ନୂଆଦିଲ୍ଲୀ, ୭/୧୧ : ଦେଶର ଦାନବୀର ଅରବପତିମାନେ ଚଳିତ କ୍ୟାଲେଣ୍ଡର ବର୍ଷରେ ମୋଟ ୧୦,୩୮୦ କୋଟି ଟଙ୍କା ଦାନ କରିଛନ୍ତି । ଇଡେଲ୍ଗିଭ୍ ହୁରୁନ୍ ଇଣ୍ଡିଆ ଫିଲାନ୍ଥ୍ରୋପି ତାଲିକା୨୦୨୫ରେ ଏହା ପ୍ରକାଶ ପାଇଛି । ଏହି ତାଲିକାରେ ୧୯୧ ଅରବପତି ରହିଛନ୍ତି, ଯେଉଁଥିରୁ ୧୨ ଜଣ ହେଉଛନ୍ତି ନୂଆ । ଗତ ୩ ବର୍ଷରେ ଦାନ ପରିମାଣରେ ୮୫% ବୃଦ୍ଧି ଘଟିଥିବା ଜଣାପଡ଼ିଛି । ତାଲିକାରେ ଶୀର୍ଷରେ ଅଛନ୍ତି ଏଚ୍ସିଏଲ୍ ଟେକ୍ନୋଲୋଜିଜ୍ର ପ୍ରତିଷ୍ଠାତା ଶୀବ ନାଦାର ଏବଂ ପରିବାର। ଏ ବର୍ଷ ନାଦାର ଦାନ କରିଛନ୍ତି ୨,୭୦୮ କୋଟି ଟଙ୍କା। ଏଥିସହିତ ସେ ୫ ବର୍ଷରେ ଚତୁର୍ଥ ଥର ପାଇଁ ଭାରତର ସବୁଠାରୁ ଦାନୀ ବ୍ୟକ୍ତିଙ୍କ ମାନ୍ୟତା ବଜାୟ ରଖିଛନ୍ତି । ନାଦାରଙ୍କ ଯୋଗଦାନକୁ ଯଦି ହିସାବ କରାଯାଏ, ତେବେ ଦିନକୁ ସେ ଦାନ କରିଛନ୍ତି ହାରାହାରି ୭.୪ କୋଟି ଟଙ୍କା । ବାର୍ଷିକ ଆଧାରରେ ଏଥିରେ ୨୬% ଅଭିବୃଦ୍ଧି ଦେଖିବାକୁ ମିଳିଛି । ଶୀବ ନାଦାର ଫାଉଣ୍ଡେସନ୍ ଜରିଆରେ ସେ ଏହି କାର୍ଯ୍ୟରେ ଲିପ୍ତ ଅଛନ୍ତି । ତାଙ୍କର ଏହି ସଂସ୍ଥା ଶିକ୍ଷା, କଳା ଏବଂ ସଂସ୍କୃତି ଉପରେ ଧ୍ୟାନକେନ୍ଦ୍ରିତ କରିଥାଏ । ତାଲିକାରେ ଥିବା ଶ୍ରେଷ୍ଠ ୧୦ ଦାନବୀର ମୋଟ ୫,୮୩୪ କୋଟି ଟଙ୍କା ଦାନ କରିଛନ୍ତି । ଗତବର୍ଷ ତୁଳନାରେ ଏହା ୨୬% ଅଭିବୃଦ୍ଧି । ମୋଟ ଦାନ ପରିମାଣରେ ଏମାନଙ୍କ ମିଳିତ ଯୋଗଦାନ ରହିଛି ୫୬% ।
ଚଳିତ ବର୍ଷ ଶ୍ରେଷ୍ଠ ୧୦ ସ୍ଥାନରେ ପ୍ରବେଶ କରିଛନ୍ତି ହିନ୍ଦୁଜା ପରିବାର, ସୁଧୀର ଏବଂ ସମୀର ମେହେଟ୍ଟା ଓ ସାଇରସ ଏବଂ ଆଦର ପୁନାୱାଲା । ଏମାନେ ଯଥାକ୍ରମେ ସପ୍ତମ, ନବମ ଏବଂ ଦଶମ ସ୍ଥାନରେ ରହିଛନ୍ତି । ୬୮ ବର୍ଷୀୟ ମୁକେଶ ଅମ୍ବାନି ଏବଂ ପରିବାର ୬୨୬ କୋଟି ଟଙ୍କା ଦାନ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରିଲାଏନ୍ସ ଫାଉଣ୍ଡେସନ ଜରିଆରେ ସେ ଦାତବ୍ୟ କାର୍ଯ୍ୟରେ ଲିପ୍ତ ଅଛନ୍ତି । ତାଙ୍କ ଫାଉଣ୍ଡେସନ ବିଶେଷ କରି ଶିକ୍ଷା, ଗ୍ରାମୀଣ ବିକାଶ, ଚିକିତ୍ସା, ମହିଳା ସଶକ୍ତିକରଣ ଏବଂ ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଛି । ରିପୋର୍ଟ ଅନୁସାରେ, ଗତ ୫ ବର୍ଷରେ ଦେଶର ଶ୍ରେଷ୍ଠ ୨୫ ଦାନବୀର ମୋଟ ୫୦,୦୦୦ କୋଟି ଟଙ୍କା ଦାନ କରିଛନ୍ତି । ଉକ୍ତ ହିସାବରେ ଏମାନେ ଦିନକୁ ଦେଇଛନ୍ତି ହାରାହାରି ୪୬ କୋଟି ଟଙ୍କା । ରିପୋର୍ଟ ଅନୁସାରେ, ମୁମ୍ବାଇରେ ସବୁଠାରୁ ଅଧିକ ୨୮% ଦାନବୀର ଅଛନ୍ତି । ଏହା ପଛକୁ ନୂଆଦିଲ୍ଲୀରେ ୧୭% ଏବଂ ବେଙ୍ଗାଲୁରୁରେ ୮% ଦାନବୀର ଅଛନ୍ତି । ସିଏସ୍ଆର୍ ଆବଣ୍ଟନରେ ମହାରାଷ୍ଟ୍ରର ବଡ଼ଭାଗ ରହିଛି । ଏହା ପଛକୁ ରହିଛି ଗୁଜରାଟ । ଶିକ୍ଷା କ୍ଷେତ୍ରରେ ଅଧିକ ଦାନ କରିଛନ୍ତି ଧନକୁବେର । ୧୦୭ ଦାନବୀର ଶିକ୍ଷା ଅଭିଯାନଗୁଡ଼ିକ ବାବଦକୁ ମୋଟ ୪,୧୬୬ କୋଟି ଟଙ୍କା ଦାନ କରିଥିବା ଜଣାପଡ଼ିଛି ।
ମହିଳା ଦାନ କଲେ ୬୦୦ କୋଟି
ରୋହିଣୀ ନିଲେକାନୀ ଫିଲାନ୍ଥ୍ରୋପିଜ୍ର ଅଧ୍ୟକ୍ଷା ତଥା ଏକ୍ଷ୍ଟେପ୍ ଫାଉଣ୍ଡେସନ୍ର ସହ-ପ୍ରତିଷ୍ଠାତା ରୋହିଣୀ ନିଲେକାନୀ ପାଲଟିଛନ୍ତି ଦେଶର ସବୁଠାରୁ ଦାନୀ ମହିଳା । ଇଡେଲ୍ଗିଭ୍ ହୁରୁନ୍ ଇଣ୍ଡିଆ ଫିଲାନ୍ଥ୍ରୋପି ତାଲିକା-୨୦୨୫ ଅନୁସାରେ ୬୬ ବର୍ଷୀୟ ନିଲେକାନୀ ଏ ବର୍ଷ ୨୦୪ କୋଟି ଟଙ୍କା ଦାନ କରିଛନ୍ତି । ହୁରୁନ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଅନୁସାରେ, ୨୪ ମହିଳା ଦାନବୀର ଏ ବର୍ଷ ତାଲିକାରେ ସ୍ଥାନିତ ହୋଇଛନ୍ତି । ଗତ ୫ ବର୍ଷରେ ନିଲେକାନୀ ଦାନ କରିଛନ୍ତି ମୋଟ ୭୬୩ କୋଟି ଟଙ୍କା । ସିଭିଲ୍ ସୋସାଇଟି ଇନ୍ଷ୍ଟିଚ୍ୟୁଟ୍ଗୁଡ଼ିକୁ ମଜଭୁତ କରିବା ଉପରେ ସେ ଧ୍ୟାନ ଦେଇଆସୁଛନ୍ତି ।
ମହିଳାଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବାୟୋକନ ଅଧ୍ୟକ୍ଷା କିରନ ମଜୁମ୍ଦାର ଶ’ । ଏ ବର୍ଷ ସେ ଦାନ କରିଛନ୍ତି ୮୩ କୋଟି ଟଙ୍କା । ଗତ ୫ ବର୍ଷରେ ମୋଟ ୩୧୦ କୋଟି ଟଙ୍କା ଦାନ କରିଛନ୍ତି ସେ । ମଜୁମ୍ଦାର ଶ’ ଫିଲାନ୍ଥ୍ରୋପି ଜରିଆରେ ସେ ଏହି କାର୍ଯ୍ୟରେ ଜଡ଼ିତ ଅଛନ୍ତି । ବୈଜ୍ଞାନିକ ଗବେଷଣା, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଉପରେ ସେ ଧ୍ୟାନ ଦେଇଆସୁଛନ୍ତି । ତୃତୀୟ ସ୍ଥାନରେ ଅଛନ୍ତି ହରିଶ ଆଣ୍ଡ୍ ବୀନା ଶାହ ଫାଉଣ୍ଡେସନ୍ର ସହ- ପ୍ରତିଷ୍ଠାତା ବିନା ଶାହ । ସେ ଏ ବର୍ଷ ୬୯ କୋଟି ଟଙ୍କା ଦାନ କରିଛନ୍ତି । ତାଙ୍କ ଫାଉଣ୍ଡେସନ ଶିକ୍ଷା, ସ୍ୱାସ୍ଥ୍ୟ, ଲିଙ୍ଗଗତ ସମାନତା ଏବଂ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟ କରୁଛି । ୫୬ କୋଟି ଦାନ କରି ଚତୁର୍ଥ ସ୍ଥାନରେ ଅଛନ୍ତି ଅନୁ ଆଗା ଏବଂ ପରିବାର ।