କେବଳ ଚୋରି, ଡକାୟତି, ହଣାମରା, ଦୁର୍ଘଟଣା, ଆତ୍ମହତ୍ୟା ଠାରୁ ଆରମ୍ଭ କରି ଶିଶୁ ଏବଂ ନାରୀ ନିର୍ଯାତନାରେ ଭରପୂର ଖବର ସମାଜକୁ ସତେଯେପରି ତାଚ୍ଛଲ୍ୟ କରିବା ପାଇଁ ଗୋଟିଏ ହାତରୁ ଆଉ ଗୋଟିଏ ହାତକୁ ଘୂରି ବୁଲୁଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଖି ତରାଟି ପରସ୍ପରକୁ ପ୍ରଶ୍ନ କରୁଛନ୍ତି- ଏତେ ଟଙ୍କା, ଏତେ ସୁନା, ଏତେ ବଡ଼ ବଡ଼ ଘର! ସେଥିରୁ ଆମକୁ କିଛି ମିଳିଯାଆନ୍ତା କି? ଉକ୍ତ କଥୋପକଥନ ମଧ୍ୟରେ ହସଖୁସିର ବାତାବରଣ କିଛି ସମୟ ପାଇଁ ଅର୍ଥାତ୍ ଶ୍ରେଣୀକୁ ଶିକ୍ଷକ ଆସିବା ଯାଏଁ ଚାଲେ ।
ଭାରତର ସଭ୍ୟତା, ତା'ର ସଂସ୍କୃତିରେ ସନାତନୀ ବା ସନାତନ ଧର୍ମର ପ୍ରଭାବକୁ ବିଶ୍ଳେଷଣ କରିବାକୁ ବିଶ୍ୱର ଅନେକ ଦାର୍ଶନିକ, ଧର୍ମଯାଜକଙ୍କ ସହିତ ପରିବ୍ରାଜକମାନେ ତତ୍ପର ହୋଇଉଠନ୍ତି । ଭାରତୀୟମାନଙ୍କର ଧର୍ମଧାରଣା ସହିତ ଯୌଥ ପରିବାର, ଖାଦ୍ୟପେୟଠାରୁ ଆରମ୍ଭ କରି ଶିକ୍ଷା ପଦ୍ଧତିରେ ସ୍ଥାନ ପାଇଥିବା ବୈଦିକ ଶାସ୍ତ୍ର, ଗଣିତ ଶାସ୍ତ୍ର, ଜ୍ୟୋତିବିଜ୍ଞାନ ମାଧ୍ୟମରେ ଗ୍ରହ ନକ୍ଷତ୍ରର ଚଳନ, ପାଣିପାଗର ଆକଳନ, ଆୟୁର୍ବେଦ ମାଧ୍ୟମରେ ଚିକିତ୍ସା ସହିତ ଏବେ ଯୋଡ଼ି ହୋଇଯାଇଛି ଯୋଗ ଶିକ୍ଷା । ଉକ୍ତ ଶିକ୍ଷା ମଣିଷକୁ ଯେ କେବଳ ସୁସ୍ଥ ରଖିବାରେ ସାହାଯ୍ୟ କରେ, ତାହା ନୁହେଁ ବରଂ ଅଧିକ ଦକ୍ଷତା ସହିତ ଶୃଙ୍ଖଳିତ ତଥା ସଂସ୍କାରିତ ଜୀବନକୁ ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଖୁସିର କଥା ହେଲା, ଏବେ ପୃଥିବୀର ଅଧିକାଂଶ ଦେଶ ଯୋଗ ଶିକ୍ଷାକୁ କିଛି ମାତ୍ରାରେ ଆପଣେଇ ନେଲେଣି । ସେମାନେ ଯୋଗକୁ ମାନସିକ ଶକ୍ତି ସହିତ ବୌଦ୍ଧିକ ଶକ୍ତି ବିକାଶର ଏକ ବଳିଷ୍ଠ ମାଧ୍ୟମ ବୋଲି ସ୍ଥିର କରି ଭାରତୀୟ ସଂସ୍କୃତିକୁ ଆପଣେଇବା ପାଇଁ ଆଗ୍ରହ ପ୍ରକାଶ କଲେଣି ।
ଇତିହାସରୁ ଜଣାଯାଏ ଯେ, ଭାରତବର୍ଷ ଉପରେ ଘନଘନ ଆକ୍ରମଣ ସହିତ ତାହାର ପୋଥି ପୁରାଣକୁ ନଷ୍ଟ କରିବାର ପ୍ରୟାସରେ ବ୍ରତୀ ବିଧର୍ମୀମାନେ ନିଜର ପରାକ୍ରମ ବଳରେ ନାଳନ୍ଦା ଭଳି ପୃଥିବୀ ବିଖ୍ୟାତ ବିଶ୍ୱବିଦ୍ୟାଳୟର ପାଠାଗାରରେ ଗଚ୍ଛିତ ଥିବା ଅନେକ ଉପାଦେୟ ଗ୍ରନ୍ଥାବଳୀକୁ ଜାଳି ପୋଡ଼ି ଛାରଖାର କରିଦେଲେ । ଉଦ୍ଦେଶ୍ୟ ଥିଲା, ହିନ୍ଦୁ ଧର୍ମାବଲମ୍ବୀମାନେ ଦିବ୍ୟଜ୍ଞାନ ରହିତ ହୋଇ ଆସୁରିକ ପ୍ରବୃତ୍ତିକୁ ଆପଣେଇବାକୁ ବାଧ୍ୟ ହେବେ କିମ୍ବା ମନୁଷ୍ୟରୂପୀ ପଶୁ ଭଳି ଆଚରଣକୁ ପ୍ରଦର୍ଶିତ କରି ବିଶ୍ୱ ଦରବାରରେ ନିନ୍ଦିତ ହେବେ । ସେମାନଙ୍କର ଉଦ୍ଦେଶ୍ୟ କିଛି ମାତ୍ରାରେ ସଫଳ ହେବା ଘଟଣା ଏବେ ଦେଖାଯାଉଛି । ଆଦର୍ଶରହିତ ବିଦ୍ୟାଧ୍ୟୟନ ସତେଯେପରି ସ୍ୱାର୍ଥସର୍ବସ୍ୱ ହେବାରେ ଲାଗିଛି । ବେଦ ଉପନିଷଦ ଭଳି ଧର୍ମଗ୍ରନ୍ଥର ପ୍ରଭାବ ସମାଜରୁ ଧୀରେ ଧୀରେ ଲୋପ ପାଇଗଲାଣି । ତଥାପି କେତେଜଣ ମହାପୁରୁଷ ଭାରତୀୟ ସଂସ୍କାର, ସଂସ୍କୃତି ସହିତ ତା'ର ଉଚ୍ଚ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ସେଥିପାଇଁ ବିଦ୍ୟାଳୟ ସ୍ତରରୁ ଯୋଗ ଶିକ୍ଷା ଭଳି ମହତ ଶିକ୍ଷାର ପ୍ରଚଳନ କରାଯାଉଛି । ତଥାପି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚିନ୍ତା ବଢ଼ୁଛି । ବିଶେଷକରି ଅଭିଭାବକମାନେ ଶାନ୍ତିରେ ଶୋଇ ପାରୁନାହାଁନ୍ତି । ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବା ଆଶାରେ ଶିକ୍ଷକମାନେ । ବିଦ୍ୟାଳୟରେ ଆଜିର ଅନୁଚିନ୍ତା ସହିତ କେତେଗୁଡ଼ିଏ ନୀତିଶିକ୍ଷାକୁ ଖବରକାଗଜରୁ ସଂଗ୍ରହ କରି ପ୍ରାର୍ଥନା ସଭାରେ ପାଠ କରିସାରିଲା ପରେ ମୁଖ୍ୟ ଖବରକୁ ପଢ଼ିବା ପାଇଁ କେତେଜଣ ଦକ୍ଷ ଛାତ୍ରଛାତ୍ରୀଙ୍କ ହାତକୁ ବଢ଼ାଇ ଦିଅନ୍ତି ।
