ନୂଆଦିଲ୍ଲୀ: ଚଳିତ ବର୍ଷ ମେକ୍ସିକୋରେ ବନ୍ୟା ଏବଂ ଭୂସ୍ଖଳନ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପରିସ୍ଥିତି ଏତେ ଭୟଙ୍କର ଥିଲା ଯେ, ୪୦୦ ଲୋକ ବସବାସ କରୁଥିବା ଏକ ଗାଁ ମାନଚିତ୍ରରୁ ସମ୍ପୂର୍ଣ୍ଣ ପୋଛି ହୋଇଯିବା ସହ ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଲୋକମାନେ ଉଚ୍ଚ ସ୍ଥାନରେ ଫସି ରହିଛନ୍ତି ଏବଂ ସେମାନଙ୍କୁ ଧିରେଧିରେ ସୁରକ୍ଷୀତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି।
ହଜାର ହଜାର ସେନା କର୍ମଚାରୀ ଏବଂ ସାଧାରଣ ବିଭାଗୀୟ କର୍ମଚାରୀମାନେ ଲୋକଙ୍କୁ ଉଦ୍ଧାର ଏବଂ ରାସ୍ତା ପୁନରୁଦ୍ଧାର କରିବାରେ ନିୟୋଜିତ ଅଛନ୍ତି। ମେକ୍ସିକୋ ସରକାର ନିଶ୍ଚିତ କରିଛନ୍ତି ଯେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୬୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଏକାଧିକ ଲୋକ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଏନେଇ ଜଣେ ପୀଡିତ କହିଛନ୍ତି, "କିଛି ବାକି ନାହିଁ, ସବୁକିଛି ନଷ୍ଟ ହୋଇଯାଇଛି। ପୋଲ, ଘର, ରାସ୍ତା, ସବୁକିଛି ନଷ୍ଟ ହୋଇଯାଇଛି।"
ଦୁର୍ଗମ ଅଞ୍ଚଳରେ ହଜାର ହଜାର ଲୋକ ନିଖୋଜ ଅଛନ୍ତି ଏବଂ ବ୍ୟାପକ କ୍ଷୟକ୍ଷତି ଆଶଙ୍କା କରାଯାଉଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ମେକ୍ସିକୋର ପଶ୍ଚିମ ଉପକୂଳରେ ଦୁଇଟି ଉଷ୍ଣକଟିବନ୍ଧୀୟ ଝଡ଼ର ସଙ୍ଗମ ମେକ୍ସିକୋରେ ପ୍ରବଳ ବର୍ଷା ଆଣିଛି, ଯାହା ଫଳରେ ନଦୀଗୁଡିକରେ ବନ୍ୟାଜଳ ମାଡି ଆସିବା ସହ ପାର୍ବତ୍ୟ ଅଞ୍ଚଳରେ ବ୍ୟାପକ ପରିମାଣରେ ଭୂସ୍ଖଳନ ହେଉଛି। ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ କହିଛନ୍ତି ଯେ ସରକାରଙ୍କ ପ୍ରାଥମିକତା ହେଉଛି ରାସ୍ତା ଖୋଲିବା ଏବଂ ଲୋକଙ୍କ ପାଖରେ ଯୋଗାଣ ପହଞ୍ଚାଇବା।
ସରକାର ଏବଂ ସେନା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି। ତେବେ ଅନେକ ଲୋକ ନିଜସ୍ୱ ପ୍ରୟାସରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଅନେକ ଲୋକ ଆମେରିକାରେ ରହୁଥିବା ନିଜ ସମ୍ପର୍କୀୟଙ୍କଠାରୁ ସାହାଯ୍ୟ ଲୋଡ଼ିଛନ୍ତି।
ଏହି ବିଶାଳ କ୍ଷୟକ୍ଷତି ଅନେକ ଅଞ୍ଚଳକୁ ବିଚ୍ଛିନ୍ନ କରିଦେଇଛି। ଯାହଫଲରେ ସାମରିକ କର୍ମଚାରୀମାନଙ୍କୁ ଲୋକମାନଙ୍କ ନିକଟରେ ପହଞ୍ଚିବା ପାଇଁ ୬-୭ ଘଣ୍ଟା ଚାଲିବାକୁ ବାଧ୍ୟ ହେଉଛନ୍ତି। ମେକ୍ସିକୋର ରାଜ୍ୟ ଭେରାକ୍ରୁଜ୍, ହିଡାଲ୍ଗୋ ଏବଂ ପୁଏବଲାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି। କେବଳ ହିଡାଲ୍ଗୋରେ ପ୍ରାୟ ୧ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଭେରାକ୍ରୁଜ୍ରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ଗତ ଚାରି ଦିନ ମଧ୍ୟରେ ଭେରାକ୍ରୁଜ୍ରେ ୨୪ ଇଞ୍ଚର ବର୍ଷା ହୋଇଛି। ଏନେଇ ଭେରାକ୍ରୁଜ୍ର ରାଜ୍ୟପାଳ କହିଛନ୍ତି ଯେ ଏହି ଭାରି ବୃଷ୍ଟିପାତ ଯୋଗୁଁ ରାଜ୍ୟର ପ୍ରାୟ ୩ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।