ବେଜିଂ: ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୀନ ଉପରେ ୧୦୦% ଟାରିଫ ଲଗାଇବା ଆହ୍ୱାନ ପରେ ଚୀନ ତୀବ୍ର ପ୍ରତିକ୍ରିୟା ଜଣାଇଛି। ନାଟୋ ଦେଶମାନଙ୍କୁ ରୁଷରୁ ତୈଳ କିଣା ବନ୍ଦ କରିବାକୁ ଆମେରିକା ପକ୍ଷରୁ କୁହାଯାଇଛି। ରୁଷ-ୟୁକ୍ରେନ ଯୁଦ୍ଧ ସହ ଜଡ଼ିତ ଥିବା ଏହି ବିବୃତି ଜାରି ହେବା ପରେ ଚିହିଙ୍କି ଉଠିଛି ଚୀନ। ଯେଉଁଥିରେ ଚାଇନାର ବୈଦେଶିକ ମନ୍ତ୍ରୀ ୱଙ୍ଗ ୟି କହିଛନ୍ତି, ଚୀନ କୌଣସି ଯୁଦ୍ଧରେ ସାମିଲ ହୋଇ ନାହିଁ ଏବଂ ଶାନ୍ତିପୂର୍ଣ୍ଣ ସମାଧାନରେ ବିଶ୍ୱାସ କରେ। ଲଗାଯାଉଥିବା ଅଧିକ ଟାରିଫ ପରିସ୍ଥିତିକୁ କେବଳ ଅଧିକ ଜଟିଳ କରିବ।

ସୂଚନା ମୁତାବକ, ଟ୍ରମ୍ପ ନାଟୋ ସଦସ୍ୟ ଦେଶଗୁଡ଼ିକୁ ରୁଷରୁ ତୈଳ ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ କରୁଥିବା ଦେଶ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଛନ୍ତି। ସେ ଚୀନକୁ ରୁଷର ପ୍ରମୁଖ ବାଣିଜ୍ୟ ଭାଗୀଦାର ଭାବେ ଚିହ୍ନିତ କରି ୧୦୦% ଟାରିଫ ଲଗାଇବାକୁ ପରାମର୍ଶ ଦେଇଛନ୍ତି ଯାହା ରୁଷ-ୟୁକ୍ରେନ ଯୁଦ୍ଧରେ ରୁଷ ଉପରେ ଆର୍ଥିକ ଚାପ ପକାଇବା ପାଇଁ ଏକ ଉଦ୍ୟମ ଭାବେ ପରିଗଣିତ ହେଉଛି। ଏହାର ଜବାବରେ ଓଙ୍ଗ ୟି, ସ୍ଲୋଭେନିଆ ଗସ୍ତ ସମୟରେ କହିଛନ୍ତି ଯେ, ଚୀନ ଯୁଦ୍ଧ ଯୋଜନା କରେ ନାହିଁ ଏବଂ ଯୁଦ୍ଧକୁ ସମାଧାନ ଭାବେ ମାନେ ନାହିଁ।

ଏହାସହ ଟ୍ରମ୍ପ ଭାରତକୁ ମଧ୍ୟ ରୁଷର ତୈଳ ଆମଦାନିକାରୀ ଦେଶ ଭାବେ ଉଲ୍ଲେଖ କରିଛନ୍ତି। ଭାରତ ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ପଶ୍ଚିମ ଦେଶମାନଙ୍କର ଧମକକୁ ଅଣଦେଖା କରି ରୁଷରୁ ଶସ୍ତା ତେଲ କିଣୁଛି, ଯାହାପାଇଁ ଅମେରିକା ବିବାଦ ସୃଷ୍ଟି କରିବା ଆରମ୍ଭ କରିଛି। ଟ୍ରମ୍ପଙ୍କ ଟାରିଫ ଆହ୍ୱାନ ଭାରତକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ଅନେକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

ରୁଷ-ୟୁକ୍ରେନ ଯୁଦ୍ଧ ୨୦୨୨ରୁ ଚାଲୁ ରହିଛି। ବିଭିନ୍ନ ପଶ୍ଚିମ ଦେଶମାନେ ରୁଷ ଉପରେ ନିଷେଧାଦେଶ ଜାରି କରିଛନ୍ତି କିନ୍ତୁ ଚୀନ ଓ ଭାରତ ରୁଷ ସହ ବାଣିଜ୍ୟ ଜାରି ରଖିଛନ୍ତି। ଚୀନର ଏହି ଉତ୍ତର ଅମେରିକା ସହ ତାର ଉତ୍ତେଜନା ବଢ଼ାଇପାରେ ଯାହା ବିଶ୍ୱ ବାଣିଜ୍ୟ ଓ ରାଜନୀତିରେ ନୂଆ ଚ୍ୟାଲେଞ୍ଜ ଆଣିପାରେ।