ନୂଆଦିଲ୍ଲୀ,୧୬/୦୯: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭୋଟ ଚୋରିକୁ ନେଇ ବିବାଦ ଲାଗି ରହିଥିଲା ବେଳେ ଏହା ଉପରେ ମୁହଁ ଖୋଲିଛନ୍ତି ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏସ୍‌.ୱାଇ କ୍ୟୁରେସି । ନିର୍ବାଚନ କମିଶନଙ୍କୁ ସମାଲୋଚନା କରି ସେ  କହିଛନ୍ତି ରାହୁଲ ଉଠାଇଥିବା ଅଭିଯୋଗ ଉପରେ କମିଶନ ଯାଞ୍ଚ କରିବା ଆବଶ୍ୟକ ।  ରାହୁଲଙ୍କ ବିରୋଧରେ ଆପତ୍ତିଜନକ ଓ  ଅପମାନଜନକ ଭାଷା ପ୍ରୟୋଗରୁ ନିର୍ବାଚନ  କମିଶନ କ୍ଷାନ୍ତ ରହିବା ଉଚିତ ବୋଲି ସେ  କହିଛନ୍ତି ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ କ୍ୟୁରେସି କହିଛନ୍ତି ଯେ, ରାହୁଲ ଭୋଟ ଚୋରି ଅଭିଯୋଗ କରିବା ସମୟରେ ହାଇଡ୍ରୋଜେନ ବୋମା ଭଳି କେତେକ ରାଜନୈତିକ ଶବ୍ଦ ବ୍ୟବହାର କରିଥିଲେ । ଏହା କେବଳ ରାଜନୈତିକ ବୟାନବାଜି । କିନ୍ତୁ ସେ ଯେଉଁ  ଗମ୍ଭୀର ସମସ୍ୟା କଥା ଉଠାଇଛନ୍ତି ତାହା  ଭଲ ଭାବେ ଯାଞ୍ଚ କରାଯିବା ଉଚିତ । ବିହାର  ଭୋଟର ତାଲିକାରେ ହେଉଥିବା ସ୍ୱତନ୍ତ୍ର  ବ୍ୟାପକ ସଂଶୋଧନ (ଏସ୍‌ଆଇଆର)  ଉପରେ ପ୍ରତିକ୍ରିୟା ରଖି କ୍ୟୁରେସି କହିଛନ୍ତି  ଯେ ଏହା ନିର୍ବାଚନ କମିଶନଙ୍କ ଭାନୁମତୀ  ପେଡି ଖୋଲିଦେଇଛି । ମହୁମାଛିଙ୍କ ବସାରେ  ହାତ ଲଗାଇବା ଭଳି ହୋଇଛି । ଏଥିରେ  ନିର୍ବାଚନ କମିଶନ ନିଜେ କ୍ଷତିଗ୍ରସ୍ତ ହେବ ।  ନିର୍ବାଚନ କମିଶନ ନିରପେକ୍ଷ ହେବା ସହ  ନିରପେକ୍ଷ ଦେଖାଇବା ମଧ୍ୟ ଆବଶ୍ୟକ  ବୋଲି ସେ କହିଛନ୍ତି ।

କ୍ୟୁରେସି କହିଛନ୍ତି ରାହୁଲ ହେଉଛନ୍ତି ବିରୋଧୀ ଦଳ ନେତା । ସେ କୋଟି କୋଟି ଲୋକଙ୍କ ସ୍ୱର ଉଠାଉଛନ୍ତି । କିନ୍ତୁ ନିର୍ବାଚନ କମିଶନ ତାଙ୍କୁ ସତ୍ୟପାଠ ଦାଖଲ କର ନଚେତ କ୍ଷମା ମାଗ ବୋଲି ଯେଉଁ ଭାଷା ବ୍ୟବହାର କରିଛନ୍ତି ତାହା ଠିକ୍‌ ନୁହେଁ । ଏହାକୁ ନିର୍ବାଚନ କମିଶନଙ୍କ ଗରିମା ବିରୋଧୀ ବୋଲି ଉଳ୍ଲେଖ କରି କ୍ୟୁରେସି  କହିଛନ୍ତି ଯେ ଅଭିଯୋଗର ଯାଞ୍ଚ କରିବା  ବଦଳରେ ଧମକ ଦେବା ଆଦୌ ଗ୍ରହଣୀୟ  ନୁହେଁ । ଏସ୍‌ଆଇଆରକୁ ସେ ବିପଜ୍ଜନକ  ବୋଲି ଉଲ୍ଲେଖ କରିଛନ୍ତି । କହିଛନ୍ତି ୩୦  ବର୍ଷ ଭିତରେ ଯେଉଁ କାର୍ଯ୍ୟ ଧିରେ ଧିରେ  ହେଉଥିଲା ତାକୁ କିଛି ମାସ ଭିତରେ  ପରିବର୍ତ୍ତନ କରିଦେବା ଭୁଲ। ସେହିଭଳି ବିରୋଧୀ ଦଳମାନଙ୍କ ସହ ନିର୍ବାଚନ  କମିଶନଙ୍କ ବ୍ୟବହାରକୁ ନେଇ ସେ  ଚିନ୍ତାପ୍ରକଟ କରିଛନ୍ତି । କହିଛନ୍ତି ଲୋକତନ୍ତ୍ରର  ମଜଭୁତ ପାଇଁ ବିରୋଧୀଙ୍କ କଥା ଶୁଣିବାକୁ ହେବ । କିନ୍ତୁ ଆଜି ପରିସ୍ଥିତି ଏଭଳି ହୋଇଛି  କି ୨୩ଟି ଦଳ କହୁଛନ୍ତି ଯେ ନିର୍ବାଚନ କମିଶନଙ୍କୁ ଭେଟିବାକୁ ସେମାନଙ୍କୁ ସମୟ ଦିଆଯାଉନାହିଁ । ଏହା ଗଣତନ୍ତ୍ର ପ୍ରତି ବିପଦ  ବୋଲି କ୍ୟୁରେସି କହିଛନ୍ତି ।