ପୁରୀ,୦୪/୧୦: ଗାଁରେ  ବାଜିଲା ଘଣ୍ଟ । କୋଠଘର କାନ୍ଥରେ  ଲାଗିଲା ନୋଟିସ୍‌ । ଗ୍ରାମ ଭିତରେ  ଯିଏ ନିଶା ଖାଇବ ବା ବିକ୍ରି କରିବ ୧୦  ହଜାର ଜରିମାନା ଦେବ । ଧରାପଡ଼ିଲେ  ଗ୍ରାମବାସୀ ଉକ୍ତ ବ୍ୟକ୍ତିଙ୍କ ନାମରେ  ବିଶୃଙ୍ଖଳା କରୁଥିବା ନେଇ ଥାନାରେ  ଏତଲା ଦେବେ । ନିଶା ସେବନ ଓ ବିକ୍ରି  କରୁଥିବା ବ୍ୟକ୍ତିଙ୍କ ସୂଚନା ଦେଲେ ଗ୍ରାମ  କମିଟି ସୂଚନାଦାତାଙ୍କୁ ୫ ହଜାର ଟଙ୍କାର  ପୁରସ୍କାର ଦେବ । ଗ୍ରାମବାସୀଙ୍କୁ ଏଭଳି  ଚରମବାଣୀ ଶୁଣାଇଛି ଗ୍ରାମ କମିଟି ।  ଗାଁରେ ବିଡି, ସିଗାରେଟ୍‌, ଗୁଟ୍‌ଖା  ବିକ୍ରି ଓ ବ୍ୟବହାର ମଧ୍ୟ ମନା ବୋଲି  କଟକଣା ଜାରି ହୋଇଛି । ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଖଣ୍ଡିଘର ଗ୍ରାମ  ମୁରବିମାନେ ନେଇଛନ୍ତି ଏଭଳି ନିଷ୍ପତ୍ତି ।

ନିଶା ସେବନ ଓ ବିକ୍ରି ବଢ଼ୁଥିବାରୁ  ଗ୍ରାମରେ ବିଶୃଙ୍ଖଳା ବଢ଼ିବା,  ଯୁବପିଢ଼ିମାନଙ୍କ ଭବିଷ୍ୟତ ଅନ୍ଧାର  ଆଡ଼କୁ ଗତି କରୁଥିବା ଦେଖି ଗ୍ରାମ  ମୁରବିମାନେ ଏହି ନିଷ୍ପତ୍ତି ନେଇଛନ୍ତି ।  ନିଶା ସେବନ ଦ୍ୱାରା ଅନେକଙ୍କ ମୃତ୍ୟୁ  ହେବା ଓ ଅନେକଙ୍କ ପରିବାର ଉଜୁଡ଼ି  ଯାଇଛି । କଟକଣା ପରେ ଗାଁରେ ଥିବା  ରାସନ କିମ୍ବା ପାନ ଦୋକାନରେ ବିଡି,  ସିଗାରେଟ୍‌, ଗୁଟ୍‌ଖା ମିଳୁନି । ସମ୍ପୂର୍ଣ୍ଣ  ରୂପେ ଗାଁ ନିଶା ମୁକ୍ତ ହୋଇଛି ।  ନିଶାମୁକ୍ତିକୁ ଗ୍ରାମର ସମସ୍ତ ବ୍ୟକ୍ତି  ଗ୍ରହଣ କରିଛନ୍ତି । ଯାହା ଅନ୍ୟ ମହଲରେ ପ୍ରଶଂସାର ବିଷୟ ହୋଇଛି ।

ବେଆଇନ ନିଶା ବିକ୍ରି ନେଇ  ଗ୍ରାମର ଅନେକ ବ୍ୟକ୍ତିଙ୍କ ନାମରେ  ମାମଲା ପୁଲିସରେ ହେବା ଓ ଗ୍ରାମର  ନାମ ବଦନାମ ହେଉଥିବାରୁ ଏଥିରୁ  ଖ୍ୟାନ୍ତି ପାଇବାକୁ ଗ୍ରାମ କମିଟି ବୈଠକ  ହୋଇଥିଲା । ଗ୍ରାମର ୧୦୦ ପରିବାରଙ୍କ  ଉପସ୍ଥିତିରେ ବୈଠକ ହୋଇଥିଲା ।  ଗ୍ରାମକୁ ନିଶାମୁକ୍ତ କରିବାକୁ ନିଷ୍ପତ୍ତି  ହୋଇଥିଲା । ଯାହା ପରେ କଟକଣା  ଜାରି ହୋଇଛି । ଗ୍ରାମରେ ଘଣ୍ଟା  ବାଡେଇ କଟକଣା କରାଯିବା  ପରେ ନିଶା ବ୍ୟବହାର କମିଥିବା  ଗ୍ରାମବାସୀ କହିଛନ୍ତି । ଯୁବପିଢ଼ିଙ୍କ ଭବିଷ୍ୟତ ସୁରକ୍ଷା ନିମନ୍ତେ ଏପରି  ପଦକ୍ଷେପ ନିଆଯାଇଥିବା ସ୍ଥାନୀୟ  ବାସିନ୍ଦା ବାହୁଡ଼ା ପ୍ରଧାନ କହିଛନ୍ତି।