ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଚିନ୍ଦୱାରା ଜିଲ୍ଲାରେ କଫ୍ସିରପ ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟି ୧୬ରେ ପହଞ୍ଚିଛି। ମଙ୍ଗଳବାର ଚିକିତ୍ସିତ ହେଉଥିବା ଦୁଇଜଣ ପିଲାଙ୍କ କିଡନୀ ଫେଲ ହୋଇଯିବା ଯୋଗୁଁ ମୃତ୍ୟୁବରଣ କରିଥିବା ଅଧିକାରୀମାନେ ସୂଚନା ପ୍ରକାଶ କରିଛନ୍ତି। ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଧିରେନ୍ଦ୍ର ସିଂ ଏନେଇ ସୂଚନା ପ୍ରଦାନ କରି କହିଛନ୍ତି ଯେ, “ବର୍ତ୍ତମାନ ସୁଦ୍ଧା ୧୬ ଜଣ ଶିଶୁଙ୍କ ମୃତ୍ୟୁ ଘଟି ସାରିଲାଣି। ଆଜି ଜଣେ ବାଳିକାଙ୍କ ସମେତ ଆଉଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି।”
କବର ମୁତାବକ, କୋଲ୍ଡରିଫ ନାମକ ଏକ କଫ୍ସିରପ ଖାଇ ଶିଶୁମାନଙ୍କର ମୃତ୍ୟୁ ଘଟିଛି। ଏହି କଫ୍ସିରପ ର ସାମ୍ପଲରୁ ଭୟଙ୍କର ବିଷାକ୍ତ ଉପାଦାନ ମିଳିଥିବା ଜଣାପଡିଛି। ପୂର୍ବରୁ, ରାଜ୍ୟ ସରକାର ସମାନ ସିରପ ଖାଇବା ପରେ ଜିଲ୍ଲାରେ ୧୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା କଥା ନିଶ୍ଚିତ କରିଥିଲେ।
ଜାତୀୟ ଖବର ସରବରାହ ସଂସ୍ଥା ପିଟିଆଇ ପ୍ରକାସିତ କରିଥିବା ରିପୋର୍ଟ ମୁତାବକ, ଜୟେଶୁ ଯଦୁବଂଶୀ ନାମକ ଜଣେ ଦୁଇ ବର୍ଷର ବାଳିକା ନାଗପୁର ସ୍ଥିତ ସରକାରୀ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଦିନକ ପୂର୍ବରୁ, ଅଢେଇବର୍ଷର ଧନୀ ଦେହରିଆ ମଧ୍ୟ ସମାନ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ।
ମୃତ ଶିଶୁମାନଙ୍କ ପରିବାର ଲୋକମାନେ ଦେଇଥିବା ସୂଚନା ଅନୁଯାୟୀ ସ୍ଥାନିୟ ଡାକ୍ତରଙ୍କ ପରାମର୍ଶ କ୍ରମେ ଏହି ସିରପ ପିଲାମାନଙ୍କୁ ଖାଇବାକୁ ଦିଆଯାଇଥିଲା। ଯାହାପରେ ସେମାନଙ୍କ କିଡନୀ ଫେଲ୍ ହୋଇଯିବା ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ମଧ୍ୟ ୬ଜଣ ଶିଶୁଙ୍କର ବିଭିନ୍ନ ଡାକ୍ତରଖାନରେ ଚିକିତ୍ସା ଜାରି ରହିଛି। ତେବେ ସେମାନଙ୍କ ମଦ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏଥିନିମନ୍ତେ ରାଜ୍ୟ ସରକାର ଦୁଇଜଣ ଡ୍ରଗ ନିରିକ୍ଷକଙ୍କୁ ବହିଷ୍କର କରିବା ସହ ଜଣେ ଖାଦ୍ୟ ଏବଂ ଡ୍ରଗ ପ୍ରଶାସନ(FDA)ର ଉପନିର୍ଦ୍ଦେଶକଙ୍କୁ ବଦଳି କରିଛନ୍ତି।
ଏହି ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଯାଞ୍ଚ କମିଟି(SIT)ର ଗଠନ କରାଯାଇଛି। ଏହାଛଡା ଏହି ମେଡିସିନ ଖାଇବାକୁ ଳେଖିଥିବା ଡାକ୍ତର ପ୍ରବିନ ସୋନିକୁ ମଧ୍ୟ ପୁଲିସ ଗିରଫ କରିଛି। ଏହାଛଡା ତାମିଲନାଡୁର ଯେଉଁ କମ୍ପାନି କୋଲ୍ଡରିଫ ସିରପ ବନାଏ ତା ଉପରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି।