ନୂଆଦିଲ୍ଲୀ,୨୬/୦୯: ଭୋଟ ଗଣତି ବ୍ୟବସ୍ଥାରେ ନିର୍ବାଚନ କମିଶନ(ଇସି) ପରିବର୍ତ୍ତନ କରିଛନ୍ତି । ଏବେ ପୋଷ୍ଟାଲ ବାଲଟ ଗଣତିରେ ବିଳମ୍ବ ହେଲେ ଇଭିଏମ୍ରେ ଗଣତି ରୋକାଯିବ । ଏଥିସହ ବାଲଟ ଅଧିକ ହେଲେ କାଉଣ୍ଟିଂ ଟେବୁଲ ବି ବଢ଼ାଯିବ । ଏ ନେଇ ନିର୍ବାଚନ କମିଶନ ଗୁରୁବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।
ଭୋଟ ଗଣତି ଦିନ ବାଲଟ କାଉଣ୍ଟିଂ ସକାଳ ୮ଟାରୁ ଆରମ୍ଭ ହେବ । ଇଭିଏମ୍ ଗଣତି ସକାଳ ସାଢ଼େ ୮ଟାରୁ ହେବ । ଅଦ୍ୟାବଧି ଅନେକ ଭୋଟ ଗଣତି କେନ୍ଦ୍ରରେ ମେସିନରେ ଗଣତି ଶୀଘ୍ର ଶେଷ ହେଉଥିଲା । ବାଲଟ ଗଣତିରେ ସମୟ ଲାଗୁଥିଲା । ଏବେ କମିଶନଙ୍କ ନୂଆ ନିୟମ ଅନୁସାରେ, ବାଲଟ ଗଣତି ଅଧିକ ହେଲେ ଇଭିଏମ୍ର ଶେଷ ଦ୍ୱିତୀୟ ରାଉଣ୍ଡ୍ ଭୋଟିଂ ରୋକି ଦିଆଯିବ । ବାଲଟ ଗଣତି ଶେଷ ହେବା ପରେ ଯାଇ ଇଭିଏମ୍ କାଉଣ୍ଟିଂ ଶେଷ କରାଯିବ । ବିହାର ବିଧାନସଭା ନିର୍ବାଚନରୁ ନୂଆ ନିୟମ ଆରମ୍ଭ କରାଯିବ । ଆସନ୍ତା ନଭେମ୍ବରରେ ବିହାରରେ ନିର୍ବାଚନ ହେବାକୁ ଯାଉଛି । ଏହି ନୂଆ ବ୍ୟବସ୍ଥା ଦ୍ୱାରା ଗଣତି ପ୍ରକ୍ରିୟା ଅଧିକ ପାରଦର୍ଶୀ ହୋଇପାରିବ । ଏଥିରେ ମତଦାତା ଏବଂ ପ୍ରାର୍ଥୀଙ୍କ ମଧ୍ୟରେ କୌଣସି ପ୍ରକାର ଭ୍ରମ ରହିବ ନାହିଁ ବୋଲି କମିଶନ କହିଛନ୍ତି ।
ଇସି ଆହୁରି ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେଉଁ ନିର୍ବାଚନ କ୍ଷେତ୍ରରେ ବାଲଟ ଭୋଟ ସଂଖ୍ୟା ଅଧିକ ହେବ ସେଠାରେ ପର୍ଯ୍ୟାପ୍ତ ସଂଖ୍ୟାରେ ଗଣତି କର୍ମୀ ଏବଂ ଟେବୁଲ ରଖାଯିବ। ଏହାର ଉଦ୍ଦେଶ୍ୟ ଗଣତିରେ ବିଳମ୍ବ ରୋକିବା ଏବଂ ପ୍ରକ୍ରିୟାକୁ ସମୟ ଭିତରେ ଶେଷ କରିବା । ନିକଟରେ ଦିବ୍ୟାଙ୍ଗ ଏବଂ ୮୫ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କ ପାଇଁ ଘରୁ ମତଦାନର ସୁବିଧା ଆରମ୍ଭ କରାଯାଇଛି ।