ନୂଆଦିଲ୍ଲୀ,୨୧/୦୯: ବୟସ ମାତ୍ର ୨୨ ବର୍ଷ । ଦୁନିଆ କ'ଣ ଭଲରେ ଜାଣି ନାହାନ୍ତି । ହେଲେ ମୁଣ୍ଡ ଉପରୁ ବାପାଙ୍କ ହାତ ଉଠିଯାଇଛି । ଆମେ ବିରାଟ କୋହଲି ଓ ସଚିନ୍ ତେନ୍ଦୁଲକରଙ୍କ କାହାଣୀ ତ ଜାଣିଛୁ ହେଲେ ଏବେ ଆଉ ଜଣେ କ୍ରିକେଟରଙ୍କ କାହାଣୀ କନ୍ଦାଇ ଦେଇଛି । ଶ୍ରୀଲଙ୍କାର ଅଲରାଉଣ୍ଡର ୨୨ ବର୍ଷୀୟ ଦୁନିଥ୍‌ ୱେଲାଲଗେ । ସେପ୍ଟମ୍ବର ୧୮ରେ ବାପାଙ୍କୁ ହରାଇଥିଲେ । ୧୯ରେ  ଘରକୁ ଗଲେ । ୨୦ ତାରିଖରେ ଦେଶ ପାଇଁ ମ୍ୟାଚ ଖେଳିଲେ । ଏତେ କମ ବୟସରେ ଏତେ ବଡ଼ ଦୁଃଖରୁ ବାହାରି ଦେଶ ପାଇଁ ଖେଳିବାକୁ ନେଇ ଯେଉଁ ଧୈର୍ଯ୍ୟ ଦେଖାଇଛନ୍ତି ତାକୁ ସଲାମ୍ କରୁଛି ଶ୍ରୀଲଙ୍କା । 

ଶ୍ରୀଲଙ୍କା ଏସିଆ କପ୍‌ ଦଳର ସଦସ୍ୟ ଥିବା ଅଲରାଉଣ୍ଡର ଦୁନିଥ୍‌ ୱେଲାଲଗେଙ୍କ ପିତୃ ବିୟୋଗ ଘଟିଛି । ଗତ ଗୁରୁବାର ହୃଦଘାତ୍‌ ଯୋଗୁଁ ତାଙ୍କ ବାପା ସୁରଙ୍ଗା ୱେଲାଲଗେଙ୍କ ମୃତ୍ୟୁ ହୋଇଛି । ଏପରି ଦୁଃଖଦ ଘଟଣା ସେବେ ଘଟିଲା ଯେବେ ଆଫଗାନିସ୍ତାନ ବିପକ୍ଷ ଗ୍ରୁପ୍‌ -ବି’ମ୍ୟାଚ୍‌ ଖେଳୁଥିଲେ ୱେଲାଲାଗେ । ମ୍ୟାଚ୍‌ ସରିବା ହେବା ପରେ ଶ୍ରୀଲଙ୍କା ଦଳର ମୁଖ୍ୟ କୋଚ୍ ସନଥ୍‌ ଜୟସୂରିୟା ବାଉଣ୍ଡାରୀ ନିକଟରେ ପହଞ୍ଚିଥିଲେ । ତାଙ୍କୁ ଏହି ଦୁଃଖଦ ଖବର ଜଣାଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ସ୍ୱଦେଶ ଫେରିଯାଇଥିଲେ ଦୁନିଥ୍ । ତାଙ୍କ ସହ ଟିମ୍‌ ମ୍ୟାନେଜର ମହିନ୍ଦା ହାଲାନଗୋଡା ମଧ୍ୟ ସ୍ୱଦେଶ ଫେରିଥିଲେ । ବାପା’ଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ପରେ ସେ ଏସିଆ କପ୍‌ର ବାକି ମ୍ୟାଚ୍‌ ଖେଳିବେ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ଼ ପକ୍ଷରୁ ସୂଚନା ମିଳିଥିଲା । ଗତକାଲି (ଶନିବାର) ପୁଣି ଟିମ୍‌ରେ ଯୋଗ ଦେଇଥିଲେ ଦୁନିଥ୍ । ସୁପର ଫୋର୍‌ ରାଉଣ୍ଡରେ ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳିଥିଲେ । ଏହି ମ୍ୟାଚ ଜାତୀୟ ସଂଙ୍ଗୀତ ପୂର୍ବରୁ ଦୁନିଥ୍‌ଙ୍କ ବାପାଙ୍କ ପାଇଁ ଷ୍ଟାଡିୟମରେ ୧ ମିନିଟ୍‌ ନୀରବ ପ୍ରାର୍ଥନା କରିଥିଲେ । ସମସ୍ତଙ୍କ ମୁହଁରେ ନିରାଶ, ଦୁଃଖର ଛବି ଦେଖିବାକୁ ମିଳିଥିଲା ।

୧୮ ସେପ୍ଟେମ୍ବର ୨୦୨୫ । ଶ୍ରୀଲଙ୍କାର ଦୁନିଥ୍‌ ୱେଲାଲଗେଙ୍କ ପାଇଁ ଦିନଟି କୌଣସି ଟ୍ରାଜେଡିଠୁ କମ୍‌ ନଥିଲା । ଏସିଆ କପରେ ଆଫଗାନିସ୍ତାନ-ଶ୍ରୀଲଙ୍କା ମ୍ୟାଚ ଚାଲିଥାଏ । ଗୋଟିଏ ଓଭରରେ ଦୁନିଥ୍‌ଙ୍କୁ ୫ ଛକା ମାରିଥିଲେ ଆଫଗାନ ପ୍ଲେୟାର ମହମ୍ମଦ ନବି । ମ୍ୟାଚ ପରେ ଦୁନିଥ୍‌ଙ୍କୁ ଯେଉଁ ଖବର ମିଳିଲା ତାହା ତାଙ୍କୁ ଦୋହଲାଇ ଦେଇଥିଲା । ଯେତେବେଳେ ସେ ମ୍ୟାଚ ଖେଳୁଥିଲେ ତାଙ୍କ ବାପା ସୁରଙ୍ଗା ୱେଲାଲଗେଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଏ ଖବର ତାଙ୍କୁ ସ୍ତବ୍ଧ କରିଥିଲା ।