ନୂଆଦିଲ୍ଲୀ ୦୬/୧୦: ମହାରାଷ୍ଟ୍ରର ଜଣେ ଚାଷୀ ବିଗ୍ ବି ଅମିତାଭ ବଚ୍ଚନଙ୍କ କ୍ୱିଜ୍ ଶୋ’ କେବିସି (କୌନ ବନେଗା କaରୋଡପତି) ରେ ୫୦ ଲକ୍ଷ ଟଙ୍କା ଜିତି ଚର୍ଚ୍ଚାକୁ ଆସିଛନ୍ତି । ଛତ୍ରପତି ସମ୍ଭାଜୀନଗର ଜିଲ୍ଲା ପୈଠଣ ସହରର ବାସିନ୍ଦା ଚାଷୀ କୈଳାସ କୁନ୍ତେୱାର ଏହି ଲୋକପ୍ରିୟ ଟେଲିଭିଜନ ଶୋ’ରେ ୧୪ ପ୍ରଶ୍ନର ଠିକ୍ ଜବାବ ଦେଇଥିଲେ ।
କୈଳାସଙ୍କ ପାଖରେ ୨ ଏକର ଜମି ରହିଛି । ସେ ନିଜ ମାତାପିତା, ସ୍ତ୍ରୀ ଏବଂ ପିଲାଙ୍କ ସହ ବାସ କରନ୍ତି । ଗତ କିଛି ବର୍ଷ ହେଲା ସେ ଚାଷରେ ଅନେକ କ୍ଷତି ସହିଥିଲେ । ବନ୍ୟା, ମରୁଡ଼ି ଯୋଗୁ ଫସଲ ହାନି ହେବାରୁ ତାଙ୍କୁ ବେଶ୍ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିଲା । ଏହି କାରଣରୁ ତାଙ୍କୁ ଅନ୍ୟ ଜମିରେ ମଜୁରିଆ ଭାବେ କାମ କରିବାକୁ ପଡ଼ିଥିଲା । କିନ୍ତୁ କଷ୍ଟକର ସମୟ ଭିତରେ ବି ଏକ ସ୍ୱପ୍ନ ତାଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲା । ତାହା ଥିଲା କେବିସି ମଞ୍ଚରେ ପହଞ୍ଚିବା ।
କୈଳାସ ଏହି ରାଶି ଜିତିବା ପରେ କହିଛନ୍ତି, ୫୦ ଲକ୍ଷ ଟଙ୍କା ଜିତିବା ପରର ଖୁସି ମୁଁ ଶବ୍ଦରେ ବଖାଣିପାରୁନାହିଁ । ଆମ ଭଳି ଲୋକଙ୍କ ପାଇଁ ଏହି ଟଙ୍କା ବେଶ୍ ବଡ଼ । ଆମେ ଏତେ ଟଙ୍କା ପାଇବା ବିଷୟରେ ଶୁଣିବା ବି ଅବିଶ୍ୱସନୀୟ । ତାଙ୍କ କେବିସି ଯାତ୍ରା ବିଷୟରେ କୈଳାସ କହିଛନ୍ତି, ୨୦୧୫ରେ ପ୍ରଥମେ ମୋବାଇଲ କିଣିବା ପରେ ଏହି ଇଚ୍ଛା ମୋ’ ମନରେ ଜାଗ୍ରତ ହୋଇଥିଲା । ପିଲାଦିନରୁ ମୁଁ ପାଠପଢ଼ାରେ ଭଲ ଥିଲି । ଯାହା କିଛି ବି ଶୁଣେ ବା ପଢ଼େ ତାହା ସହଜରେ ମନେ ରଖିପାରୁଥିଲି । ମୋବାଇଲ କିଣିବା ପରେ ୟୁଟ୍ୟୁବରେ କେବିସି ଏପିସୋଡ୍ ଦେଖିବା ଆରମ୍ଭ କରିଥିଲି । କେବିସି କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ବୋଲି ଭାବୁଥିଲି । କାରଣ କେବଳ ପ୍ରଶ୍ନର ଉତ୍ତର ଦେଇ କେହି ଏତେ ଟଙ୍କା ଜିତିପାରିବେ ବୋଲି ବିଶ୍ୱାସ କରୁ ନ ଥିଲି । କିନ୍ତୁ ୨୦୧୮ରେ ହିଙ୍ଗୋଲି ଜିଲ୍ଲାର ଜଣେ କେବିସି ପ୍ରତିଯୋଗୀଙ୍କ ସହ କଥା ହେବା ପରେ ଜାଣିଲି ଯେ ସତରେ କେବିସିରେ ଟଙ୍କା ଜିତିହେବ ।
କୈଳାସ ଆହୁରି କହିଛନ୍ତି, ଏହା ପରଠାରୁ ମୋର କୌତୁହଳ ବଢ଼ିଥିଲା । ସେବେଠାରୁ ନିଜର ସାଧାରଣ ଜ୍ଞାନ ବଢ଼ାଇବା ପାଇଁ ୟୁଟ୍ୟୁବରେ ବିଭିନ୍ନ କାର୍ଯ୍ୟକ୍ରମ, ଭିଡିଓ ଆଦି ଦେଖୁଥିଲି । ଶେଷରେ ୭ ବର୍ଷର ପରିଶ୍ରମ ସଫଳ ହୋଇଥିଲା । ମୁଁ ନିଜକୁ କେବିସି ହଟ୍ ସିଟ୍ରେ ପାଇଲି । ୧୪ ପ୍ରଶ୍ନର ଉତ୍ତର ଠିକ୍ ଦେଇପାରିଥିଲି । କିନ୍ତୁ ୧୫ ନମ୍ବର ପ୍ରଶ୍ନରେ ୫୦-୫୦ ଲାଇଫ୍ ଲାଇନ ବ୍ୟବହାର କରିଥିଲେ ବି ଉତ୍ତର ସ୍ପଷ୍ଟ ଭାବେ ଜଣା ନ ଥିବାରୁ ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି । ପରେ କେବିସି୧୭ରୁ ୫୦ ଲକ୍ଷ ଟଙ୍କା ଜିତିପାରିଥିବା କୈଳାସ ଗଣମାଧ୍ୟମକୁ କହିଛନ୍ତି ।