ଭୁବନେଶ୍ଵର, ୨୩/୯ : ଭିଜିଲାନ୍ସ ଜାଲରେ ବିବିସିସି ବ୍ୟାଙ୍କ ଲିମିଟେଡ୍ ଅଧୀନରେ ଥିବା ତିହିଡ଼ି ବାମନବିନ୍ଧା ସେବା ସମବାୟ ସୋସାଇଟିର ପୂର୍ବତନ ସେକ୍ରେଟାରୀ ସୁଦର୍ଶନ ଖଟୁଆ। ଲକ୍ଷାଧିକ ଟଙ୍କାର ସୋସାଇଟି ଫଣ୍ଡ୍ ଆତ୍ମସାତ୍ କରିବା ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ସୁଦର୍ଶନଙ୍କ ବିରୋଧରେ ୧୩ ଲକ୍ଷରୁ ଅଧିକ ଟଙ୍କା ହେରଫେର୍ କରିଥିବା ଅଭିଯୋଗ ରହିଛି । ଭିଜିଲାନ୍ସ ଟିମ୍ ଏନେଇ ଅଧିକ ତଦନ୍ତ ଚଳାଇଛି। 

ସୂଚନାନୁଯାୟୀ, ସୁଦର୍ଶନ ଖଟୁଆ ତିହିଡ଼ି ବାମନବିନ୍ଧା ସେବା ସମବାୟର ସେକ୍ରେଟାରୀ ଥିବା ସମୟରେ ସରକାରୀ ରେକର୍ଡକୁ ହେରଫେର କରିଥିଲେ । ସୋସାଇଟ ଫଣ୍ଡ୍‌ରୁ ସଦସ୍ୟଙ୍କ ସଞ୍ଚୟ ବ୍ୟାଙ୍କ ଜମା ଉଠାଇଥିଲେ । 'ଡେ ବୁକ୍‌ରେ କମ୍ ବାଲାନ୍ସ' ଦେଖାଇ ଫଣ୍ଡ୍‌ ପାଣ୍ଠିର ଅପବ୍ୟବହାର କରୁଥିଲେ। ସରକାରଙ୍କ ଦ୍ୱାରା ସ୍ଥିରୀକୃତ ମୂଲ୍ୟଠାରୁ ଅଧିକ ମଣ୍ଡି ଲେବର ଚାର୍ଜ କରି ୧୩ ଲକ୍ଷ ୩୨ ହଜାର ୨୬୦ ଟଙ୍କାର ପାଣ୍ଠି ହଡ଼ପ କରିଥିଲେ। ଏନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ବାଲେଶ୍ଵର ଭିଜିଲାନ୍ସ ଏନେଇ ତଦନ୍ତ କରବା ପରେ ସୁଦର୍ଶନଙ୍କୁ ଗିରଫ କରିଛି। ଏନେଇ ଭିଜିଲାନ୍ସ ଟିମ୍ ଅଧିକ ଛାନଭିନ୍ ଚଳାଇଛି।