ଭୁବନେଶ୍ଵର, ୧୮/୧୦ : ଓପିଆରବି ଏବଂ ସରକାରଙ୍କ ବିନା ସଂପୃକ୍ତିରେ ସମ୍ଭବ ନୁହେଁ ଏସଆଇ ପରୀକ୍ଷା କେଳେଙ୍କାରୀ। ଏସଆଇ ନିଯୁକ୍ତି କେଳେଙ୍କାରୀ ନେଇ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତିଙ୍କ ନୂଆ ଅଭିଯୋଗ। ବିଜେପିର ଜଣେ ବଡ଼ ମୁଣ୍ଡ ଶଙ୍କର ପୃଷ୍ଟି ଠାରୁ ଏକ ଦାମୀ ଗାଡି ନେଇଛନ୍ତି। ଏକଥା ବହୁ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି। ସେ ବ୍ୟକ୍ତି ଜଣଙ୍କ କିଏ, ସୋରୁମ୍ରେ ଲାଗିଥିବା ସିସିଟିଭି ଯାଞ୍ଚ୍ କଲେ ସବୁ ଜଣାପଡ଼ିବ। ଖାଲି ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ କଥା କୁହାଯାଉଛି। କିଏ ଟଙ୍କା ନେଇଛନ୍ତି କ୍ରାଇମବ୍ରାଞ୍ଚ୍ ତାହାର ତଦନ୍ତ କରିବ କି ବୋଲି କଂଗ୍ରେସ ମୁଖପାତ୍ର ପ୍ରଶ୍ନ କରିଛନ୍ତି।
ସୂଚନା ଥାଉକି, ଏସଆଇ ନିଯୁକ୍ତି କେଳେଙ୍କାରୀ ଘଟଣାରେ ଅନ୍ୟତମ ମାଷ୍ଟରମାଇଣ୍ଡ୍ ମୁନା ମହାନ୍ତି ଓ ତାର ତିନି ସହଯୋଗୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ସ୍କର୍ପିଓ, ଦୁଇଟି ହାଇୱା ଓ ୭ ଲକ୍ଷ ଟଙ୍କା ଜବତ ହୋଇଛି । କ୍ରାଇମବ୍ରାଞ୍ଚ ହାତରେ ଆଉ ଏକ ବଡ଼ ସୁରାକ୍ ଲାଗିଛି। କେବଳ ବ୍ରହ୍ମପୁର ବା ବିଜୟନଗରମରେ ପିଲାଙ୍କୁ ନେଇ ପରୀକ୍ଷାରେ ବସାଇବା ଯୋଜନା ନଥିଲା। ସମାନ ଯୋଜନା ପଶ୍ଚିମବଙ୍ଗ ଦିଘାରେ ମଧ୍ୟ କରାଯାଇଥିଲା। ସେଠାରେ ପ୍ରାୟ ୧୧୦ ପିଲାଙ୍କ ପାଇଁ ବ୍ୟବସ୍ଥା ହୋଇଥିଲା। ମାତ୍ର ବିଜୟନଗରମରେ ଧରାପଡ଼ିବା ପରେ ସବୁ ପିଲା ଚମ୍ପଟ୍ ମାରିଥିଲେ। ଅନ୍ୟ ଜଣେ ଅଭିଯୁକ୍ତ ଅରବିନ୍ଦ ଦାସ ଏଠାକାର ଦାୟିତ୍ଵ ନେଇଥିଲେ। ସେ ପୂର୍ବରୁ ଗିରଫ ହୋଇସାରିଛି। ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ସବୁ ବିଷୟ ଦିଲ୍ଲୀରେ ରହି କଣ୍ଟ୍ରୋଲ କରୁଥିଲା। ତାକୁ ଧରିବା ପାଇଁ ଏବେ ବିଭିନ୍ନ ରାଜ୍ୟରେ ଚଢାଉ ଜାରି ରହିଛି। ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟାରେ ମୋଟ ୪୦ ଜଣ ଅଧିକାରୀ ସାମିଲ ଅଛନ୍ତି। ଜଣେ ଡିଆଇଜିଙ୍କ ସହିତ ଦୁଇ ଏସପି ଏହାକୁ ଅନୁଧ୍ୟାନ କରୁଛନ୍ତି । ଏହା ମଧ୍ୟରେ ମୁନା ଓ ଅରବିନ୍ଦକୁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଛି।