ଲଣ୍ଡନ,୧୬/୧୦: ସମ୍ପ୍ରତି ପୃଥିବୀ ଏକ ‘ନୂଆ ବାସ୍ତବିକତା’ ସହ ଯୁଝୁଛି । ଏହି ବାସ୍ତବିକତା ଅତ୍ୟନ୍ତ ଭୟଙ୍କର ରୂପ ନେଉଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ବିନାଶଲୀଳାର ଅୟମାରମ୍ଭ ହୋଇସାରିଛି । ଏହି ବିନାଶଲୀଳା ଏହାର ଆଦ୍ୟ ବିନ୍ଦୁରେ ଉପନୀତ ହୋଇଛି । ଅତଳ ସମୁଦ୍ର ଗର୍ଭରେ ବାସ କରୁଥିବା ସୂକ୍ଷ୍ମ ଜୀବଗୁଡ଼ିକର ମୃତ୍ୟୁ ହେଉଛି । କାଳକ୍ରମେ ସେଗୁଡ଼ିକ ନିଶ୍ଚିହ୍ନ ହୋଇଯିବା ଆଶଙ୍କା ଉପୁଜିଛି । ବିଶ୍ୱବ୍ୟାପୀ ୧୬୦ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ଏକ ଐତିହାସିକ ରିପୋର୍ଟରୁ ଏହି ଭୟାନକ ଚିତ୍ର ମିଳିଛି ।
ରିପୋର୍ଟ ଦର୍ଶାଇଛି, ମାନବ ଦିନକୁ ଦିନ ଅଧିକ ଜୀବାଶ୍ମ ଇନ୍ଧନ ଜାଳିବାରେ ଲାଗିଛି । ଏହାର ମାତ୍ରା ବଢ଼ିବାରୁ ତାପମାତ୍ରା ବୃଦ୍ଧି ପାଉଛି । ଏହାଯୋଗୁ ସାଙ୍ଘାତିକ ଗ୍ରୀଷ୍ମ ପ୍ରବାହ, ଅସ୍ୱାଭାବିକ ବନ୍ୟା, ମରୁଡ଼ି ଓ ବନାଗ୍ନି ଭଳି ଘଟଣା ଦେଖିବାକୁ ମିଳିଲାଣି । କ୍ରମେ ଏହା ସ୍ୱାଭାବିକ ଘଟଣା ହେବାରେ ଲାଗିଛି । ତେବେ ଦିଗ୍ବଳୟରେ ଏହାର ପ୍ରଭାବ ଆହୁରି ଅଧିକ ରହିଛି । ଏମିତି କି ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱର ମହତ୍ତ୍ୱପୂର୍ଣ୍ଣ ପ୍ରଣାଳୀ ବି ବିପଦମୁଖୀ । ଆମାଜନ୍ ବର୍ଷାଜଙ୍ଗଲଠାରୁ ପୋଲାର୍ ବରଫ ଚାଦର ପର୍ଯ୍ୟନ୍ତ ସନ୍ତୁଳନ ବିଗିଡ଼ିବାରେ ଲାଗିଛି । ବିଶ୍ୱବ୍ୟାପୀ ଏହା ଭୟଙ୍କର ବିନାଶଲୀଳାର ସଙ୍କେତ ଦେଉଛି । ଇଂଲଣ୍ଡସ୍ଥିତ ଏକ୍ସଟର୍ ବିଶ୍ୱବିଦ୍ୟାଳୟର ଗ୍ଲୋବାଲ୍ ସିଷ୍ଟମ୍ସ ଇନ୍ଷ୍ଟିଚ୍ୟୁଟ୍ ପ୍ରଫେସର ତଥା ସମ୍ପୃକ୍ତ ରିପୋର୍ଟ୍ର ଲେଖକ ଟୀମ୍ ଲେଣ୍ଟନ୍ କହିଛନ୍ତି, ଆମେ ବିଶ୍ୱବାସୀ ଦ୍ରୁତ ଗତିରେ ପୃଥିବୀ ପ୍ରଣାଳୀର ଏଭଳି ପରିବର୍ତ୍ତନ ବିନ୍ଦୁ ଅଭିମୁଖେ ଅଗ୍ରସର ହେଉଛେ, ଯାହା ଆମ ଦୁନିଆକୁ ବଦଳାଇ ଦେଇପାରେ । ଯାହା ଦ୍ୱାରା ମାନବ ଓ ପ୍ରକୃତି ଉପରେ ବିନାଶକାରୀ ପରିଣାମ ଦେଖିବାକୁ ମିଳିପାରେ । ଉଷ୍ମ ଜଳର ପ୍ରବାଳ ଏହାର ପ୍ରଥମ ଶିକାର ପାଲଟିଛି ।
