଟିଏ କମ୍ପାନୀ ତାଙ୍କୁ ଆମେରିକା ନେଲା ।  ଯୁକ୍ତରାଷ୍ଟ୍ରରେ ଅବସ୍ଥାନ କାଳରେ ୧୯୧୪ରେ ମାକ୍‌  ସେନେଟଙ୍କ କିଷ୍ଣୋନ ଷ୍ଟୁଡିଓ ତାଙ୍କୁ ଅଭିନେତା ଭାବେ  ନିଯୁକ୍ତ କଲା । ପ୍ରଥମ ଥର ପାଇଁ ସେ ‘ମେକିଂ ଏ  ଲିଭିଂ’ ନାମକ ଚଳଚ୍ଚିତ୍ରର ଏକ ଭୂମିକାରେ ହାସ୍ୟ  ଅଭିନେତା ଭାବେ ଅବତୀର୍ଣ୍ଣ ହେଲେ । ସେଥିରେ  ସେ ଗୋଟିଏ ଲମ୍ବା ଟୋପି, ଗୋଟିଏ ଆଖିରେ  ପିନ୍ଧାଯାଉଥିବା ଚଷମା, ଅବନତ ଅବସ୍ଥାରେ ଥିବା  କୃତ୍ରିମ ମୋଟା ନିଶ ଓ ଫ୍ରକ୍‌-କୋଟ୍‌ ପିନ୍ଧିଥିଲେ ।  ତାଙ୍କର ଏହି ପୋଷାକ ପରିପାଟୀ ପାଇଁ ଅବଶ୍ୟ  ଫିଲ୍ମ ପ୍ରଯୋଜକ ଦାୟୀ ।

ତେବେ ପରବର୍ତ୍ତୀ ଫିଲ୍ମ ପାଇଁ ସେ ଏଥିରେ  ସଂପୂର୍ଣ୍ଣ ପରିବର୍ତ୍ତନ ଘଟାଇଲେ । ସେ ନିଜେ ନିଜର  ଚେହେରା ସକାଶେ ରୂପରେଖ ନିର୍ଣ୍ଣୟ କଲେ ।  ଏହାର ମୂଳମନ୍ତ୍ର ହେଉଛି ଯେ, ସେଥିରେ ଏମିତି  ଉପାଦାନମାନ ରହିବ ଯାହା ପରସ୍ପରର ବିରୋଧୀ  ଯଥା- ଢିଲା ପ୍ୟାଣ୍ଟ ସହ ଚିପା କୋଟ୍‌, ପାଦର  ଆକାର ଠାରୁ ବଡ଼ ଜୋତା, ଖଣ୍ଡେ ବାଡ଼ି ଡର୍ବି ବା  ବାଉଲ୍‌ର ଟୋପି ଯାହା କଠିନ ଓ ଶୀର୍ଷଭାଗ ଆକୃତି  ଗୋଲାକାର । ତେବେ ନିଶ ପାଇଁ ଚାପଲିନଙ୍କ  ପରିକଳ୍ପନା ପ୍ରମୁଖ ଥିଲା । ଏହା ଛୋଟ ହେବ,  ଯାହାଫଳରେ ତାଙ୍କର ମନୋଭାବ ଓ ମୁଖଭଙ୍ଗୀ  ଲୁଚିଯିବ ନାହିଁ । ତାଙ୍କର ଖୁଣ ଭାବେ କେହି  କେହି ମନ୍ତବ୍ୟ ଦେଉଥିଲେ ଯେ, ସେ ନିଜ ବୟସ  ତୁଳନାରେ ଅଧିକ ଟୋକାଳିଆ ଦେଖାଯାଉଛନ୍ତି ।  ପ୍ରତିକାର ରୂପେ ଦାନ୍ତ ଘଷିବା ପାଇଁ ବ୍ୟବହୃତ  ଟୁଥବ୍ରସ୍‌ ପରି ନିଶ ରଖିଲେ । ଫଳରେ ତାଙ୍କ  ବୟସ ବଢ଼ିବା ପରି ଜଣାଯିବ ।  ଏମିତି ବିଚିତ୍ର ଉପାଦାନର  ସମାହାରରେ ସଜେଇ ହେଇ  ମଜାଳିଆ ଢଙ୍ଗରେ ସେ ଯେଉଁ  ଫିଲ୍ମରେ ପଦାର୍ପଣ କଲେ ତାହା  ହେଉଛି ୧୯୧୫ରେ ମୁକ୍ତିଲାଭ  କରିଥିବା ‘ଦା ଟ୍ରମ୍ପ’ । ଘରଦ୍ୱାର  ନଥିବା ଓ ଏଣୁ ତେଣୁ ବୁଲୁଥିବା  ଗୋଟିଏ ବେକାର ମଣିଷ ।  ପ୍ରକାରାନ୍ତରେ ଆବାରା ।