ଏବେ କିନ୍ତୁ ପ୍ରଧାନ ଶିକ୍ଷକ କିମ୍ବା ଶ୍ରେଣୀ ଶିକ୍ଷକ ପଠନଯୋଗ୍ୟ ଖବରକୁ ଖବରକାଗଜର ପୃଷ୍ଠାମାନଙ୍କରୁ ଖୋଜି ବାହାର କରି ନିଜେ ପଢ଼ୁଛନ୍ତି । କେତୋଟି ଜାତୀୟ ଏବଂ ଅନ୍ତର୍ଜାତୀୟ ଖବରର ଶିରୋନାମାକୁ ପଢ଼ିଦେଇ ଶିକ୍ଷକ ଜଣକ ମୁଣ୍ଡ ତଳକୁ କରି ଠିଆ ହେଉଛନ୍ତି । କାରଣ, ପିଲାମାନଙ୍କୁ ଜଣାଇଲା ଭଳି ସ୍ଥାନୀୟ ଖବର ଆଉ ନାହିଁ କହିଲେ ଚଳେ । କେବଳ ଚୋରି, ଡକାୟତି, ହଣାମରା, ଦୁର୍ଘଟଣା, ଆତ୍ମହତ୍ୟା ଠାରୁ ଆରମ୍ଭ କରି ଶିଶୁ ଏବଂ ନାରୀ ନିର୍ଯାତନାରେ ଭରପୂର ଖବର ସମାଜକୁ ସତେଯେପରି ତାଚ୍ଛଲ୍ୟ କରିବା ପାଇଁ ଗୋଟିଏ ହାତରୁ ଆଉ ଗୋଟିଏ ହାତକୁ ଘୂରି ବୁଲୁଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଖି ତରାଟି ପରସ୍ପରକୁ ପ୍ରଶ୍ନ କରୁଛନ୍ତିଏତେ ଟଙ୍କା, ଏତେ ସୁନା, ଏତେ ବଡ଼ ବଡ଼ ଘର! ସେଥିରୁ ଆମକୁ କିଛି ମିଳିଯାଆନ୍ତା କି? ଉକ୍ତ କଥୋପକଥନ ମଧ୍ୟରେ ହସଖୁସିର ବାତାବରଣ କିଛି ସମୟ ପାଇଁ ଅର୍ଥାତ୍ ଶ୍ରେଣୀକୁ ଶିକ୍ଷକ ଆସିବା ଯାଏଁ ଚାଲେ । ଆଲୋଚନାର ଅନ୍ତ ନାହିଁ । ପ୍ରକାଶିତ ଖବରରେ ପ୍ରଭାବିତ ହୋଇଥିବା କେତେଜଣ ଛାତ୍ରଛାତ୍ରୀ ସେମାନଙ୍କର ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖନ୍ତି । କିଏ ଭିଜିଲାନ୍ସ ଅଫିସର ହେବାକୁ ମନ ବଳାଏ ତ, କିଏ ଜଣେ ଦକ୍ଷ ଇଞ୍ଜିନିୟର, ନଚେତ୍ ଜଣେ ବନ ରକ୍ଷକ ହେବାକୁ ମନ ବଳାଏ । ମାତ୍ର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ‘ସାଇପ୍ରସାଦ' ଏବେ ଦୃଢ଼ତାର ସହିତ କହୁଛି “ମୁଁ ସାଇବାବାଙ୍କ ଭଳି ନହେଲା ନାହିଁ ପଛେ, ଜଣେ ବଡ଼ ବାବା ହୋଇ ଧର୍ମ ପ୍ରଚାରକ ରୂପେ ନାଁ କରିବି । ସେଥିପାଇଁ ତ ମୁଁ ଏବେଠାରୁ ଗୀତା ସହିତ ଅନେକ ଧର୍ମଗ୍ରନ୍ଥକୁ ମୁଖସ୍ଥ କରିବାକୁ ଆପ୍ରାଣ ଉଦ୍ୟମ କରୁଛି ।
