ନୂଆଦିଲ୍ଲୀ,୨୦/୧୦: ଆମେରିକାରେ ଟ୍ରମ୍ପଙ୍କ ବିରୋଧରେ ଜନଆକ୍ରୋଶ ଦେଖିବାକୁ ମିଳିଛି । ନିଜ ଗାଦି ଟଳମଳ ହେଉଛି । ନିଜ କଥା ନ ଭାବି ଭାରତକୁ ଧମକ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯଦି ଭାରତ ରୁଷ୍ଠାରୁ ତେଲ କିଣିବା ଜାରି ରଖିବ ତେବେ ଆହୁରି ଟାରିଫ୍ ଲାଗିବ ବୋଲି କହିଛନ୍ତି ଟ୍ରମ୍ପ । ଯଦି ଭାରତ ରୁଷୀୟ ତୈଳ କ୍ରୟକୁ ସୀମିତ ନକଲେ ତେବେ ଭାରି ଶୁଳ୍କ ଲାଗୁ କରାଯିବ ବୋଲି କହିଛନ୍ତି । ଦୁଇ ଦିନ ତଳେ ସେ ଦାବି କରିଥିଲେ ଭାରତ ଧୀରେ ଧୀରେ ରୁଷ୍ଠାରୁ ତେଲ କିଣିବା ବନ୍ଦ କରିଦେବ ।
ସାମ୍ବାଦିକ ସମ୍ମିଳନୀରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଥିଲି । ସେ ମୋତେ କହିଥିଲେ ଭାରତ ରୁଷ୍ଠାରୁ ତେଲ କିଣିବ ନାହିଁ । କିନ୍ତୁ ଯଦି ସେମାନେ ତେଲ କିଣିବା ଜାରି ରଖନ୍ତି ତେବେ ସେମାନଙ୍କୁ ଭାରି ଶୁଳ୍କ ଦେବାକୁ ପଡିବ । ଟ୍ରମ୍ପ ପ୍ରଶାସନ ଅନୁସାରେ, ରୁଷରୁ ତେଲ କିଣୁଥିବା ଦେଶଗୁଡ଼ିକ ପରୋକ୍ଷ ଭାବରେ ୟୁକ୍ରେନ ଯୁଦ୍ଧକୁ ପାଣ୍ଠି ଯୋଗାଉଛନ୍ତି, ତେଣୁ ଆମେରିକା ରୁଷରୁ ଶକ୍ତି କିଣୁଥିବା ଦେଶଗୁଡ଼ିକ ଉପରେ ନିରନ୍ତର ଚାପ ପକାଇ ଆସୁଛି । ଗତ କିଛି ମାସ ମଧ୍ୟରେ, ଆମେରିକା ଭାରତ ସମେତ ଅନେକ ଦେଶକୁ ରୁଷର ତେଲ କ୍ରୟ ହ୍ରାସ କରିବାକୁ କିମ୍ବା ବନ୍ଦ କରିବାକୁ କହି ଆସୁଛି । ଏହା ପୂର୍ବରୁ ଦୁଇଦିନ ତଳେ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଭାରତ ରୁଷଠାରୁ ଅଶୋଧିତ ତେଲ କିଣୁଥିବାରୁ ଆମେରିକା "ଖୁସି ନୁହେଁ" । ଏପରି କ୍ରୟ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଯୁଦ୍ଧ ପାଇଁ ଆର୍ଥିକ ସହାୟତା ଯୋଗାଉଛି । ଖୁବଶୀଘ୍ର ଭାରତ ରୁଷ୍ଠାରୁ ଧୀରେ ଧୀରେ ତେଲ କିଣିବା ବନ୍ଦ କରିବ ।
ଟ୍ରମ୍ପଙ୍କ ଏହି ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଆମେରିକାରୁ ଭାରି ଆମଦାନୀ ଶୁଳ୍କ ସାମ୍ନା କରୁଛି । ବର୍ଷ ଆରମ୍ଭରେ, ଟ୍ରମ୍ପ ବୟନ ଏବଂ ଔଷଧ ସମେତ ଅନେକ ପ୍ରମୁଖ ରପ୍ତାନି ଉପରେ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ ।