ବରଗଡ଼ ୧୬/୦୯: ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ ପଞ୍ଜୀକରଣକୁ ନେଇ ଅସନ୍ତୋଷ ଥମିବାର ନାଁ ନେଉ ନାହିଁ। ପ୍ରଥମେ ଜଟିଳ ପଞ୍ଜୀକରଣ ପ୍ରକ୍ରିୟା ପ୍ରତିବାଦରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଅନ୍ୟପକ୍ଷରେ ଅନେକ ଚାଷୀ ପଞ୍ଜୀକରଣ କରି ନ ଥିବାବେଳେ ପଞ୍ଜୀକରଣ ପ୍ରକ୍ରିୟାକୁ ଗତ ଅଗଷ୍ଟ ମାସ ୨୫ ତାରିଖରୁ ବନ୍ଦ କରି ଦିଆଯାଇଛି। ଫଳରେ ଅନେକ ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ବରଗଡ଼ ଜିଲ୍ଲାର ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି କ୍ରମରେ ଆଜି ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଜିଲ୍ଲାର ଶହ ଶହ ଚାଷୀ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ପଞ୍ଜୀକରଣ ଅବଧି ବୃଦ୍ଧି ଦାବି ସହିତ ସେମାନଙ୍କୁ ପଞ୍ଜୀକୃତ କରିବା ପାଇଁ ସମସ୍ତ ଚାଷୀ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇବା ପାଇଁ ହାତରେ ଆବେଦନ ଫର୍ମ ଧରିଛନ୍ତି।
ସେମାନେ ନିର୍ଦ୍ଧାରିତ ସମୟରେ ପଞ୍ଜୀକରଣ ପାଇଁ ପ୍ରାଥମିକ କୃଷି ସମବାୟ ସମିତିରେ ଆବଶ୍ୟକ କାଗଜପତ୍ର ପ୍ରଦାନ କରିଥିଲେ। ମାତ୍ର ସର୍ଭର ଡାଉନ, ଇଣ୍ଟରନେଟ୍ ସ୍ଲୋ ଏବଂ ସମିତି କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସେମାନେ ପଞ୍ଜୀକୃତ ହୋଇ ପାରି ନଥିବା ଅଭିଯୋଗ କରିଛନ୍ତି। ଏପରିକି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ କହିବା ସତ୍ତ୍ବେ କିଛି ସୁଫଳ ମିଳି ନ ଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ସେମାନଙ୍କୁ ଯଦି ପଞ୍ଜୀକୃତ କରା ନ ଯାଏ, ଆଗାମୀ ଧାନ ସଂଗ୍ରହ ପ୍ରକ୍ରିୟାରେ ଧାନ ବିକ୍ରିରୁ ବଞ୍ଚିତ ହେବା ସହିତ ପରିବାର ଗୁଜୁରାଣ ମେଣ୍ଟାଇବାଠାରୁ ଆରମ୍ଭ କରି ଋଣ ପରିଶୋଧ ପର୍ଯ୍ୟନ୍ତ ନାନା ଅସୁବିଧାର ସମ୍ମୁଖୀନ ହେବେ। ଏହି ଦୃଷ୍ଟିରୁ ପଞ୍ଜୀକରଣ ଅବଧି ବୃଦ୍ଧି ସହିତ ସେମାନଙ୍କୁ ପଞ୍ଜୀକୃତ କରି ଧାନବିକ୍ରିର ସୁଯୋଗ ଦେବାକୁ ଚାଷୀମାନେ ଦାବି କରିଛନ୍ତି।