ଅନେକ ସମୟରେ  ଚାପଲିନ ଓ ହିଟଲରଙ୍କ ନିଶ ମଧ୍ୟରେ ସାମଞ୍ଜସ୍ୟ  ନେଇ ଭୁଲ୍‌ ଧାରଣା ଜନ୍ମିଥାଏ । ଚାପଲିନଙ୍କ  ନିଶର ଆକାର କ୍ଷୁଦ୍ର ଆୟତାକାର କ୍ଷେତ୍ର ସଦୃଶ  ଓ ହାସ୍ୟରସ ସୃଷ୍ଟିକରିବା ଏହାର ଲକ୍ଷ୍ୟ । ତେବେ  ହିଟଲର ମଧ୍ୟ ନିଜ ନିଶକୁ ଛୋଟ କରିଥିଲେ,  କାରଣ ପ୍ରଥମ ବିଶ୍ୱଯୁଦ୍ଧ ବେଳେ ଗ୍ୟାସ ମାସ୍କ  ପିନ୍ଧିବା ପାଇଁ ଏହା ସୁବିଧାଜନକ ହେବା । ଉଭୟ  ନିଶ ଏକାପ୍ରକାର । ମାତ୍ର ଉଦ୍ଦେଶ୍ୟ ଅଲଗା ।  ଗୋଟିଏ ମନୋରଞ୍ଜନ କରେ, ଅନ୍ୟଟି କ୍ରୁରତାର  ପ୍ରତୀକ । ଚଳଚ୍ଚିତ୍ରରେ ନିଜର ଅବତାର ପାଇଁ  ଚାପଲିନ ଯେଉଁ ଉପାଦାନମାନଙ୍କୁ ନେଇ ନିଜକୁସଜ୍ଜୀକରଣ କଲେ ତାହା  ତାଙ୍କର ଏକ ଅନନ୍ୟ ପରିଚୟ  ହୋଇଗଲା । ନିର୍ବାକ ଅଭିନୟ  ମାଧ୍ୟମରେ ତାଙ୍କର ଠାଣି ଓ  ଚାଲି ଶବ୍ଦ ଅପେକ୍ଷା ଭାବକୁ  ଅଧିକ ସୁସ୍ପଷ୍ଟ ତଥା ଅନୁପମ  କରିପାରୁଥିଲା । ପ୍ରାୟ ସବୁ  ଫିଲ୍ମରେ ଏକା ଅବତାରରେ  ଆବିର୍ଭାବ ହେଉଥିବା ତାଙ୍କ  ବେଶଭୂଷା ଲୋକଙ୍କୁ ଏତେ  ଆକର୍ଷିତ କଲା ଯେ ଏଥିପାଇଁ  ‘ଚାପଲିନିଟି ସ’ ନାମକ ଏକ ଶବ୍ଦ ଉଦ୍ଭବ ହେଲା ।  ଏହାର ଏକ ଦୃଷ୍ଟାନ୍ତ ନିମ୍ନ ଘଟଣାରୁ ମିଳେ ।

