ନୂଆଦିଲ୍ଲୀ,୦୬/୦୯: ଆଫଗାନିସ୍ତାନ ଉପରେ କୋପ କରିଛି ପ୍ରକୃତି । ଲଗାତାର ଭୂମିକମ୍ପ ଝଟକାରେ ଥରୁଛି ଭୂମି । ଗତ କିଛି ଦିନ ଧରି ଆଫଗାନିସ୍ତାନରେ ଭୂମିକମ୍ପ ଅନୁଭୂତ ହେଉଛି । ଶୁକ୍ରବାର ରାତିରେ ପୁଣି ଥରେ ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହା ଚତୁର୍ଥ ଶକ୍ତିଶାଳୀ ଭୂମିକମ୍ପ । ଲଗାତାର ଭୂମିକମ୍ପ ଝଟକା ଯୋଗୁଁ ଲୋକମାନେ ଭୟଭୀତ । ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ କ୍ଷୟକ୍ଷତି କିମ୍ବା ମୃତାହତ ନେଇ ସୂଚନା ନାହିଁ । ଗତ ଅଗଷ୍ଟ ୩୧ରେ ହୋଇଥିବା ୬.୦ ତୀବ୍ରତାର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୨୨୦୦ରେ ପହଞ୍ଚିଛି ।
ନ୍ୟାସନାଲ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା । ସାଧାରଣତଃ ଅଧିକ ବିପଦପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ହେଲେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ୬ ଦିନ ତଳେ ହୋଇଥିବା ୬.୦ ତୀବ୍ରତାର ଭୂମିକମ୍ପ ସବୁ କିଛି ଛାରଖାର କରିଦେଇଛନ୍ତି । ଏତେ ବଡ଼ ବିପର୍ଯ୍ୟୟରୁ ବାହାରି ନଥିବା ବେଳେ ପୁଣି ଭୂମିକମ୍ପ ଝଟକା ପରେ ଝଟକାକୁ ନେଇ ଲୋକଙ୍କ ମନରେ ଛନକା ପଶିଛି ।
କହି ରଖୁଛି କି, ଗତ ରବିବାର (ଅଗଷ୍ଟ 31) ଆଫଗାନିସ୍ତାନରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ସବୁ କିଛି ଛାରଖାର ହୋଇଛି । ଧନ-ଜୀବନ ସବୁ ମାଟିରେ ମିଶିଛି । ଧ୍ୱଂସସ୍ତୁପ ତଳୁ ଶହ ଶହ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁସଂଖ୍ୟା ୨,୨୦୦ରୁ ଅଧିକ ହୋଇଛି । ରବିବାର ବିଳମ୍ବିତ ରାତିରେ ସହର ଶୋଇଥିଲା । ଏହି ସମୟରେ ପାର୍ବତ୍ୟ ଏବଂ ପୂର୍ବ ଭାଗରେ ୬.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା ଯାହା ସବୁ କିଛି ଶେଷ କରି ଦେଇଛି । ସବୁଠି ହୃଦୟବିଦାରକ ଦୃଶ୍ୟ । କେଉଁଠି ବାପା ଝିଅର ମୃତଦେହ ଧରି କାନ୍ଦୁଛି ତ କେଉଁଠି ଆତ୍ମୀୟକୁ ହରାଇ ହତବାକ୍ ପରିବାର । ୨୦୨୧ରେ ତାଲିବାନ କ୍ଷମତାକୁ ଆସିବା ପରେ ଏହା ଆଫଗାନିସ୍ତାନରେ ତୃତୀୟ ବଡ଼ ଭୂମିକମ୍ପ ହୋଇଛି । ଏହା ପୂର୍ବରୁ ୨୦୨୩ ମସିହାରେ ଦେଶ ସବୁଠୁ ବଡ଼ ଭୂମିକମ୍ପର ସାମ୍ନା କରିଥିଲା । ମୃତ୍ୟୁସଂଖ୍ୟା ୧୧୦୦ ଥିଲା ।