ଜହ୍ନlପଙ୍କ, ୬/୯: ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପାକ୍ସ ଆଗରେ ଶନିବାର ୟୁରିଆ ସାର ପାଇଁ ଚାଷୀଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା l ସାର ପାଇଁ ସକାଳୁ ଆସି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ଚାଷୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା l ଏପରିକି ବସ୍ତାଏ ସାର ପାଇଁ ଆଧାର କାର୍ଡର ଜେରକ୍ସ କପି ମାଗୁଥିବାରୁ ଜେରକ୍ସ କରିବା ପାଇଁ ଦୋକାନରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ଏହାର ସୁଯୋଗ ନେଇ ଜେରକ୍ସ ଦୋକାନୀ ମଧ୍ୟ ଦର ବଢାଇ ଦେଇଥିଲା। ଗୋଟେ କପି ଜେରକ୍ସକୁ ପାଞ୍ଚ ଟଙ୍କା ନେଇଥିଲା।
ସୂଚନା ଅନୁଯାୟୀ ଖୁଣ୍ଟବନ୍ଧ ପାକ୍ସ ପଦ୍ମନପୁର, ଲଷ୍ମୀପ୍ରସାଦ ଓ ଖୁଣ୍ଟବନ୍ଧ ଆଦି ତିନି ଗୋଟି ଗ୍ରାମ ପଞ୍ଚାୟତର ଚାଷୀ ବହୁଳ ଗ୍ରାମକୁ ନେଇ ଗଠିତ । ମାର୍କଫେଡ ପକ୍ଷରୁ ଶୁକ୍ରବାର ମାତ୍ର ୩୧୫ ବସ୍ତା ୟୂରିଆ ସାର ବିକ୍ରୟ ପାଇଁ ଖୁଣ୍ଟବନ୍ଧ ପାକ୍ସକୁ ଆବଣ୍ଟିତ ହୋଇଛି । ସାର ଆସିଥିବା ସୂଚନା ପାଇ ଚାଷୀ ମାନେ ସକାଳୁ ପାକ୍ସରେ ପହଞ୍ଚି ଧାଡ଼ିରେ ରହିଥିଲେ l ସାର ତୁଳନାରେ ଚାଷୀ ସଂଖ୍ୟା ଅଧିକ ଥିବା ବେଳେ କେମିତି ସାର ବଣ୍ଟନ କରିବେ ପାକ୍ସ କର୍ମକର୍ତ୍ତାଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇ ଥିଲା। ଦୀର୍ଘ ସମୟ ଧରି ଅପେକ୍ଷା କରି ସାର ପାଇ ପାରି ନଥିବା ଚାଷୀ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ତୁରନ୍ତ ପ୍ୟାକ୍ସକୁ ଅଧିକ ସାର ଯୋଗାଇ ନଦେଲେ ଚାଷୀମାନେ ରାଜ ରାସ୍ତାକୁ ଓହ୍ଲେଇବାକୁ ଚେତାବନୀ ଦେଇଛନ୍ତି।