ଆମ ଦେଶରେ ଏବେ ଦଶହଜାରରୁ ଅଧିକ ସଂଖ୍ୟକ ଶିବ ମନ୍ଦିର ଥିବାବେଳେ ଏକଶହ ଆଠଟି ପ୍ରସିଦ୍ଧ ବିଷ୍ଣୁଙ୍କ ମନ୍ଦିର ସ୍ଥାପନ କରାଯାଇ ପୂଜା ଅର୍ଚ୍ଚନା କରାଯାଉଛି । ସେହିଭଳି ଦୁର୍ଗାଙ୍କ ସହିତ ଅନ୍ୟ ଦେବଦେବୀଙ୍କ ମନ୍ଦିରର ସଂଖ୍ୟା ମଧ୍ୟ କମ୍ ନୁହେଁ । ସେହି ଅନୁସାରେ ଲବ୍ଧପ୍ରତିଷ୍ଠିତ ଧର୍ମପ୍ରଚାରକ ବା ସନ୍ନ୍ୟାସୀଙ୍କ ସଂଖ୍ୟା ମଧ୍ୟ ଢେର୍ ଅଧିକ । ମନ୍ଦିରର ପ୍ରସାଦ, ତା'ର ପରିବେଶ, ବିଶେଷକରି ଶୁଦ୍ଧପୂତ ହୋଇ ପ୍ରବେଶ କରୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବା ଭକ୍ତଗଣ କେତେଗୁଡ଼ିଏ ମନସ୍କାମନାକୁ ସାଥିରେ ଧରି ଆସିଥାଆନ୍ତି । ସେମାନଙ୍କର ଆଶା ପୂରଣ କରିବାକୁ ଈଶ୍ୱରଙ୍କ ନିକଟରେ ଗୁହାରି କରନ୍ତି । ତଥାପି ଆମ ଦେଶରୁ ଦାରିଦ୍ର୍ୟ ସହିତ ମୂର୍ଖତା କମିବାର ହାର ଯେଉଁ ମାତ୍ରାରେ କମିବା କଥା ତାହା ହେଉନାହିଁ । ତେଣୁ ମୁଁ ପ୍ରତିଜ୍ଞା କରିଛି ଜଣେ ଧର୍ମଯାଜକ ହେବି । ଧର୍ମ ପ୍ରଚାରକ ହିସାବରେ ସାଧାରଣ ଲୋକଙ୍କୁ ସଚେତନ କରିବି । କଷ୍ଟ ଅର୍ଜିତ ସମ୍ପତ୍ତିର ମୂଲ୍ୟ ଏବଂ ତାକୁ ହାସଲ କରିବାରେ ଯେଉଁ ଆନନ୍ଦ ଥାଏ, ତାହା ଚୋରି କିମ୍ବା ଠକେଇ ଦ୍ୱାରା ଅର୍ଜିତ ଧନ ସହ ସମାନ ହୋଇପାରିବ ନାହିଁ, କିମ୍ବା ମନକୁ ଶାନ୍ତି ପ୍ରଦାନ କରିପାରିବ ନାହିଁ । ଏହା ବ୍ୟତୀତ ଆଗାମୀ ପିଢ଼ିଙ୍କ ଉପରେ ସେସବୁର ପ୍ରଭାବ କିଭଳି ପଡ଼ିବ? ସେମାନେ କିଭଳି ମଣିଷ ହେବେ । ତାକୁ ଚିନ୍ତା କରାଯାଇପାରିବ ନାହିଁ । ସେମାନେ ତ ପରିବାରଟିଏ ଗଢ଼ିପାରିବେ ନାହିଁ, ଦେଶ ଗଢ଼ିବା କଥା କିଏ ପଚାରେ?”
