ନୂଆଦିଲ୍ଲୀ: ଦୀପାବଳି ଏବଂ ଛଠ୍ ପୂର୍ବରୁ, ଦିଲ୍ଲୀରୁ ନିଜ ଘରକୁ ଯାଉଥିବା ଲୋକମାନେ ରେଳ ଷ୍ଟେସନ ଏବଂ ବସ୍ ଷ୍ଟାଣ୍ଡରେ ଭିଡ ଜମାଇବାରେ ଲାଗିଛନ୍ତି। ପର୍ବ ପାଇଁ ଲକ୍ଷ ଲକ୍ଷ ଯାତ୍ରୀ ଘରକୁ ଯିବା ପାଇଁ ନୂଆ ଦିଲ୍ଲୀ ରେଳ ଷ୍ଟେସନ, ପୁରୁଣା ଦିଲ୍ଲୀ, ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନ, କାଶ୍ମୀର ଗେଟ୍ ସହିତ ଆନନ୍ଦ ବିହାର ଆଇଏସବିଟିରେ ପହଞ୍ଚିବାରେ ଲାଗଛନ୍ତି। ଏପରି ପରିସ୍ଥିତିରେ, ୟୁପି-ବିହାର ଯାଉଥିବା ରୁଟ୍‌ଗୁଡ଼ିକରେ ଅତିରିକ୍ତ ବସ୍ ସେବା ଆରମ୍ଭ କରାଯାଇଛି। ରେଳ ଷ୍ଟେସନରେ ପହଞ୍ଚିଥିବା ଲୋକମାନେ ଏନେଇ ମତ ରଖି କହିଛନ୍ତି ଯେ ସେମାନେ କୌଣସି ପ୍ରକାରରେ ହେଉ ଟ୍ରେନ୍ ଚଢ଼ିବାକୁ ଚାହାଁନ୍ତି, ଯଦି ସେମାନଙ୍କୁ ଗୋଟିଏ ସିଟ୍ ମଧ୍ୟ ମିଳେ ତେବେ ସେମାନେ ନିଜ ନିଜ ଘରକୁ ଖୁସିରେ ଯାଇପାରିବେ।

ଅକ୍ଟୋବର ୨୦ ତାରିଖରେ ଦୀପାବଳି ପୂର୍ବରୁ, ରାଜଧାନୀ ଦିଲ୍ଲୀରେ ଉତ୍ସବ ଜନିତ ଯାତ୍ରା ବୃଦ୍ଧି ପାଉଛି। ଦୂରଗାମୀ ଟ୍ରେନ୍, ଇଣ୍ଟରସିଟି ବସ୍ ଏବଂ ଘରୋଇ କ୍ୟାବ୍ ପ୍ରାୟ ପୂର୍ଣ୍ଣ କ୍ଷମତାରେ ଚଳାଚଳ ଜାରି ରଖିଛନ୍ତି। ଘରୋଇ ବସ୍ ଅପରେଟରଙ୍କଠାରୁ ଆରମ୍ଭ କରି ଭାରତୀୟ ରେଳବାଇ ପର୍ଯ୍ୟନ୍ତ, ସବୁଠି ଶହ ଶହ ଅତିରିକ୍ତ ସେବା ଆରମ୍ଭ କରାଯାଇଛି।

ଅନ୍ୟପକ୍ଷରେ, ବଢ଼ୁଥିବା ଚାହିଦା ମଧ୍ୟରେ ଘରୋଇ ବସ୍ ଅପରେଟରମାନେ ଭଡ଼ା ଦରରେ ବହୁତ ବୃଦ୍ଧି କରିଛନ୍ତି। ସାଧାରଣ ପରିବହନ ସଂସ୍ଥାଗୁଡ଼ିକ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ବେଳେ, ଚାହିଦା ଏବଂ ଗନ୍ତବ୍ୟସ୍ଥଳ ଉପରେ ନିର୍ଭର କରି ଘରୋଇ ବସ୍ ଭଡ଼ା ସାଧାରଣ ଭଡ଼ାର ତିନି ଗୁଣ ଯାଏ ବୃଦ୍ଧି ପାଇଛି। ଦିଲ୍ଲୀରୁ କାନପୁରକୁ ଯାଉଥିବା ଏକ ସ୍ଲିପର୍ କୋଚ୍ ଟିକେଟ୍, ଯାହାର ମୂଲ୍ୟ ସାଧାରଣତଃ ୬୦୦ ଟଙ୍କା ମଧ୍ୟରେ ରହିଥାଏ, ବର୍ତ୍ତମାନ ଏହା ୨୦୦୦ ରୁ ୨୫୦୦ ଟଙ୍କା ଅଧିକ ମୂଲ୍ୟରେ ବିକ୍ରି ହେଉଛି।

ପାର୍ବଣ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ଅକ୍ଟୋବର ରୁ ନଭେମ୍ବର ୧୫ ମଧ୍ୟରେ ପ୍ରାୟ ୧୨ ହଜ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଘୋଷଣା କରିଛି। ନୂଆଦିଲ୍ଲୀ ରେଳ ଷ୍ଟେସନରେ ଏକ ମିନି କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି, ଯେଉଁଠାରେ ଷ୍ଟେସନରେ ସ୍ଥାପିତ ସିସିଟିଭି କ୍ୟାମେରା ବ୍ୟବହାର କରି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଛି। ତେଣୁ, ପାର୍ବଣ ଋତୁରେ ଯାତ୍ରୀମାନଙ୍କ ପାଇଁ ବ୍ୟବସ୍ଥା ଉପରେ ନଜର ରଖାଯାଇଛି।