୨୦୨୩ ପରଠାରୁ ବିଶ୍ୱର ଚଟାଣ ରେକର୍ଡ ସ୍ତରରେ ପ୍ରଭାବିତ ହୋଇଛି, କାରଣ ମହାସାଗର ରେକର୍ଡ ଉଚ୍ଚ ତାପମାତ୍ରାରେ ପହଞ୍ଚି ଯାଇଛି । ପ୍ରାୟତଃ ୮୦% ପ୍ରଭାବିତ ହୋଇଥିବା ଆକଳନ କରାଯାଇଛି । ୱାର୍ଲଡ ୱାଇଲ୍ଡଲାଇଫ୍ ଫଣ୍ଡ୍, ବ୍ରିଟେନ୍ର ମୁଖ୍ୟ ବୈଜ୍ଞାନିକ ଉପଦେଷ୍ଟା ତଥା ରିପୋର୍ଟ୍ର ସହ-ଲେଖକ ମାଇକ୍ ବ୍ୟାରେଟ୍ କହିଛନ୍ତି, ଆମେ ବର୍ତ୍ତମାନ ‘ପ୍ରବାଳ ଭିତ୍ତି’କୁ ଏହାର କ୍ଷମତା ପରାନ୍ତେ ଠେଲିଦେଇଛେ । ଏଭଳି ସ୍ଥିତିରେ ଯଦି ବିଶ୍ୱତାପନକୁ ପଲଟାଇ ଦିଆ ନ ଯାଏ, ତେବେ ଆମ ଜାଣିବାରେ ଆହୁରି ବ୍ୟାପକ ଚଟାଣ ନଷ୍ଟ ହୋଇଯିବ ।
ଏହାର ପ୍ରଭାବ ସୁଦୂରପ୍ରସାରୀ ହେବ । ପ୍ରବାଳ ଭିତ୍ତିଗୁଡ଼ିକ ସାମୁଦ୍ରିକ ପ୍ରଜାତିଙ୍କ ପାଇଁ ଏକ ଆବଶ୍ୟକ ଆବସସ୍ଥଳୀ, ଯାହା ଖାଦ୍ୟ ସୁରକ୍ଷା ନିମନ୍ତେ ମହତ୍ତ୍ୱପୂର୍ଣ୍ଣ ଏବଂ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଲକ୍ଷ ଲକ୍ଷ କୋଟି ଡଲାର ଯୋଗଦାନ ଦେଇଥାଏ ଓ ତଟବର୍ତ୍ତୀ ଅଞ୍ଚଳକୁ ବାତ୍ୟାଠାରୁ ସୁରକ୍ଷିତ ରଖିଥାଏ । ଯଦି ତାପମାତ୍ରା ବୃଦ୍ଧି ଜାରି ରୁହେ, ତେବେ ଏହାଠାରୁ ଆହୁରି ଭୟଙ୍କର ଘଟଣା ଘଟିବ ।
ରିପୋର୍ଟ ଦର୍ଶାଇଛି, ପୃଥିବୀ ଗ୍ରହ ଆହୁରି ଅନେକ ବିପଦମୁଖୀ ମୋଡ଼ର ବିନ୍ଦୁରେ ଉପନୀତ ହୋଇଛି । କାରଣ ପ୍ରାକ୍-ଶିଳ୍ପାୟନ ସ୍ତରଠାରୁ ୧.୫ ଡିଗ୍ରୀ ସେଲ୍ସିୟସ୍ ଉପରେ ତାପମାତ୍ରା ବୃଦ୍ଧିକୁ ସୀମିତ ରଖିବାର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ । ଏହି ସ୍ତର ପାର୍ କରିଯିବ । ଏହାର ବିନାଶକାରୀ ପରିଣାମ ଭୋଗିବାକୁ ହେବ । ବିଶ୍ୱର କେତେକ ଭାଗରେ ଭାରୀ ବରଫପାତ ହେବ । କିଛି ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବ । ଏଥିସହ ମୌସୁମୀ ଋତୁକୁ ଏହା ବିଗାଡ଼ିଦେବ ଏବଂ ସମୁଦ୍ର ଜଳସ୍ତର ବୃଦ୍ଧି ପାଇବ । ଆଜି ଗ୍ରହରେ ଜନ୍ମ ନେଉଥିବା ଶିଶୁ ବା ରହୁଥିବା ଲୋକଙ୍କ ଜୀବନକାଳରେ ଭୟଙ୍କର ପ୍ରଭାବ ଦେଖିବାକୁ ମିଳିବା ନେଇ ବ୍ୟାରେଟ୍ ଆଶଙ୍କା ପ୍ରକାଶ କରିଛନ୍ତି ।
