ନୂଆଦିଲ୍ଲୀ,୨୮/୧୦: ଦେଶରେ ଆସ୍ଥାର ମହାପର୍ବ ଛଟ୍‌କୁ ନେଇ ଉତ୍ସବର ମାହୋଲ । ଉଦୟଗାମୀ ସୂର୍ଯ୍ଯଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି ବ୍ରତଧାରୀ । ବିଭିନ୍ନ ଘାଟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ୩୬ ଘଣ୍ଟାର ନିର୍ଜଳା ବ୍ରତ ସମ୍ପର୍ଣ୍ଣ ହୋଇଛି । ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶ ସମେତ ଦେଶର ଅନେକ ସ୍ଥାନରେ ଘାଟରେ ଶ୍ରଦ୍ଧାଳୁ ମାନେ ସୂର୍ଯ୍ୟଙ୍କୁ ପୂଜା କରିଛନ୍ତି । ପାରମ୍ପରିକ ଗୀତ ଏବଂ ପୂଜା ଦେଖିବାକୁ ମିଳିଛି । କେବଳ ସାଧାରଣ ଲୋକ ନୁହଁନ୍ତି ବରଂ ରାଜନେତା ଅଭିନେତା ମଧ୍ୟ ମହାନ ପର୍ବ ପାଳନ କରିଛନ୍ତି । ଦେଶବାସୀଙ୍କ ମଙ୍ଗଳ ଏବଂ ସମୃଦ୍ଧି ପାଇଁ ବ୍ରତ ପାଳିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଘାଟଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରୁଖୁରୁରେ କାର୍ଯ୍ୟ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ନିୟୋଜିତ ହୋଇଛି । ଛଟ୍ ପୂଜାର ବିଶେଷତ୍ୱ ​​ହେଉଛି ଲୋକମାନେ ସକାଳୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ସନ୍ଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିଥାନ୍ତି । ଆଜି (ସୋମବାର) ପର୍ବର ତୃତୀୟ ଦିନ । ଉପବାସ କରିଥିବା ମହିଳାମାନେ ଉଦୟଗାମୀ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିଛନ୍ତି ବ୍ରତ ଭାଙ୍ଗିଛନ୍ତି । ମୁମ୍ବାଇ ଓ ଥାନେର ୮୩ଟି ଘାଟରେ ସାମୂହିକ ଛଟ୍‌ ପୂଜାର ଆୟୋଜନ କରାଯାଇଛି । ଦିଲ୍ଲୀର ପ୍ରାୟ ୧୩୦୦ ଘାଟରେ ଛଟ ପୂଜା କରାଯାଉଛି । ସେଥିରୁ ଯମୁନା ନଦୀରେ ୧୭ଟି ଘାଟ କରାଯାଇଛି । 

ପର୍ବର ମହତ୍ତ୍ୱ- ଛଟ୍‌​​​​​​​ ମହାପର୍ବ କେବଳ ଧାର୍ମିକ ମହତ୍ତ୍ୱ ରଖେ ନାହିଁ, ବରଂ ପ୍ରକୃତି ପ୍ରତି କୃତଜ୍ଞତା ପ୍ରକାଶ କରିବାର ଏକ ଅନନ୍ୟ ଉପାୟ ମଧ୍ୟ । ଏହି ପର୍ବ ସୂର୍ଯ୍ୟ ଦେବତା (ଶକ୍ତି ଏବଂ ଜୀବନର ଉତ୍ସ) ଏବଂ ଛଟି ମୈୟା (ସନ୍ତାନଙ୍କୁ ସୁରକ୍ଷା ଦେଉଥିବା ଦେବୀ)ଙ୍କୁ ପୂଜା କରାଯାଏ । ଉଦୟ ଏବଂ ଅସ୍ତ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିବାର ପରମ୍ପରା ରହିଛି । ଜୀବନର ପ୍ରତ୍ୟେକ ଦିଗ (ଉଦୟ କିମ୍ବା ଅସ୍ତ)କୁ ସମ୍ମାନ କରାଯିବା ଉଚିତ୍‌ ବୋଲି ବାର୍ତ୍ତ ଦିଏ ପର୍ବ । ଛଟ ପୂଜା କେବଳ ଏକ ପର୍ବ ନୁହେଁ, ବରଂ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ । ବିହାରରେ ଏହି ପର୍ବ କେବଳ ବିଶ୍ୱାସର ପର୍ବ ନୁହେଁ, ବରଂ ଏଥର ନିର୍ବାଚନ ଋତୁ ଏଥିରେ ଏକ ରାଜନୈତିକ ମୋଡ଼ ମଧ୍ୟ ଯୋଡିଛି । ବିଧାନସଭା ନିର୍ବାଚନ ଯୋଗୁଁ, ଅନେକ ପ୍ରାର୍ଥୀ ଘାଟ ପରିଦର୍ଶନ କରିଛନ୍ତି ଏବଂ ଭକ୍ତଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ- ମହାପର୍ବ ଛଟ୍‌ର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡ଼ିଆ ଏକ୍ସରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, '' ଆଜି ସକାଳେ ଭଗବାନ ସୂର୍ଯ୍ୟଙ୍କୁ ପ୍ରାର୍ଥନା ସହିତ ମହାନ ଛଟ୍‌ ପର୍ବର ଶୁଭ ସମାପ୍ତି ହୋଇ ଛି। ଏହି ୪ ଦିନିଆ ପୂଜାରେ, ଆମେ ଆମ ମହାନ ପରମ୍ପରାର ଦିବ୍ୟ ପ୍ରକାଶନ ଦେଖିଲୁ । ଏହି ପବିତ୍ର ପର୍ବର ଅଂଶୀଦାର ଥିବା ଆମର ସମସ୍ତ ପରିବାର ସଦସ୍ୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଛଟି ମୈୟାଙ୍କ ଅସୀମ ଆଶୀର୍ବାଦ ସର୍ବଦା ଆପଣଙ୍କ ଜୀବନକୁ ଆଲୋକିତ କରୁ ।''

​​​​​​​