୧୯୧୮ ଅଗଷ୍ଟ ମାସରେ ଲଣ୍ଡନରେ ଗୋଟିଏ  ପ୍ରତିଯୋଗିତା ଆୟୋଜିତ ହେଲା । ଏଥିରେ  ପ୍ରତିଯୋଗୀମାନେ ଚାପଲିନଙ୍କ ଅବତାରରେ ନିଜକୁ  ପ୍ରଦର୍ଶନ କରିବେ । ଦର୍ଶକମାନେ ସର୍ବଶ୍ରେଷ୍ଠ ତିନି  ଜଣଙ୍କୁ ବାଛିବେ । ସଫଳ ବ୍ୟକ୍ତିଙ୍କୁ ପୁରସ୍କୃତ  କରାଯିବ । ଏଥିରେ କୁଆଡ଼େ ନିଜେ ଚାପଲିନ ଭାଗ  ନେଇଥିଲେ । ଦର୍ଶକଙ୍କ ବିଚାରେ ଚାପଲିନ କୁଆଡ଼େ  ଯୋଗ୍ୟତାନୁସାରେ ତାଲିକାର ବିଂଶତମ ସ୍ଥାନରେ  ରହିଲେ । ଅବଶ୍ୟ ତାଙ୍କ ପୁଅର ବିବରଣୀ ଅନୁଯାୟୀ  ସେ ତୃତୀୟ ସ୍ଥାନରେ ରହିଲେ । ସେ ଯାହାହେଉ,  ଏହି ପରିପ୍ରେକ୍ଷୀରେ ଚାପଲିନ ନିଜକୁ ନିଜେ ପ୍ରଶ୍ନ  କରିବା ସମ୍ଭବ ‘ମୁଁ କଣ ଚାପଲିନ ନୁହେଁ?’

ଅବଶ୍ୟ ଚାପଲିନ ୧୯୬୬ରେ ଏମିତି  ପ୍ରତିଯୋଗିତାରେ ଭାଗ ନେବା ବିଷୟ ଅସ୍ୱୀକାର  କରିଛନ୍ତି । ତେଣୁ ‘ଚାପଲିନ ଲୁକ୍‌-ଏ ଲାଇକ୍‌, ହୁ  ଇଜ୍‌ ବେଷ୍ଟ ଚାପଲିନ’ ପରି ଯେଉଁ ସମ୍ବାଦମାନ  ବହୁଳ ଭାବେ ପ୍ରଚାରିତ ଓ ବିଜ୍ଞପିତ ହେଉଥାଏ  ଏଥିରେ ସତ୍ୟତା ନାହିଁ, ତଥାପି ସେ ଲୋକଙ୍କ  ମଧ୍ୟରେ ଏତେ ପ୍ରିୟ ଥିଲେ ଯେ ଲୋକେ ତାଙ୍କ  ପରି ହେବାକୁ ଚେଷ୍ଟିତ । ରାଜ କପୁର ‘ଆବାରା’  ଓ ‘ଶ୍ରୀ-୪୨୦’ ଫିଲ୍ମରେ ନିଶକୁ ବାଦ୍‌ ଦେଇ ତାଙ୍କୁ  କିଛି ପରିମାଣରେ ମଧ୍ୟ ଅନୁକରଣ କରିଛନ୍ତି ।

ସେ ଯାହାହେଉ, ଲୋକେ ପ୍ରଯତ୍ନଶୀଳ ହେଲେ  ତାଙ୍କ ପରି ଦେଖାଯାଇ ପାରନ୍ତି । କିନ୍ତୁ ତାଙ୍କ ପରି  ହୋଇପାରିବେ ନାହିଁ । ଏହାର କାରଣ ହେଉଛି  ଯେ, ସେ ଚଳଚ୍ଚିତ୍ର ସକାଶେ ନିଜ ଚେହେରା ପାଇଁ  ଯେଉଁ ଉପାଦାନମାନ ନିଜେ ବାଛିଥିଲେ ତାହା  ତାଙ୍କ ଅନ୍ତର୍ନିହିତ ପ୍ରତିଭାର ଆହ୍ୱାନ ଅନୁରୂପ ।  ଅନୁକରଣକାରୀମାନେ ‘ଜଗତେ କେବଳ ଜନେ  ହସିବେ, ଏହି ହେବ ତହୁଁ ଫଳ’ ପରି ଉପହସିତ  ହେବା ଅବଶ୍ୟମ୍ଭାବୀ।