​​​​​​ନୂଆଦିଲ୍ଲୀ ୦୯/୦୯ : ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛି ୨୦୧୨ରେ ମୁକ୍ତିପ୍ରାପ୍ତ ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ ଷ୍ଟାରର୍‌ ଫିଲ୍ମ ଏକ୍‌ ଥା ଟାଇଗର। କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଥିଏଟରରେ ମୁକ୍ତିଲାଭ କରିବାର ୧୩ ବର୍ଷ ପରେ ଆମେରିକାର ୱାଶିଂଟନ୍‌, ଡିସିରେ ଇଣ୍ଟର୍‌ନ୍ୟାସନାଲ ସ୍ପାଇ ମ୍ୟୁଜିୟମ୍‌ (ଅନ୍ତର୍ଜାତୀୟ ଗୁଇନ୍ଦା ସଂଗ୍ରହାଳୟ)ରେ ସ୍ଥାନୀତ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇଛି । ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏହି ଫିଲ୍ମ ଜେମ୍ସ ବଣ୍ଡ୍‌, ମିଶନ୍‌ ଇମ୍ପସିବଲ୍‌ ଓ ମେନ୍‌ ଇନ୍‌ ବ୍ଲାକ୍‌ ଭଳି ହଲିଊଡ୍‌ ଫିଲ୍ମ ସହିତ ମ୍ୟୁଜିୟମ୍‌ରେ ସ୍ଥାନ ପାଇଛି । ​​​​​​​

ଇଣ୍ଟର୍‌ନ୍ୟାସନାଲ ସ୍ପାଇ ମ୍ୟୁଜିୟମ୍‌ରେ ଏକ ବିଭାଗ ଅଛି, ଯାହା ପ୍ରସିଦ୍ଧ ସ୍ପାଇ ଫିଲ୍ମ ଓ ସିରିଜ୍‌ ପାଇଁ ସମର୍ପିତ । ଏଥିରେ ପ୍ରାୟ ୨୫ ଅନ୍ତର୍ଜାତୀୟ ଫିଲ୍ମ ଓ ସିରିଜ୍‌ର ପୋଷ୍ଟର୍‌ ପ୍ରଦର୍ଶିତ ହୋଇଛି । ତନ୍ମଧ୍ୟରେ ସଦ୍ୟ ସ୍ଥାନ ପାଇଛି ଏକ୍‌ ଥା ଟାଇଗର। ଏହି ବିଭାଗରେ ପୂର୍ବରୁ କସିନୋ ରୟେଲ, ମିଶନ୍‌ ଇମ୍ପସିବଲ୍‌, ସ୍ପାଇ ଗେମ୍ସ, ଟିଙ୍କର୍‌ ଟେଲର୍‌ ସୋଲ୍‌ଜର ସ୍ପାଇ, ସେଭେନ୍‌ଟିନ୍‌ ମୋମେଣ୍ଟ୍‌ସ ଅଫ୍‌ ସ୍ପ୍ରିଙ୍ଗ୍‌, ଓଏସ୍‌ଏସ୍‌ ୧୧୭, ଜି ମେନ୍‌, ଦ ଇମିଟେସନ୍‌ ଗେମ୍‌, ମିଷ୍ଟର୍‌ ଆଣ୍ଡ ମିସେସ୍‌ ସ୍ମିଥ୍‌, ବ୍ରିଜ୍‌ ଅଫ୍‌ ସ୍ପାଇସ୍‌, ହୋମ୍‌ଲାଣ୍ଡ୍‌, ଆଲିଆସ୍‌, ଫୌଦା, ଦ ପ୍ରିଜନର୍‌, ଗେଟ୍‌ ସ୍ମାର୍ଟ, ମେନ୍‌ ଇନ୍‌ ବ୍ଲାକ୍‌, ଦ ସିଜ୍‌, ଟର୍ନ: ୱାଶିଂଟନ୍ସ ସ୍ପାଇସ୍‌, ଦ ମ୍ୟାନ୍‌ ଫ୍ରମ୍‌ ୟୁ.ଏନ୍‌.ସି.ଏଲ୍‌.ଇ. ଭଳି ଫିଲ୍ମ ସ୍ଥାନ ପାଇଛନ୍ତି ।

ଏହି ସମ୍ମାନ ବିଷୟରେ ଏକ୍‌ ଥା ଟାଇଗରନିର୍ଦ୍ଦେଶକ କବୀର ଖାନ୍‌ କହିଛନ୍ତି, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଏହି ପୋଷ୍ଟର୍‌ ବିଭାଗରେ ସଲମାନ ଓ କ୍ୟାଟ୍ରିନାଙ୍କ ମୁହଁ ଦେଖି ଖୁବ୍‌ ଆନନ୍ଦିତ ଅନୁଭବ କରୁଛି । ସେ ଆହୁରି କହିଛନ୍ତି, ଫିଲ୍ମକୁ ପ୍ରଶଂସା କରି ଲୋକେ ଏବେ ବି ଅସଂଖ୍ୟ ମେସେଜ୍‌ କରୁଛନ୍ତି ।