ନୂଆଦିଲ୍ଲୀ: ଆସନ୍ତା ହାଲୋୱିନ ସପ୍ତାହନ୍ତରେ ଆମେରିକା ଉପରେ ହେବାକୁ ଥିବା ବଡ ଧରଣର ଆତଙ୍କୀ ଆକ୍ରମଣ ଯୋଜନାକୁ ପଣ୍ଡ କଲା ଆମେରିକୀୟ ସୁରକ୍ଷା ଏଜେନ୍ସି FBI। ଏହି ସମ୍ଭାବିତ ଆକ୍ରମଣ ମିଶିଗନରେ ହେବାକୁ ଥିଲା ବୋଲି FBIର ନିର୍ଦ୍ଦେଶକ କାଶ ପଟେଲ ସୁଚନା ଦେଇଛନ୍ତି। ଏହି ମାମଲାରେ ଏକାଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ହେପାଜତକୁ ନିଆଯାଇଥିବା ନେଇ ମଧ୍ୟ ସେ ସୂଚନା ପ୍ରଦାନ କରିଛନ୍ତି।

ଏନେଇ FBI କର୍ତ୍ତୃପକ୍ଷ କୌଣସି ବ୍ୟକ୍ତିବିଶେଷ କିମ୍ବା ଷଡ଼ଯନ୍ତ୍ରର ବିଷୟରେ କୌଣସି ପ୍ରକାଶ ସୂଚନା ପ୍ରକାଶ କରିନାହାଁନ୍ତି। ତେବେ ପଟେଲ ଫେଡେରାଲ୍ ଏବଂ ସ୍ଥାନୀୟ ଆଇନ ପ୍ରବର୍ତ୍ତନ ଦଳଗୁଡ଼ିକୁ ସେମାନଙ୍କର ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିଜ ଏକ୍ସ ହ୍ୟାଣ୍ଡେଲରେ ପ୍ରଶଂସା କରିଛନ୍ତି। ସେମାନଙ୍କର ସତର୍କତା ଏକ ବଡ଼ ହିଂସାକାଣ୍ଡକୁ ଏଡାଇବାରେ ସାହାଯ୍ୟ କରିଛି ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ପଟେଲ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ ଜାରି କରି ଲେଖିଛନ୍ତି ଯେ, "ଆଜି ସକାଳେ FBI ଏକ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଛି ଏବଂ ହାଲୋୱିନ୍ ସପ୍ତାହାନ୍ତରେ ଏକ ହିଂସାତ୍ମକ ଆକ୍ରମଣ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ମିଶିଗନରେ ଅନେକ ଲୋକଙ୍କୁ ଗିରଫ କରିଛି। ଆଗକୁ ଏନେଇ ଅଧିକ ବିବରଣୀ ଆସିବ,"

FBIର ଡେଟ୍ରଏଟ୍ କ୍ଷେତ୍ର କାର୍ଯ୍ୟାଳୟ ଅବଶ୍ୟ ଏକ ଘଟଣାର ସୂଚନା ଦେଇ କହିଛି ଯେ, ଏଜେଣ୍ଟମାନେ ଶୁକ୍ରବାର ସକାଳେ ଡିୟରବର୍ଣ୍ଣ ଏବଂ ଇଙ୍କଷ୍ଟର ସହରରେ ଆଇନ ପ୍ରବର୍ତ୍ତନ କାର୍ଯ୍ୟକଳାପ ପରିଚାଳନା କରୁଥିଲେ। ତେବେ ପଟେଲଙ୍କ ବୟାନ ସହିତ ସେମାନଙ୍କର ଉପସ୍ଥିତିକୁ ନେଇ ଡେଟ୍ରଏଟ୍ ସିଧାସଳଖ କିଛି ଘୋଷଣା କରିନାହିଁ।

ଶୁକ୍ରବାର ସକାଳେ ମିଶିଗନର FBIର ସଦସ୍ୟମାନେ ଡିୟରବର୍ଣ୍ଣ ଏବଂ ଇଙ୍କଷ୍ଟର ସହରରେ ଉପସ୍ଥିତ ରହି ଆଇନ ପ୍ରବର୍ତ୍ତନ କାର୍ଯ୍ୟକଳାପ ପରିଚାଳନା କରୁଥିଲେ। ତେବେ ବର୍ତ୍ତମାନ ଜନସାଧାରଣଙ୍କ ସୁରକ୍ଷାକୁ ନେଇ ସେମିତି କିଛି ଅସୁବିଧା ନାହିଁ ବୋଲି ମିଶିଗନରେ ଉପସ୍ଥିତ ଅଧିକାରୀମାନେ ସୂଚନା ଦେଇଛନ୍ତି।