ପିଲାଟିର ସ୍ୱପ୍ନ, ତା’ର ନିର୍ଭୀକ ବକ୍ତବ୍ୟ ସାଙ୍ଗମାନଙ୍କଠାରୁ ଯାଇ କେତେଜଣ ଶିକ୍ଷକଙ୍କ କାନରେ ପଡ଼ିଗଲା । ଆଲୋଚନା ଚାଲିଲା, ଅଭିଭାବକମାନେ ଆଲୋଚନାରେ ଭାଗ ନେଲେ । ସଚ୍ଚୋଟତା ସହିତ କଡ଼ା ଶାସନ ବ୍ୟବସ୍ଥାରେ ଆଗୁଆ ଥିବା ଛୋଟ ଦେଶ ସିଙ୍ଗାପୁର ଏବଂ ତା’ ସହିତ ସ୍ୱିଜରଲ୍ୟାଣ୍ଡର ସ୍ୱାଧୀନତାକୁ ଉପଭୋଗ କରୁଥିବା ଦେଶବାସୀଙ୍କର ଆର୍ଥିକ ସ୍ୱଚ୍ଛଳତାକୁ ନେଇ ଅଭିଭାବକମାନେ ନିଜ ନିଜ ମଧ୍ୟରେ ଆଲୋଚନା କଲେ । ଆମ ଦେଶର ଯେ, ଆର୍ଥିକ ଅଭିବୃଦ୍ଧି ହେଉନାହିଁ ତାହା କହିହେବ ନାହିଁ । ଶିକ୍ଷିତ କରିବା ଏବଂ ଶିକ୍ଷିତ ହେବାର ନିଶା ପାଇଁ ଏବେ ଆମ ରାଜ୍ୟ ସହିତ ସମଗ୍ର ଦେଶରେ ଅନେକଗୁଡ଼ିଏ ଆବାସିକ ସ୍କୁଲ କଲେଜ ଖୋଲାଯାଇଛି । ପିତାମାତାଙ୍କର ସ୍ୱପ୍ନକୁ ସାକାର କରିବା ସହିତ ପିଲାଟି ଅନେକ ସ୍ୱପ୍ନକୁ ନେଇ ଘର ଛାଡ଼ୁଛି । ସେଠାରେ ପହଞ୍ଚିବା ମାତ୍ରେ, ଖାଇବା, ଶୋଇବା, ପିନ୍ଧିବା ଭଳି ସାଧାରଣ ମୌଳିକ ଆବଶ୍ୟକତା ଉପରେ କଟକଣା ଲଗାଯାଉଛି । ତା' ସହିତ ପିତାମାତାଙ୍କର ସ୍ନେହ, ଶ୍ରଦ୍ଧା, ଭାଇ ଭଉଣୀ, ସବୁ ପଛରେ ରହିଯାଉଛନ୍ତି । ଏକ ଅସ୍ୱସ୍ତିକର ପରିବେଶରେ ନିଜକୁ ଖାପ ଖୁଆଇ ଚଳିବା ପୂର୍ବରୁ ପାଠ ଏବଂ ପରୀକ୍ଷା ଚାପରେ ଚାପି ହୋଇଯାଉଥିବା ପିଲାଟି ଧୀରେ ଧୀରେ ନିଜକୁ ଚଳାଇ ନେବାକୁ ଚେଷ୍ଟା କରେ । ସେଥିରେ ପୁଣି ଯୋଡ଼ି ହୋଇଯାଆନ୍ତି ସାଙ୍ଗସାଥୀ, କିଏ ସୁ-ସାଙ୍ଗ ରୂପେ ଉଭା ହୁଏ ତ, କିଏ କୁ-ସାଙ୍ଗ ରୂପେ ଆବିର୍ଭାବ ହୋଇ ପିଲାଟି ଜୀବନର ଗତିପଥକୁ ବଦଳାଇ ଦିଏ । ତାହା ପୁଣି ନିର୍ଭର କରେ ଭାଗ୍ୟ ଉପରେ । ଏତେସବୁ ପ୍ରତିକୂଳ ପରିବେଶ ମଧ୍ୟରେ ଚଳୁଥିବା ପିଲାଟି ନିଜର ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡ଼େ । ମନର କଥାକୁ ସଠିକ୍ ସ୍ଥାନରେ ଉପସ୍ଥାପନ କରିନପାରି ଆତ୍ମହତ୍ୟା ଭଳି କଠୋର ପଦକ୍ଷେପକୁ ଆପଣେଇ ନିଏ । ଯାହାର ପ୍ରଭାବ କେବଳ ପରିବାର ଉପରେ ପଡ଼େନାହିଁ, ବରଂ ସମଗ୍ର ଦେଶ ତଥା ଜାତିର ଅପୂରଣୀୟ କ୍ଷତି ହୋଇଥାଏ । ଏବେ ଏକ ଛାତିଥରା ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରତି ଏକ ଲକ୍ଷରେ ଅଠରରୁ ପଚିଶି ବର୍ଷ ମଧ୍ୟରେ ଥିବା ଯୁବକ ଯୁବତୀଙ୍କ ମଧ୍ୟରୁ ଚଉଦ ଜଣ ଆତ୍ମହତ୍ୟା ଭଳି କୁପଥକୁ ଆପଣେଇ ନେଉଛନ୍ତି ।
ସେହିଭଳି କୁପଥ ବା ଅତ୍ୟଧିକ କାମ, କ୍ରୋଧ, ଲୋଭ-ମୋହର ବଶବର୍ତ୍ତୀ ହୋଇ ନିଜର ମାନ-ସମ୍ମାନକୁ ବଳି ପକାଉଥିବା ଭଦ୍ରବ୍ୟକ୍ତିମାନେ ଚଳିତ ବର୍ଷ ବାଇଶି ହଜାର କୋଟିର କଳାଧନକୁ ସଂଚୟ କରି କିଏ ଜେଲ୍କୁ ଯାଇଛନ୍ତି ତ କିଏ ନିଜର କୃତକର୍ମ ପାଇଁ ପରିବାର ସହ ବନ୍ଧୁବାନ୍ଧବ, ସାଙ୍ଗସାଥୀମାନଙ୍କୁ ଲଜ୍ୟାରେ ମୁହଁ ଦେଖାଇ ପାରୁନାହାଁନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଆମ ଶାସ୍ତ୍ରରେ ବିଶେଷ କରି ଗୀତାରେ ଆତ୍ମହତ୍ୟାକୁ ପାପ ବୋଲି ବିଚାର କରାଯାଇଛି, କାରଣ ଆତ୍ମହତ୍ୟା କରୁଥିବା ବ୍ୟକ୍ତିବିଶେଷ ଅତ୍ୟନ୍ତ ସ୍ୱାର୍ଥପର ହେବାବେଳେ ଅତ୍ୟଧିକ ଲୋଭର ବଶବର୍ତ୍ତୀ ହୋଇ ଜନସାଧାରଣ ବା ଦେଶର ସମ୍ପତ୍ତିକୁ ଚୋରି କରୁଥିବା ସ୍ୱାର୍ଥପର ବ୍ୟକ୍ତି ମଧ୍ୟ ବଞ୍ଚିଥାଇ ଆତ୍ମହତ୍ୟା କରୁଥିବା ପାପୀ ସହିତ ସମାନ ଦଶା ଭୋଗ କରେ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ଯାହାର ବହୁଳ ପ୍ରସାର କୌଣସି ଏକ ଉପଯୁକ୍ତ ମାଧ୍ୟମ ଦ୍ୱାରା ହୋଇପାରିଲେ ଅତ୍ୟଧିକ ପାଇବାର ଆଶା ମଉଳିଯାଇ ବୁଦ୍ଧିମାନ ମଣିଷଙ୍କ ଦ୍ୱାରା "ଧରା ସରା'ରେ ପରିଣତ ହୋଇପାରନ୍ତା । ନଚେତ୍ ସେହି ଭାଗବତ ବାଣୀର ଝଙ୍କାର ଏହି କଳିଯୁଗରେ ଜନମାନସକୁ ଚେତାଇ ଦେବ "ସର୍ବେ ହୋଇବେ ଏକାକାର...’ ।