ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି ଯେ, ଆମେରିକା ଭାରତ ଓ ରୁଷିଆକୁ ଚୀନ୍‌ ପାଖରେ ହରାଇ ଦେଇଛି। ଟ୍ରମ୍ପ ତାଙ୍କ ଟ୍ରୁଥ ସୋସିଆଲ ପ୍ଲାଟଫର୍ମରେ ଚୀନ୍‌ର ତିଆନଜିନ୍‌ରେ ଅନୁଷ୍ଠିତ ଶାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ୍‌ର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ମିଳିତ ଛବି ସେୟାର କରି ଏହି ମନ୍ତବ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, "ଲାଗୁଛି ଆମେ ଭାରତ ଓ ରୁଷିଆକୁ ଅନ୍ଧକାରମୟ ଚୀନ୍ ପାଖରେ ହରାଇ ଦେଇଛୁ। ସେମାନଙ୍କର ଭବିଷ୍ୟତ ଏକାଠି ଦୀର୍ଘ ଏବଂ ସମୃଦ୍ଧ ହେଉ! ରାଷ୍ଟ୍ରପତି ଡୋନାଲ୍ଡ ଜେ. ଟ୍ରମ୍ପ।

ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଭାରତ-ଆମେରିକା ସମ୍ପର୍କରେ ଚାପ ସୃଷ୍ଟି କରିଛି, ଯେଉଁଠାରେ ସମ୍ପ୍ରତି ବାଣିଜ୍ୟ ଶୁଳ୍କ ନୀତି ଯୋଗୁଁ ତିକ୍ତତା ଦେଖାଦେଇଛି। ଗତ ମାସରେ ଟ୍ରମ୍ପ ଭାରତରୁ ଆମଦାନୀ ଉପରେ ୫୦% ଶୁଳ୍କ (୨୫% ମୂଳ + ୨୫% ଅତିରିକ୍ତ) ଲଗାଇଛନ୍ତି, ଯାହାର କାରଣ ଭାରତର ରୁଷିଆରୁ ତୈଳ କ୍ରୟ ଜାରି ରଖିବା ବୋଲି କହିଛନ୍ତି। ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅତ୍ୟନ୍ତ ନିମ୍ନସ୍ତରକୁ ନେଇଯାଇଛି।

ତିଆନଜିନ୍‌ରେ ଅନୁଷ୍ଠିତ ଏସସିଓ ଶିଖର ସମ୍ମିଳନୀରେ ପିଏମ୍ ମୋଦୀ, ପୁଟିନ ଓ ଜିଙ୍ଗପିଙ୍ଗଙ୍କ ମଧ୍ୟରେ ଆନ୍ତରିକ ଆଲୋଚନା ଓ ମିଳିତ ଦୃଶ୍ୟ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଏହି ସମ୍ମିଳନୀରେ ଭାରତ ଓ ଚୀନ୍‌ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ୨୦୨୦ର ଗାଲୱାନ ସଂଘର୍ଷ ପରେ ଥଣ୍ଡା ପଡ଼ିଥିବା ଭାରତ-ଚୀନ୍‌ ସମ୍ପର୍କ ଏବେ ନୂଆ ଦିଗକୁ ଅଗ୍ରସର ହୋଇଛି। ଏହି ପରିପ୍ରେକ୍ଷିରେ ଶି ଜିନପିଙ୍ଗ କହିଛନ୍ତି, "ଭାରତ ଓ ଚୀନ୍‌ ପ୍ରତିଦ୍ୱନ୍ଦୀ ନୁହଁନ୍ତି, ବରଂ ସହଯୋଗୀ ହେବା ଉଚିତ।"

ଟ୍ରମ୍ପ ଭାରତ ଉପରେ ବାଣିଜ୍ୟ ଅସନ୍ତୁଳନ ଓ ଉଚ୍ଚ ଶୁଳ୍କ ଲଗାଇବାର ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି ଯେ, ଭାରତ ଆମେରିକାକୁ ପ୍ରଚୁର ପଣ୍ୟ ରପ୍ତାନୀ କରୁଛି, କିନ୍ତୁ ଆମେରିକାର ରପ୍ତାନୀ ଭାରତଠୁ ଅପେକ୍ଷାକୃତ କମ୍‌ ରହିଛି। ଏହି ଶୁଳ୍କ ଯୁଦ୍ଧ ଭାରତକୁ ଚୀନ୍‌ ଓ ରୁଷିଆ ସହ ନିକଟତର ହେବାକୁ ପ୍ରେରିତ କରିଛି।

ଭାରତର ବୈଦେଶିକ ମନ୍ତ୍ରଣାଳୟ ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ କୌଣସି ସରକାରୀ ପ୍ରତିକ୍ରିୟା ରଖିନାହିଁ। ତେବେ ଏନେଇ ମନ୍ତ୍ରଣାଳୟର ମୁଖପାତ୍ର ରନ୍ଧୀର ଜୟସୱାଲ କହିଛନ୍ତି, "ଆମେ ଏହି ବିଷୟରେ ଏବେ କିଛି କହିବାକୁ ଚାହୁଁନାହୁଁ।"

ଏସସିଓ ଶିଖର ସମ୍ମିଳନୀକୁ ନେଇ ବିଶେଷଜ୍ଞମାନେ ଅତ୍ୟନ୍ତ ସକରାତ୍ମକ ମନ୍ତବ୍ୟ ଦେଇଛନ୍ତି। ଏହି ସମ୍ମିଳନି ଏକ ବହୁଧ୍ରୁବୀୟ ବିଶ୍ୱ ବ୍ୟବସ୍ଥାର ସଙ୍କେତ ଦେଇଛି, ଯେଉଁଠାରେ ଭାରତ, ଚୀନ୍‌ ଓ ରୁଷିଆ ମିଳିତ ଭାବେ ଆମେରିକାର ଆଧିପତ୍ୟକୁ ଚ୍ୟାଲେଞ୍ଜ କରୁଛନ୍ତି ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ଭାରତର ବହୁମୁଖୀ ବୈଦେଶିକ ନୀତି ଏହାର ଏକ ପ୍ରମାଣ ବୋଲି ବିବେଚନା କରାଯାଉଛି। ଏହି ଘଟଣାକ୍ରମ ଆଗାମୀ ଦିନରେ ବିଶ୍ୱ ରାଜନୀତି ଓ ବାଣିଜ୍ୟ ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି।