ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଣିପୁର ଗସ୍ତରେ ଆସିଥିବା ବେଳେ ଏକ ବଡ ଘଟଣା ଦେଖିବାକୁ ମିଳିଛି। ଯେଉଁଠି ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ମଧ୍ୟ କାଂଗଲା ପୋର୍ଟରେ ଦେଖିବାକୁ ମିଳିଛନ୍ତି। ଭାରି ବୃଷ୍ଟିପାତ ସତ୍ତ୍ୱେ ସେ ସେଠାରେ ଉପସ୍ଥିତ ରହି ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମକୁ ବ୍ୟକ୍ତିଗତ ଭାବେ ତଦାରଖ କରୁଥିବା ନଜରକୁ ଆସିଛନ୍ତି।
ଖାଲି ଏତିକି ନୁହେଁ ବିରେନ ସିଂ କଂଗ୍ରେସକୁ ନେଇ ମଧ୍ୟ କଟାକ୍ଷ କରିଛନ୍ତି। ହିଂସାକାଣ୍ଡ ଘଟିବାର ଦୁଇବର୍ଷ ପରେ ପିଏମ୍ ମୋଦି ମଣିପୁର ଗସ୍ତ କରିଥିବାରୁ କଂଗ୍ରେସ ତାଙ୍କ ସହ ବିଜେପି ଦଳକୁ ଟାର୍ଗେଟ କରିବା ଆରମ୍ଭ କରିଛି। ଏହାର ଜବାବରେ ବିରେନ ସିଂ କଂଗ୍ରେସକୁ ଜବାବ ଦେଇଛନ୍ତି।
ପିଏମ୍ ମୋଦିଙ୍କ ମଣିପୁର ଗସ୍ତ ପୂର୍ବରୁ ବିରେନ ସିଂ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଯେ “ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ମଣିପୁରରେ ହୃଦୟ ସହକାରେ ସ୍ୱାଗତ। ଶାନ୍ତି ପାଇଁ ମଣିପୁରବାସିଙ୍କର ପିଏମ୍ ମୋଦିଙ୍କଠୁ ଅନେକ ଆଶା ରହିଛି। ଏକାଠି, ଆମେ ବିଶ୍ୱାସ ସହିତ ଆଗକୁ ଅପେକ୍ଷା କରୁଛୁ ଯେ ଆସନ୍ତାକାଲି ଅଧିକ ସୁରକ୍ଷିତ, ଶକ୍ତିଶାଳୀ ଏବଂ ଅଧିକ ସମୃଦ୍ଧ ହେବ।”
ନିଜ ମତ୍ତ ରଖି ବିରେନ ସିଂ କହିଛନ୍ତି ଯେ, ଲୋକମାନେ ବହୁ ପରିମାଣରେ ଉତ୍ସାହିତ ଅଛନ୍ତି। ଆମେ ସମସ୍ତେ ପିଏମ୍ ମୋଦିଙ୍କ ଏହି ଗସ୍ତକୁ ନେଇ ଅପେକ୍ଷା କରି ରହିଥିଲୁ। ତେଣିକି ଖରା ହେଉ କି ବର୍ଷା ଅଥବା ଅଲଗା କେଉଁ ପାଗ, ଆମେ ଏସବୁ ଖାତିର କରୁନା। ପାଗ ଖରାପ ରହିବା ସମ୍ପର୍କର ସେ ନିଜ ମତ୍ତ ରଖି କହିଛନ୍ତି ଯେ “ପାଗ ଯେମିତି ହେଲେ ବି କିଛି ଏହାକୁ ଅଟକାଇ ପାରିବ ନାହିଁ। ଆପଣମାନେ ଏଠାକୁ ଆସୁଥିବା ଲୋକମାନଙ୍କ ଉପରେ ନଜର ପକାନ୍ତୁ। ଶତାଧିକ ଲୋକ ସ୍ୱଇଛାରେ ଏଠାକୁ ଅସିବାରେ ଲାଗିଛନ୍ତି।”
ଆପଣଙ୍କୁ ଜଣାଇରଖୁ ଯେ, ଚଳିତ ବର୍ଷ ଫେବ୍ରୁଆରି ମାସରେ ବିରେନ ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପରାମର୍ଶ କ୍ରମେ ସେ ଏହି ନଷ୍ପତ୍ତି ଗ୍ରହଣ କରିଥିଲେ। ତେବେ ବିରେନଙ୍କ ଇସ୍ତଫା ପ୍ରଦାନ ପରେ ସମ୍ପୂର୍ଣ୍ଣ ମଣିପୁର ଉପରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା।
ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁରର ଚୁରାଚାନ୍ଦପୁରରେ ପହଞ୍ଚି ସେଠାରେ ହିଂସା ଦ୍ୱାରା ପ୍ରଭାବିତ ଲୋକଙ୍କୁ ଭେଟିଥିଲେ । ସେ ରାଜ୍ୟରେ ଶାନ୍ତି, ବିକାଶ ଏବଂ ବିଶ୍ୱାସର ବାର୍ତ୍ତା ଦେଇଥିଲେ । ମଣିପୁରର ସାମାଜିକ ଏବଂ ଆର୍ଥିକ ବିକାଶ ପାଇଁ ଭାରତ ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରୟାସ ଉପରେ ମଧ୍ୟ ଆଲୋକପାତ କରିଥିଲେ। ଏହାସହ ସେ ୮,୫୦୦ କୋଟି ଟଙ୍କାର ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ମଧ୍ୟ କରିଥିଲେ।