ନୂଆଦିଲ୍ଲୀ: ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ୍ ସାର୍କୋଜି ମଙ୍ଗଳବାର ପ୍ୟାରିସର ଲା ସାଣ୍ଟେ ଜେଲରେ ତାଙ୍କର ପାଞ୍ଚ ବର୍ଷର କାରାଦଣ୍ଡ କାଟିବା ପାଇଁ ଆସି ପହଞ୍ଚିଛନ୍ତି। ସେ ଫରାସୀ ଇତିହାସରେ ପ୍ରଥମ ରାଷ୍ଟ୍ରପତି, ଯାହାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଲିବିଆରୁ ପ୍ରାପ୍ତ ଟଙ୍କାରେ ନିଜର ୨୦୦୭ ନିର୍ବାଚନ ପ୍ରଚାରକୁ ଆର୍ଥିକ ସହାୟତା ଯୋଗାଇବା ସହ ଅପରାଧିକ ଷଡ଼ଯନ୍ତ୍ର ପାଇଁ ସାର୍କୋଜିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ତେବେ ସେ ଏହି ମାମଲାରେ ନିର୍ଦ୍ଦୋଷ ବୋଲି କହିବା ଜାରି ରଖିଛନ୍ତି। ଖବର ମୁତାବକ, ଉନବିଂଶ ଶତାବ୍ଦୀ ପରଠାରୁ ଯେଉଁଠି ହାଇ-ପ୍ରୋଫାଇଲ୍ କଏଦୀ ମାନଙ୍କୁ ରଖାଯାଉଛି ସେହି ଜେଲରେ ସାର୍କୋଜିଙ୍କୁ ରଖାଯିବ ବୋଲି ସୂଚନା ମିଳିଛି।
ସାର୍କୋଜି ଏକ ସ୍ଥାନୀୟ ଖବରକାଗଜକୁ ସୂଚନା ଦେଇ କହିଛନ୍ତି ଯେ ସୁରକ୍ଷା କାରଣରୁ ତାଙ୍କୁ ଏକୁଟିଆ ଭାବେ ବନ୍ଦୀଶାଳାରେ ରଖାଯିବ ବୋଲି ସେ ଆଶା କରୁଛନ୍ତି। ଆଉ ଏକ ସମ୍ଭାବନା ହେଉଛି ଯେ ତାଙ୍କୁ VIP ବିଭାଗ କିମ୍ବା ସମ୍ବେଦନଶୀଳ କଏଦୀଙ୍କ ବିଭାଗରେ ରଖାଯାଇପାରେ। ଲା ସାଣ୍ଟେ ଜେଲର ଇତିହାସ ଉନବିଂଶ ଶତାବ୍ଦୀର ଏବଂ ଏଥିରେ ଅନେକ ଜଣାଶୁଣା କଏଦୀଙ୍କୁ ରଖାଯାଇଛି। ଯେଉଁଥିରେ ଦେଶଦ୍ରୋହର ମିଥ୍ୟା ଅଭିଯୋଗର ସମ୍ମୁଖୀନ ହୋଇଥିବା କ୍ୟାପ୍ଟେନ ଆଲଫ୍ରେଡ ଡ୍ରେଫସ୍ ଏବଂ ଫ୍ରାନ୍ସରେ ଅନେକ ଆକ୍ରମଣ କରିଥିବା ଭେନେଜୁଏଲାର ଆତଙ୍କବାଦୀ କାର୍ଲୋସ୍ ଦି ଜ୍ୟାକାଲ୍ ମଧ୍ୟ ସାମିଲ ଅଛନ୍ତି।
ହେଲେ ଫ୍ରାନ୍ସର ଏହି ପୂର୍ବତନ ରାଷ୍ଟ୍ରପତି ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ, ତାଙ୍କ ଆବେଦନ ପର୍ଯ୍ୟନ୍ତ ତାଙ୍କୁ ଜେଲରେ ରଖିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ସାର୍କୋଜି ଖବରକାଗଜ "ଲା ଟ୍ରିବ୍ୟୁନ୍ ଡିମାଞ୍ଚେ"କୁ ଏନେଇ କହିଛନ୍ତି ଯେ, "ମୁଁ ଜେଲ ଯିବାକୁ ଭୟ କରେ ନାହିଁ, ମୁଁ ