ମାଲକାନଗିରି,୩/୧୦ : ଦଶହରା ପୂଜା ସରିଯାଇଛି, ଆଜିଠାରୁ ମା‘ଦୁର୍ଗାଙ୍କ ଭସାଣି ଉତ୍ସବ ଆରମ୍ଭ ହୋଇଛି । ମାଲକାନଗିରି ସହର ଡିଏନକେ ଛକ ଓ ଦଣ୍ଡକାରଣ୍ୟ ମଇଦାନ ନିକଟ ସାର୍ବଜନୀନ ପୂଜାମଣ୍ଡପରେ ମା‘ଦୁର୍ଗାଙ୍କ ଭସାଣି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ବଙ୍ଗୀୟ ସମ୍ପ୍ରଦାୟ ମହିଳାମାନଙ୍କ ସିନ୍ଦୁର ଖେଳ । ଦୁର୍ଗା ମଣ୍ଡପରେ ବଙ୍ଗୀୟ ସଂପ୍ରଦାୟର ମହିଳାଙ୍କ ସିନ୍ଦୁର ଖେଳ ଦେଖିବାକୁ ଶତାଧିକ ମହିଳା ଓ ପୁରଷଙ୍କ ସହ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗିଥିଲା । ଶତାଧିକ ସଧବା ଓ ନୂଆ ବିବାହିତା ବଙ୍ଗିୟ ଭାଷାଭାଷି ମହିଳାମାନେ ହାତରେ ପୂଜା ଥାଳି ଧରି ପୁଜାମଣ୍ଡପ ନିକଟରେ ପହଁଚିଥିଲେ ।
ଧୂପ, ଦୀପ, ମିଠା, ଭୋଗ, ସିନ୍ଦୁର, ପାନପତ୍ର ନେଇ ମା’ଦୁର୍ଗାଙ୍କୁ ପ୍ରଥମେ ବନ୍ଦାପନା କରି ମା’ଙ୍କ ମୁଣ୍ଡରେ ସିନ୍ଦୁର ଲଗାଇ ମିଠା ଓ ପାନ ଖୁଆଇଥିଲେ । ବନ୍ଦାପନାପରେ ମା’ଙ୍କ ସମ୍ମୁଖରେ ନିଜ ନିଜ ମଧ୍ୟରେ ସିନ୍ଦୁର ବୋଳାବୋଳି ହୋଇ ସିନ୍ଦୁର ଖେଳ ଖେଳି କୋଳାକୋଳି ହୋଇ ପରସ୍ପରଙ୍କୁ ମିଠା ଖୁଆଇ, ପରିବାର, ସ୍ୱାମୀ, ସନ୍ତାନମାନଙ୍କ ଦୀର୍ଘମୟ ଜୀବନ କାମନା କରିଥିଲେ । ସିନ୍ଦୁର ଖେଳ ସରିବାପରେ କାନ୍ଦି କାନ୍ଦି କୋହଭରା କଣ୍ଠରେ ବିସର୍ଜନ ପାଇଁ ମା’ଙ୍କୁ ପ୍ରସ୍ତୁତ କରିଥିଲେ । ମାଲକାନଗିରି ଡିଏନକେ ଖେଳପଡ଼ିଆ ପୂଜା ମଣ୍ଡପରେ ଦୀର୍ଷ ୬୩ବର୍ଷ ଧରି ଦୁର୍ଗାପୂଜା ପାଳିତ ହୋଇଆସୁଛି । ଏଠାରେ ବଙ୍ଗୀୟ ଭାଷା ଭାଷି ଓ ଓଡିଆ ଭାଷାଭାଷିଙ୍କ ପରମ୍ପରା ଅନୁସାରେ ପୂଜା ହୋଇଥାଏ । ବଙ୍ଗୀୟ ସଂପ୍ରଦାୟ ପରମ୍ପରାରେ ପ୍ରତି ବର୍ଷ ମା’ଙ୍କ ଦଶହାରା ଓ ଭସାଣି ଉତ୍ସବ ସମୟରେ ସମସ୍ତ ବଙ୍ଗୀୟ ମହିଳାମାନେ ଏକତ୍ରୀତ ହୋଇ ମା’ଙ୍କୁ ବନ୍ଦାପନା କରି ପୂଜା ଦେଇଥାନ୍ତି ।
ଏହି ସମୟରେ ବ୍ରାହ୍ମଣ କିମ୍ବା ପଣ୍ଡିତଙ୍କର ଆବଶ୍ୟକତା ପଡ଼ିନଥାଏ । ମା’ପୂଜା ପାଇ ସାରିଲା ପରେ ମହିଳାମାନେ ମଣ୍ଡପରେ ନିଜ ନିଜ ଭିତରେ ସିନ୍ଦୁର ବୋଳାବୋଳି ହୋଇ ମା’ଙ୍କ ବନ୍ଦନାଗାଇ ଢାକ ବାଜାର ତାଳେ ତାଳେ ନୃତ୍ୟ ପରିବେଷଣ କରିଥାନ୍ତି । ଗତକାଲି ରାତ୍ର ଓ ଆଜି ଅପରାହ୍ନରେ ମା’ଙ୍କୁ ବିଦାୟ ଦେବା ପାଇଁ ବଙ୍ଗୀୟ ମହିଳାମାନେ ନୃତ୍ୟ କରି ନିଜ ନିଜ ମଧ୍ୟରେ ସିନ୍ଦୁର ବୋଳାବୋଳି ହୋଇଥିଲେ । ଆଜି ସନ୍ଧ୍ୟାରେ ମାଲକାନଗିରି ସହରରେ ହୋଇଥିବା ୩ଟି ଦୁର୍ଗା ମେଢକୁ ଏକା ସାଙ୍ଗରେ ବିନା ଡିଜେ ବାଜା ସଂକୀର୍ତନ ଦଳ, ଘଣ୍ଟ ମୃଦୁଙ୍ଗ ଶଙ୍ଖ ଧ୍ୱନୀର ତାଳେ ତାଳେ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ବିସର୍ଜନ କରାଯାଇଛି । ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ଆସନ୍ତା ରବିବାର ଅବଶିଷ୍ଟ ଦୁର୍ଗାମେଢ଼ ଭସାଣି ହେବାର କାର୍ଯ୍ୟକ୍ରମ ରହିଛି।