ନୂଆଦିଲ୍ଲୀ ୦୮/୦୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ସବୁଠୁ ସଫଳତମ କ୍ୟାପଟେନ୍‌ଙ୍କ ମଧ୍ୟରେ ଅନ୍ୟତମ ମହେନ୍ଦ୍ର ସିଂହ ଧୋନି ଏବେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ଅଭିନୟ ଜଗତରେ ପାଦ ରଖିଛନ୍ତି ସେ । ଶୀଘ୍ର ତାଙ୍କୁ ଅଭିନେତା ଆର୍‌. ମାଧବନ୍‌ଙ୍କ ସହ ଦ ଚେଜ୍‌ରେ ଦେଖିବାକୁ ମିଳିବ । ରବିବାର ମାଧବନ୍‌ ଏହାର ଟିଜରକୁ ନିଜ ସୋସିଆଲ୍‌ ମିଡିଆ ହ୍ୟାଣ୍ଡଲରେ ସେୟାର କରିଛନ୍ତି । ସେଥିରେ ଉଭୟଙ୍କୁ କଳା ରଙ୍ଗର କମାଣ୍ଡୋ ପୋଷାକ, ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌ ଓ ସନ୍‌ ଗ୍ଲାସ୍‌ ପିନ୍ଧିଥିବା ଦେଖିବାକୁ ମିଳୁଛି । ହାତରେ ବନ୍ଧୁକ ଧରି ସେମାନେ ଅପରାଧୀଙ୍କ ଉପରେ ଆଖିବୁଜା ଗୁଳିବର୍ଷଣ କରୁଛନ୍ତି ।

କ୍ୟାପସନ୍‌ରେ ମାଧବନ୍‌ ଲେଖିଛନ୍ତି, ଗୋଟିଏ ମିସନ୍‌ରେ ଦୁଇ ଯୋଦ୍ଧା । ଦର୍ଶକେ ପ୍ରସ୍ତୁତ ହୁଅନ୍ତୁ, ଧମାକାଦାର ଚେଜ୍‌ଆରମ୍ଭ ହେବାକୁ ଯାଉଛି । ତେବେ ଏହା ଫିଲ୍ମ କିମ୍ବା ୱେବସିରିଜ୍‌ ତାହା ସ୍ପଷ୍ଟ ହୋଇନାହିଁ । ବସନ୍‌ ବାଲା ଏହାର ନିର୍ଦ୍ଦେଶନାରେ ଅଛନ୍ତି । ଏହା ପୂର୍ବରୁ ଧୋନି ଏକ ତାମିଲ ଫିଲ୍ମରେ କ୍ଷୁଦ୍ର ଭୂମିକାରେ ନଜର ଆସିଥିଲେ । ଏପରିସ୍ଥଳେ ଦ ଚେଜ୍‌ଜରିଆରେ ସେ ଆନୁଷ୍ଠାନିକ ଭାବେ ଅଭିନୟ ଜଗତରେ ପ୍ରବେଶ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।