ଓସ୍ଲୋ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ତଥା ମାନବ ଭୂଗୋଳ ବିଭାଗର ଗବେଷକ ଏବଂ ରିପୋର୍ଟ୍ର ଲେଖିକା ମଞ୍ଜନା ମିଲ୍କୋରିଟ୍ କହିଛନ୍ତି, ପୃଥିବୀ ଏହି ଭୟଙ୍କର ବିନ୍ଦୁକୁ ପାର୍ କରିବାକୁ ଯାଉଥିବା ବେଳେ ଏହି ପ୍ରଭାବର ମୁକାବିଲା ପାଇଁ ବିଶ୍ୱବାସୀ ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହାନ୍ତି । ତାଙ୍କ ମୁତାବକ, ବର୍ତ୍ତମାନ ପ୍ରଚଳିତ ନୀତି ଓ ଅନ୍ତର୍ଜାତୀୟ ବୁଝାମଣା କେବଳ ମନ୍ଥର ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି । ଏଭଳି ଅଚାନକ ଅପରିବର୍ତ୍ତନୀୟ ଜଳବାୟୁ ପରିବର୍ତ୍ତନ ଆଧାରରେ ତାହାକୁ ପ୍ରସ୍ତୁତ କରାଯାଇ ନାହିଁ । ଏବେ ଦେଶଗୁଡ଼ିକର ସରକାରମାନେ ଏ ବାବଦରେ ଯେଉଁଭଳି ପ୍ରତିକ୍ରିୟା ପ୍ରକାଶ କରିବେ ବା ପଦକ୍ଷେପ ନେବେ, ତାହା ଉପରେ ପୃଥିବୀ ପ୍ରଣାଳୀ ନିର୍ଭର କରିବ ।
ରିପୋର୍ଟରେ ଆହ୍ୱାନ ଦିଆଯାଇଛି ଯେ ପୃଥିବୀକୁ ଉତ୍ତପ୍ତ କରୁଥିବା ପ୍ରଦୂଷଣକୁ ଦ୍ରୁତ ବେଗରେ ରୋକିବାକୁ ହେବ । ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ମାତ୍ରା ହ୍ରାସ ଲାଗି ଅଧିକ ମନୋନିବେଶ କରିବାକୁ ପଡ଼ିବ । ବିଶ୍ୱତାପନ ୧.୫ ଡିଗ୍ରୀ ସେଲ୍ସିୟସ୍ରୁ ଉପରେ ପହଞ୍ଚି ଯିବ । କିନ୍ତୁ ଏହାଠାରୁ ଅଧିକ ତାପମାତ୍ରା ବୃଦ୍ଧିକୁ ରୋକିବା ଲାଗି ଅନ୍ତତଃ ଉଦ୍ୟମ କରାଯାଇ ପାରିବ । ବ୍ୟାରେଟ୍ କହିଛନ୍ତି, ଯଦି ଆମେ ନିର୍ଣ୍ଣାୟକ ପଦକ୍ଷେପ ନ ନିଅନ୍ତି, ତେବେ ଆମାଜନ୍ ଜଙ୍ଗଲ, ବରଫ ଚାଦର ଏବଂ ମହତ୍ତ୍ୱପୂର୍ଣ୍ଣ ସାମୁଦ୍ରିକ ଧାରାକୁ ହଜାଇଦେବା । ଏଭଳି ସ୍ଥିତିରେ ଆମେ ତମାମ ମାନବତା ପାଇଁ ପ୍ରକୃତରେ ବିନାଶକାରୀ ପରିଣାମ ଦେଖିବାକୁ ପାଇବା ।
ରିପୋର୍ଟରେ ବିଶ୍ୱରେ ଘଟୁଥିବା କେତେକ ସକାରାତ୍ମକ ଘଟଣାକୁ ନେଇ ସନ୍ତୋଷ ବ୍ୟକ୍ତ ବି କରାଯାଇଛି । ଲୋକମାନେ ସୌରଶକ୍ତି, ଇଲେକ୍ଟ୍ରିକ୍ ଯାନ ଏବଂ ବ୍ୟାଟେରି ଓ ହିଟ୍ ପମ୍ପ୍ ବ୍ୟବହାର ବୃଦ୍ଧି କରୁଥିବା ଏଥିରେ କୁହାଯାଇଛି । ଏହାର ବ୍ୟାପକତା ଦ୍ୱାରା ପ୍ରଦୂଷଣକାରୀ ପ୍ରଯୁକ୍ତିଗୁଡ଼ିକ ଆଉ ଫେରିବ ନାହିଁ । କାରଣ ସ୍ୱଚ୍ଛ ବିକଳ୍ପଗୁଡ଼ିକ ଅଧିକ ଶସ୍ତା ଓ ଉତ୍ତମ ବୋଲି ରିପୋର୍ଟ କହିଛି । ବ୍ରାଜିଲ୍ରେ ଜାତିସଂଘ ଜଳବାୟୁ ସମ୍ମିଳନୀ ‘ସିଓପି-୩୦’ ହେବାକୁ ଥିବା ବେଳେ ତାହାର ମାସକ ପୂର୍ବରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।