ନୂଆଦିଲ୍ଲୀ ୨୨/୦୯: ପାକିସ୍ତାନରେ ଏକ ନୂଆ ଡେଟିଂ ଶୋ’ ‘ଲଜାୱଲ ଇସ୍କକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଏହା ଇସ୍‌ଲାମୀୟ ମୂଲ୍ୟବୋଧ ବିରୋଧୀ ହୋଇଥିବା ଦର୍ଶାଇ ସୋସିଆଲ୍‌ ମିଡିଆରେ ଲୋକେ ଏହାକୁ ବୟକଟ୍‌ କରିବାକୁ ଦାବି କରୁଛନ୍ତି । ଆଗାମୀ ୨୯ ତାରିଖରେ ଶୋଟି ୟୁଟ୍ୟୁବ୍‌ରେ ରିଲିଜ୍‌ ହେବ । ଏହା ଲଭ୍‌ ଆଇଲ୍ୟାଣ୍ଡଭଳି ଅନ୍ତର୍ଜାତୀୟ ଶୋରୁ ପ୍ରେରିତ ହୋଇଥିବା କୁହାଯାଉଛି ।

ସୂଚନା ଅନୁସାରେ, ଏହି ଶୋରେ ୪ ଜଣ ପୁରୁଷ ଓ ୪ ଜଣ ମହିଳା ଇସ୍ତାନବୁଲ୍‌(ତୁର୍କୀ)ର ଏକ ବିଳାସମୟ ବଙ୍ଗଳାରେ ଏକାଠି ରହିବେ । ସେଠାରେ ସେମାନଙ୍କର ସବୁ ଗତିବିଧି କ୍ୟାମେରାରେ ରେକର୍ଡ ହେବ । ପ୍ରତିଯୋଗୀମାନେ ଭିନ୍ନ ଭିନ୍ନ ଟାସ୍କରେ ଭାଗ ନେବେ । ଶେଷରେ ଏକ ଯୋଡି଼ ବିଜୟୀ ଘୋଷିତ ହେବ । ଏହାର ୧୦୦ଟି ଏପିସୋଡ୍‌ ବନାଯିବ । ପାକିସ୍ତାନୀ ଅଭିନେତ୍ରୀ, ଗାୟିକା ଓ ମଡେଲ୍‌ ଆୟଶା ଉମର ଏହାକୁ ଉପସ୍ଥାପନ କରିବେ । ତେବେ ସେଠାକାର ଧାର୍ମିକ ସମୂହ ଏହାକୁ ଅଣଇସ୍‌ଲାମୀୟ ଆଖ୍ୟା ଦେଇଛନ୍ତି । ଏହା ପାଶ୍ଚାତ୍ୟ ସଂସ୍କୃତିର ନକଲ ବୋଲି ଦର୍ଶାଯାଉଛି । କିଛି ଧାର୍ମିକ ସମୂହ ଏହାକୁ ରୋକିବାକୁ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ବି ଦେଇଛନ୍ତି । କାରଣ ପାକିସ୍ତାନରେ ବିବାହ ପୂର୍ବରୁ କୌଣସି ପୁରୁଷଙ୍କ ସହ ସଂପର୍କ ସ୍ଥାପନ କିମ୍ବା ଡେଟ୍‌ କରିବାକୁ ଅନୁଚିତ୍‌ ବୋଲି ମନେ କରାଯାଏ । ଏପରିସ୍ଥଳେ ସୋସିଆଲ୍‌ ମିଡିଆରେ ଲୋକେ ଏହି ଶୋକୁ ବୟକଟ୍‌ କରିବାକୁ ଦାବି କରୁଛନ୍ତି ।

ଶୋର ପ୍ରମୋ ସେପ୍ଟେମ୍ବର ୧୫ରେ ରିଲିଜ୍‌ ହୋଇଥିଲା । ସେବେଠାରୁ ସୋସିଆଲ୍‌ ମିଡିଆରେ ବୟକଟ୍‌ଲଜାୱଲଇସ୍କ ହ୍ୟାଶ୍‌ ଟ୍ୟାଗ୍‌ ଭଳି ଅଭିଯାନ ଆରମ୍ଭ ହୋଇଯାଇଛି । ସେପଟେ ଦେଶର ଇଲୋକ୍ଟ୍ରୋନିକ୍‌ ମିଡିଆ ରେଗୁଲେଟରି ଅଥରିଟି ଶନିବାର କହିଛି ଯେ, ‘ଲଜାୱଲ ଇସ୍କକୌଣସି ସ୍ୱୀକୃତିପ୍ରାପ୍ତ ଟିଭି ଚ୍ୟାନେଲ୍‌ରେ ପ୍ରସାରିତ ହେଉନାହିଁ । ଏହା ୟୁଟ୍ୟୁବ୍‌ରେ ରିଲିଜ୍‌ ହେବ । ସେମାନଙ୍କ ନିକଟରେ ୟୁଟ୍ୟୁବ୍‌କୁ ନିୟନ୍ତ୍ରଣ କରିବାର ଅଧିକାର ନାହିଁ । ଇତିମଧ୍ୟରେ ଶୋର ଉପସ୍ଥାପିକା ଅଭିନେତ୍ରୀ ଆୟଶା ଉମର କହିଛନ୍ତି, ଏହି ଶୋପ୍ରେମ, ବନ୍ଧୁତ୍ୱ ଓ ପ୍ରତିଯୋଗିତାର ମିଶ୍ରଣ । ଏହା ଦର୍ଶକମାନଙ୍କୁ ଭାବନାତ୍ମକ ଓ ନାଟକୀୟ ଅନୁଭବ ଦେବ । ଏହାକୁ ପାକିସ୍ତାନୀ ସଂସ୍କୃତି ଅନୁସାରେ ପ୍ରସ୍ତୁତ କରାଯାଇଛି ।