କଟକ,୦୭/୧୦:  ଅଧା ଓଡ଼ିଶାକୁ ଖାଦ୍ୟ  ସାମଗ୍ରୀ ଯୋଗାଉଥିବା  ମାଲଗୋଦାମ୍‌ରେ ଚାରି  ଦିନ ହେଲା ତାଲା । କୁମାର  ପୂର୍ଣ୍ଣିମା ପାଇଁ ଯେଉଁଠି କପଡ଼ା  ବଜାର ଉଛୁଳି ପଡ଼ିଥାନ୍ତା  ସେଠି ନିରବତା ଛାଇ ଯାଇଛି । ପନିପରିବାର ବଡ଼ ବଜାର  ଛତ୍ରବଜାର ଦିନତମାମ୍‌ ଖାଁ ଖାଁ ଥିଲା । ସ୍ୱାସ୍ଥ୍ୟ ରାଜଧାନୀ କୁହାଯାଉଥିବା କଟକର ଏସ୍‌ସିବି ମେଡିକାଲ୍‌ ସମେତ ସରକାରୀ  ଓ ଅଧିକାଂଶ ଘରୋଇ ନର୍ସିଂହୋମ୍‌, ଯେଉଁଠି ରୋଗୀ ହାଉଯାଉ  ହେଉଥାନ୍ତି, ସେସବୁ ସ୍ଥାନ ଖାଲି । ଆଜିକା ସମୟରେ ୟୁପିଆଇରେ  ଅଧିକାଂଶ କାରବାର ଚାଲୁଥିବା ବେଳେ ଇଣ୍ଟରନେଟ୍‌ ସେବା ବନ୍ଦ ପାଇଁ ୟୁପିଆଇରେ କାରବାର ହୋଇ ନପାରିବାରୁ ବ୍ୟବସାୟିକ  କାର୍ଯ୍ୟ ମଧ୍ୟ ହୋଇପାରିନାହିଁ । ଫଳରେ ସହରର ପୂରା ବ୍ୟବସାୟୀକ  କାରବାର ଠପ୍‌ ହୋଇଯାଇଛି । ଏଥିଯୋଗୁଁ ପ୍ରାୟ ୫୦୦ କୋଟି  ଟଙ୍କାର କ୍ଷତି ହୋଇଥିବା ଆକଳନ କରାଯାଇଛି ।

କର୍ଫ୍ୟୁ ଯୋଗୁଁ ବ୍ୟବସାୟୀକ ପେଣ୍ଠ ଭାବେ କଟକ ସମ୍ପୂର୍ଣ୍ଣ  ଠପ୍‌ ହୋଇଯାଇଥିଲା । ବନ୍ଦ ପ୍ରଭାବରେ ସବୁଠାରୁ ଅଧିକ  ପ୍ରଭାବିତ ହୋଇଛି ମାଲଗୋଦାମ । କାରଣ ମାଲଗୋଦାମ ଦଶହରା ଦିନଠାରୁ ବନ୍ଦ ରହିଥିଲା । ଦଶହରା ପରଦିନ ଭସାଣି ପାଇଁ ମଧ୍ୟ ମାଲଗୋଦାମ ବନ୍ଦ ରଖାଯାଇଥିଲା । ଶନିବାର ମାଲଗୋଦାମ ଖୋଲିଥିଲା । କିନ୍ତୁ ଏତେ କାରବାର ହୋଇପାରିନଥିଲା । ପୁନର୍ବାର ରବିବାର ମାଲଗୋଦାମ ବନ୍ଦ ରହିବା ପରେ ସୋମବାର  ଖୋଲାଯିବାକୁ ନିଷ୍ପତ୍ତି  ହୋଇଥିଲା । କିନ୍ତୁ ଭସାଣି ପରବର୍ତ୍ତୀ ଗଣ୍ଡଗୋଳ ପାଇଁ ଗତକାଲି  କଟକ ବନ୍ଦ ଡାକରା ଦିଆଯିବା ପରେ ଏହି ସ୍ଥିତିର ମୁକାବିଲା ପାଇଁ  ପ୍ରଶାସନକୁ କର୍ଫ୍ୟୁ ଘୋଷଣା କରିବାକୁ ପଡ଼ିଲା । ଫଳରେ  ମାଲଗୋଦାମର ସବୁ କାରବାର ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା ।  

