ଆମ ମଧ୍ୟରେ ଅବଶ୍ୟ କେତେଜଣ ଥିବେ, ଯେଉଁମାନେ ଚାର୍ଲି ଚାପଲିନ (୧୮୮୯- ୧୯୭୭, ଜନ୍ମସ୍ଥାନ- ଲଣ୍ଡନ)ଙ୍କ ପରି ହେବାପାଇଁ ଅଭିଳାଷ ପୋଷଣ କରିଥିବେ । ଚାପଲିନଙ୍କ ଜୀବଦ୍ଦଶାରେ ପ୍ରଥମ ଓ ଦ୍ୱିତୀୟ ମହାସମର ଘଟିଥିଲା । ପୁଣି ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା (୧୯୨୯-୧୯୩୯) ଯୋଗୁଁ ବେକାରୀ ଓ ଦାରିଦ୍ର୍ୟ ସମସ୍ୟା ସର୍ବସାଧାରଣଙ୍କୁ ସଂକଟଗ୍ରସ୍ତ କରିଥିଲା । ଏମିତି ଦୁଃସ୍ଥିତିରେ ଲୋକମାନଙ୍କ ମୁହଁରେ ହସ ଫୁଟାଇବା ଏକ ସାମାନ୍ୟ ସଫଳତା ନୁହେଁ । ଏତାଦୃଶ ଅସାଧାରଣ କାର୍ଯ୍ୟ ସଂପାଦନାକାରୀ ହେଉଛନ୍ତି ଚାର୍ଲି ଚାପଲିନ । ଚଳଚ୍ଚିତ୍ରର ନିର୍ବାକ ଯୁଗର ଜଣେ କାଳଜୟୀ ଅନନ୍ୟ ହାସ୍ୟ ଅଭିନେତା ।

ଚାପଲିନ ଯେଉଁ ପରିବାରରେ ଜନ୍ମଗ୍ରହଣ କରିଥିଲେ ତାହା ଦାରିଦ୍ର୍ୟ ଦ୍ୱାରା ପ୍ରପୀଡ଼ିତ । ତାଙ୍କୁ ନଅବର୍ଷ ପୂରିବା ଆଗରୁ ଦୁଇଥର ସେ ୱାର୍କ ହାଉସରେ କଟାଇଥିଲେ । ଯେଉଁ ପରିବାର ନିଜ ସନ୍ତାନର ଲାଳନ ପାଳନ କରିବା ପାଇଁ ଆର୍ଥିକ ଭାବେ ଅସମର୍ଥ ହେଇଥାଏ ସେମାନଙ୍କ ଘରୁ ୱାର୍କ ହାଉସକୁ ଏମିତି ପିଲାମାନଙ୍କୁ ପଠାଯାଏ । ପିଲାର ଦାୟିତ୍ୱ ନେବା ସହ ନିଯୁକ୍ତି ପାଇଁ ସେଠାରେ ବ୍ୟବସ୍ଥା ରହିଥାଏ । ଚାପଲିନଙ୍କ ପ୍ରତି ଅନ୍ୟ ଏକ ଅଭିଶାପ ହେଉଛି ତାଙ୍କ ଜନନୀଙ୍କ ମାନସିକ ରୋଗ ।
ଏହିପ୍ରକାର ପ୍ରତିକୂଳ ପରିସ୍ଥିତିରେ ପଡ଼ି ମଧ୍ୟ ଚାପଲିନ କମ୍ ବୟସରୁ ବିଭିନ୍ନ ସଙ୍ଗୀତ କାର୍ଯ୍ୟକ୍ରମରେ ଭାଗ ନେଉଥାନ୍ତି । ହାସ୍ୟ ଅଭିନୟ ସକାଶେ ସହଜାତ ପ୍ରତିଭା ତାଙ୍କଠାରେ ଅନ୍ତର୍ନିହିତ ଥିଲା । ଊଣେଇଶ ବର୍ଷ ବୟସରେ ଫିଲ୍ମ ଶିଳ୍ପ ସହ ସଂପୃକ୍ତ ଗୋଟିଏ କମ୍ପାନୀ ତାଙ୍କୁ ଆମେରିକା ନେଲା । ଯୁକ୍ତରାଷ୍ଟ୍ରରେ ଅବସ୍ଥାନ କାଳରେ ୧୯୧୪ରେ ମାକ୍ ସେନେଟଙ୍କ କିଷ୍ଣୋନ ଷ୍ଟୁଡିଓ ତାଙ୍କୁ ଅଭିନେତା ଭାବେ ନିଯୁକ୍ତ କଲା । ପ୍ରଥମ ଥର ପାଇଁ ସେ ‘ମେକିଂ ଏ ଲିଭିଂ’ ନାମକ ଚଳଚ୍ଚିତ୍ରର ଏକ ଭୂମିକାରେ ହାସ୍ୟ ଅଭିନେତା ଭାବେ ଅବତୀର୍ଣ୍ଣ ହେଲେ । ସେଥିରେ ସେ ଗୋଟିଏ ଲମ୍ବା ଟୋପି, ଗୋଟିଏ ଆଖିରେ ପିନ୍ଧାଯାଉଥିବା ଚଷମା, ଅବନତ ଅବସ୍ଥାରେ ଥିବା କୃତ୍ରିମ ମୋଟା ନିଶ ଓ ଫ୍ରକ୍-କୋଟ୍ ପିନ୍ଧିଥିଲେ । ତାଙ୍କର ଏହି ପୋଷାକ ପରିପାଟୀ ପାଇଁ ଅବଶ୍ୟ ଫିଲ୍ମ ପ୍ରଯୋଜକ ଦାୟୀ ।
ତେବେ ପରବର୍ତ୍ତୀ ଫିଲ୍ମ ପାଇଁ ସେ ଏଥିରେ ସଂପୂର୍ଣ୍ଣ ପରିବର୍ତ୍ତନ ଘଟାଇଲେ । ସେ ନିଜେ ନିଜର ଚେହେରା ସକାଶେ ରୂପରେଖ ନିର୍ଣ୍ଣୟ କଲେ । ଏହାର ମୂଳମନ୍ତ୍ର ହେଉଛି ଯେ, ସେଥିରେ ଏମିତି ଉପାଦାନମାନ ରହିବ ଯାହା ପରସ୍ପରର ବିରୋଧୀ ଯଥା- ଢିଲା ପ୍ୟାଣ୍ଟ ସହ ଚିପା କୋଟ୍, ପାଦର ଆକାର ଠାରୁ ବଡ଼ ଜୋତା, ଖଣ୍ଡେ ବାଡ଼ି ଡର୍ବି ବା ବାଉଲ୍ର ଟୋପି ଯାହା କଠିନ ଓ ଶୀର୍ଷଭାଗ ଆକୃତି ଗୋଲାକାର । ତେବେ ନିଶ ପାଇଁ ଚାପଲିନଙ୍କ ପରିକଳ୍ପନା ପ୍ରମୁଖ ଥିଲା । ଏହା ଛୋଟ ହେବ, ଯାହାଫଳରେ ତାଙ୍କର ମନୋଭାବ ଓ ମୁଖଭଙ୍ଗୀ ଲୁଚିଯିବ ନାହିଁ । ତାଙ୍କର ଖୁଣ ଭାବେ କେହି କେହି ମନ୍ତବ୍ୟ ଦେଉଥିଲେ ଯେ, ସେ ନିଜ ବୟସ ତୁଳନାରେ ଅଧିକ ଟୋକାଳିଆ ଦେଖାଯାଉଛନ୍ତି । ପ୍ରତିକାର ରୂପେ ଦାନ୍ତ ଘଷିବା ପାଇଁ ବ୍ୟବହୃତ ଟୁଥବ୍ରସ୍ ପରି ନିଶ ରଖିଲେ । ଫଳରେ ତାଙ୍କ ବୟସ ବଢ଼ିବା ପରି ଜଣାଯିବ । ଏମିତି ବିଚିତ୍ର ଉପାଦାନର ସମାହାରରେ ସଜେଇ ହେଇ ମଜାଳିଆ ଢଙ୍ଗରେ ସେ ଯେଉଁ ଫିଲ୍ମରେ ପଦାର୍ପଣ କଲେ ତାହା ହେଉଛି ୧୯୧୫ରେ ମୁକ୍ତିଲାଭ କରିଥିବା ‘ଦା ଟ୍ରମ୍ପ’ । ଘରଦ୍ୱାର ନଥିବା ଓ ଏଣୁ ତେଣୁ ବୁଲୁଥିବା ଗୋଟିଏ ବେକାର ମଣିଷ । ପ୍ରକାରାନ୍ତରେ ଆବାରା ।
ଅନେକ ସମୟରେ ଚାପଲିନ ଓ ହିଟଲରଙ୍କ ନିଶ ମଧ୍ୟରେ ସାମଞ୍ଜସ୍ୟ ନେଇ ଭୁଲ୍ ଧାରଣା ଜନ୍ମିଥାଏ । ଚାପଲିନଙ୍କ ନିଶର ଆକାର କ୍ଷୁଦ୍ର ଆୟତାକାର କ୍ଷେତ୍ର ସଦୃଶ ଓ ହାସ୍ୟରସ ସୃଷ୍ଟିକରିବା ଏହାର ଲକ୍ଷ୍ୟ । ତେବେ ହିଟଲର ମଧ୍ୟ ନିଜ ନିଶକୁ ଛୋଟ କରିଥିଲେ, କାରଣ ପ୍ରଥମ ବିଶ୍ୱଯୁଦ୍ଧ ବେଳେ ଗ୍ୟାସ ମାସ୍କ ପିନ୍ଧିବା ପାଇଁ ଏହା ସୁବିଧାଜନକ ହେବା । ଉଭୟ ନିଶ ଏକାପ୍ରକାର । ମାତ୍ର ଉଦ୍ଦେଶ୍ୟ ଅଲଗା । ଗୋଟିଏ ମନୋରଞ୍ଜନ କରେ, ଅନ୍ୟଟି କ୍ରୁରତାର ପ୍ରତୀକ । ଚଳଚ୍ଚିତ୍ରରେ ନିଜର ଅବତାର ପାଇଁ ଚାପଲିନ ଯେଉଁ ଉପାଦାନମାନଙ୍କୁ ନେଇ ନିଜକୁସଜ୍ଜୀକରଣ କଲେ ତାହା ତାଙ୍କର ଏକ ଅନନ୍ୟ ପରିଚୟ ହୋଇଗଲା । ନିର୍ବାକ ଅଭିନୟ ମାଧ୍ୟମରେ ତାଙ୍କର ଠାଣି ଓ ଚାଲି ଶବ୍ଦ ଅପେକ୍ଷା ଭାବକୁ ଅଧିକ ସୁସ୍ପଷ୍ଟ ତଥା ଅନୁପମ କରିପାରୁଥିଲା । ପ୍ରାୟ ସବୁ ଫିଲ୍ମରେ ଏକା ଅବତାରରେ ଆବିର୍ଭାବ ହେଉଥିବା ତାଙ୍କ ବେଶଭୂଷା ଲୋକଙ୍କୁ ଏତେ ଆକର୍ଷିତ କଲା ଯେ ଏଥିପାଇଁ ‘ଚାପଲିନିଟି ସ’ ନାମକ ଏକ ଶବ୍ଦ ଉଦ୍ଭବ ହେଲା । ଏହାର ଏକ ଦୃଷ୍ଟାନ୍ତ ନିମ୍ନ ଘଟଣାରୁ ମିଳେ ।
୧୯୧୮ ଅଗଷ୍ଟ ମାସରେ ଲଣ୍ଡନରେ ଗୋଟିଏ ପ୍ରତିଯୋଗିତା ଆୟୋଜିତ ହେଲା । ଏଥିରେ ପ୍ରତିଯୋଗୀମାନେ ଚାପଲିନଙ୍କ ଅବତାରରେ ନିଜକୁ ପ୍ରଦର୍ଶନ କରିବେ । ଦର୍ଶକମାନେ ସର୍ବଶ୍ରେଷ୍ଠ ତିନି ଜଣଙ୍କୁ ବାଛିବେ । ସଫଳ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ । ଏଥିରେ କୁଆଡ଼େ ନିଜେ ଚାପଲିନ ଭାଗ ନେଇଥିଲେ । ଦର୍ଶକଙ୍କ ବିଚାରେ ଚାପଲିନ କୁଆଡ଼େ ଯୋଗ୍ୟତାନୁସାରେ ତାଲିକାର ବିଂଶତମ ସ୍ଥାନରେ ରହିଲେ । ଅବଶ୍ୟ ତାଙ୍କ ପୁଅର ବିବରଣୀ ଅନୁଯାୟୀ ସେ ତୃତୀୟ ସ୍ଥାନରେ ରହିଲେ । ସେ ଯାହାହେଉ, ଏହି ପରିପ୍ରେକ୍ଷୀରେ ଚାପଲିନ ନିଜକୁ ନିଜେ ପ୍ରଶ୍ନ କରିବା ସମ୍ଭବ ‘ମୁଁ କଣ ଚାପଲିନ ନୁହେଁ?’
ଅବଶ୍ୟ ଚାପଲିନ ୧୯୬୬ରେ ଏମିତି ପ୍ରତିଯୋଗିତାରେ ଭାଗ ନେବା ବିଷୟ ଅସ୍ୱୀକାର କରିଛନ୍ତି । ତେଣୁ ‘ଚାପଲିନ ଲୁକ୍-ଏ ଲାଇକ୍, ହୁ ଇଜ୍ ବେଷ୍ଟ ଚାପଲିନ’ ପରି ଯେଉଁ ସମ୍ବାଦମାନ ବହୁଳ ଭାବେ ପ୍ରଚାରିତ ଓ ବିଜ୍ଞପିତ ହେଉଥାଏ ଏଥିରେ ସତ୍ୟତା ନାହିଁ, ତଥାପି ସେ ଲୋକଙ୍କ ମଧ୍ୟରେ ଏତେ ପ୍ରିୟ ଥିଲେ ଯେ ଲୋକେ ତାଙ୍କ ପରି ହେବାକୁ ଚେଷ୍ଟିତ । ରାଜ କପୁର ‘ଆବାରା’ ଓ ‘ଶ୍ରୀ-୪୨୦’ ଫିଲ୍ମରେ ନିଶକୁ ବାଦ୍ ଦେଇ ତାଙ୍କୁ କିଛି ପରିମାଣରେ ମଧ୍ୟ ଅନୁକରଣ କରିଛନ୍ତି ।
ସେ ଯାହାହେଉ, ଲୋକେ ପ୍ରଯତ୍ନଶୀଳ ହେଲେ ତାଙ୍କ ପରି ଦେଖାଯାଇ ପାରନ୍ତି । କିନ୍ତୁ ତାଙ୍କ ପରି ହୋଇପାରିବେ ନାହିଁ । ଏହାର କାରଣ ହେଉଛି ଯେ, ସେ ଚଳଚ୍ଚିତ୍ର ସକାଶେ ନିଜ ଚେହେରା ପାଇଁ ଯେଉଁ ଉପାଦାନମାନ ନିଜେ ବାଛିଥିଲେ ତାହା ତାଙ୍କ ଅନ୍ତର୍ନିହିତ ପ୍ରତିଭାର ଆହ୍ୱାନ ଅନୁରୂପ । ଅନୁକରଣକାରୀମାନେ ‘ଜଗତେ କେବଳ ଜନେ ହସିବେ, ଏହି ହେବ ତହୁଁ ଫଳ’ ପରି ଉପହସିତ ହେବା ଅବଶ୍ୟମ୍ଭାବୀ।