କଟକ ଚାମ୍ବର ଅଫ୍‌ କମର୍ସର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ  ଛାଟୋଇ କହିଛନ୍ତି ଯେ, ମାଲଗୋଦାମରେ ଦୈନିକ ପ୍ରାୟ ୫୦ରୁ ୬୦କୋଟି ଟଙ୍କାର କାରବାର ହୋଇଥାଏ । କିନ୍ତୁ ଗତ ତିନିଦିନ  ଧରି ମାଲଗୋଦାମ ବନ୍ଦ ରହିବା ଫଳରେ ଏବେ ବଜାରରେ  ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ସଙ୍କଟ ଦେଖାଦେବାର ଆଶଙ୍କା  ରହିଛି । କାରଣ ବଜାରରୁ ଖାଦ୍ୟ ସାମଗ୍ରୀ ସରି ଆସୁଛି ।  ଦଶହରା ପୂର୍ବରୁ ବ୍ୟବସାୟୀମାନେ ଡାଲି, ତେଲ ଆଦି ସାମଗ୍ରୀ  ନେଇଥିଲେ । ଦଶହରା ପରେ ପୁଣି ବ୍ୟବସାୟ ଆରମ୍ଭ ହେବା  କଥା । କିନ୍ତୁ ଦଶହରା ପରେ ମଧ୍ୟ ମାଲଗୋଦାମ ଖୋଲି  ନପାରିବାରୁ ଏହା କେବଳ ବ୍ୟବସାୟିକ କ୍ଷତି ପହଞ୍ଚାଉନାହିଁ  ଖାଉଟିମାନଙ୍କ ସମସ୍ୟା ବଢ଼ାଇ ଦେଇଛି । ଯଦି ଆଉ ଦିନେ ଦୁଇଦିନ ଏହି ସ୍ଥିତି ଲାଗିରହେ ମାଲଗୋଦାମରୁ ଡାଲି, ତେଲ  ଆଦି ସାମଗ୍ରୀ ନେଉଥିବା ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଅଭାବ  ଦେଖାଦେବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଅନ୍ୟପକ୍ଷରେ  ଇଣ୍ଟରନେଟ୍‌ ବନ୍ଦ ପାଇଁ ବ୍ୟାଙ୍କ୍‌ କାରବାର ହୋଇପାରୁନଥିବାରୁ  ଅନ୍ୟ ରାଜ୍ୟରୁ ମଧ୍ୟ ଡାଲି, ତେଲ ଆଦି ସାମଗ୍ରୀ ଆସିବାରେ  ସମସ୍ୟା ଦେଖାଦେଇଛି ।  ବିଭିନ୍ନ ରୋଗର ଚିକିତ୍ସା ପାଇଁ ଦୈନିକ ହଜାର ହଜାର  ସଂଖ୍ୟାରେ ରୋଗୀ ସ୍ୱାସ୍ଥ୍ୟ ରାଜଧାନୀ କଟକକୁ ଆସିଥାନ୍ତି । ଏଠି  ରାଜ୍ୟର ସର୍ବବୃହତ ଏସ୍‌ସିବି ମେଡିକାଲ୍‌, ଶିଶୁ ଭବନ, କ୍ୟାନ୍‌ସର୍‌  ହସ୍ପିଟାଲ ସହ ବହୁ ଘରୋଇ ମେଡିକାଲ୍‌, ନର୍ସିଂହୋମ୍‌ ଆଦି  ରହିଛି । ସୋମବାର କଟକ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ରୋଗୀମାନେ ମଧ୍ୟ  କଟକ ଆସିପାରିନଥିଲେ । ମେଡିକାଲ୍‌, ନର୍ସିଂହୋମ୍‌ ଗୁଡ଼ିକ ଖାଁ  ଖାଁ ଥିଲା । ବହୁ ସ୍ଥାନରେ ବନ୍ଦ ଭୟରେ ମେଡିସିନ୍‌ ଷ୍ଟୋର୍‌ ମଧ୍ୟ  ବନ୍ଦ ରହିଥିଲା । ଦୈନିକ ପ୍ରାୟ ୫୦ କୋଟି ଟଙ୍କାର କାରବାର୍‌  ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ଅନ୍‌ଲାଇନ୍‌ ଦ୍ୱାରା ପରିଚାଳିତ  ହେଉଥିବା ୟୁପିଆଇ ନଚାଲିବାରୁ ଆର୍ଥିକ କାରବାର ବଡ଼ ସମସ୍ୟା  ସୃଷ୍ଟି ହୋଇଛି । ଏବେ କ୍ୟାସ୍‌ ଅପେକ୍ଷା ୟୁପିଆଇ କାରବାର  ଉପରେ ଅଧିକାଂଶ ଲୋକେ ନିର୍ଭରଶୀଳ । ନେଟ୍‌ ନଥିବାରୁ  ଲୋକେ ୟୁପିଆଇରେ କାରବାର କରିପାରି ନଥିଲେ ।  ଅପରପକ୍ଷରେ ଏଟିଏମ୍‌ରୁ ମଧ୍ୟ ପଇସା ଉଠାଇବା ସମ୍ଭବ  ହୋଇପାରିନଥିଲା । ଫଳରେ ଆର୍ଥିକ କାରବାର ବାଧାପ୍ରାପ୍ତ ହୋଇଛି ।  ଦଶହରା ଯାଇଥିଲେ ମଧ୍ୟ କପଡ଼ା ବଜାର ବ୍ୟବସାୟରେ  ମାନ୍ଦାବସ୍ଥା ଆସିନଥିଲା । କାରଣ ସୋମବାର ଓ ମଙ୍ଗଳବାର ଦୁଇ ଦିନ ପାଇଁ କୁମାର ପୂର୍ଣ୍ଣିମା ପାଳନ ହେବାର ଥିବାରୁ  ବ୍ୟବସାୟ ବଢିବା ଆଶା କରାଯାଉଥିଲା । କିଛି ସ୍ଥାନରେ ସୋମବାର  କୁମାର ପୂର୍ଣ୍ଣିମା ପାଳନ ହୋଇଥିଲାବେଳେ ମଙ୍ଗଳବାର କିଛି  ସ୍ଥାନରେ କୁମାର ପୂର୍ଣ୍ଣିମା ପାଳନ ହେବ ବୋଲି ଜଣାପଡ଼ିଛି ।  ଏଥିପାଇଁ କପଡ଼ା ବଜାରରେଗହଳି ହେବ ବୋଲି ଆଶା  କରାଯାଉଥିଲା । କୁମାର ପୂର୍ଣ୍ଣିମା ପାଇଁ ଝିଅମାନଙ୍କ ଷ୍ଟେସନାରୀ  ସାମଗ୍ରୀ ବଜାର ମଧ୍ୟ ଚାହିଦାରେ ରହିଥାନ୍ତା । କିନ୍ତୁ  ବଜାର  ବନ୍ଦ ହୋଇଯିବାରୁ ଏସବୁ ବ୍ୟବସାୟ ସମ୍ପୂର୍ଣ୍ଣ ଫିକା ପଡ଼ିଯାଇଛି ।

 ଦଶହରା ଚାରିଦିନ ଆଗରୁ କଟକରେ ୱାନ୍‌-ୱେ ଟ୍ରାଫିକ୍‌  କଟକଣା ଲାଗୁ ହୋଇଥିଲା । ଏହି କଟକଣା ଯୋଗୁଁ କଟକ  ସହରର ବ୍ୟବସାୟୀକ ପେଣ୍ଠସ୍ଥଳୀ ନୟାସଡ଼କ, ପିଠାପୁର,  ଝୋଲାସାହି, ଚୌଧୁରୀ ବଜାରରେ ବ୍ୟବସାୟ ବାଧାପ୍ରାପ୍ତ  ହୋଇଥିଲା । ଦଶହରା ପରେ କୁମାର ପୂର୍ଣ୍ଣିମା ପାଇଁ ପୁଣି  ଥରେ ବେପାର ଜୋର୍‌ ଧରିବ ବୋଲି ଆଶା କରାଯାଉଥିଲା ।  କିନ୍ତୁ ଭସାଣି ପରର ଗଣ୍ଡଗୋଳ ଏବଂ ଏହା ପରେ କର୍ଫ୍ୟୁ ପାଇଁ  ଏହିସବୁ ଅଞ୍ଚଳରେ ବେପାର ଠପ୍‌ ହୋଇଯାଇଛି । ଛତ୍ରବଜାର  ମଧ୍ୟ ଆଜି ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ କଟକ ବିଭିନ୍ନ ଜିଲ୍ଲା  ତଥା ରାଜ୍ୟରୁ ଆସୁଥିବା ପରିବା ଗାଡ଼ି କଟକ ବାହାରେ ଛିଡ଼ା  ହୋଇଛି । କର୍ଫ୍ୟୁ ଯୋଗୁଁ କଟକରେ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍‌  ହୋଇଯାଇଥିବାରୁ ପ୍ରାୟ ୫୦୦ କୋଟି ଟଙ୍କାର କାରବାର କ୍ଷତି  ହୋଇଥିବା ଆକଳନ କରାଯାଉଛି ।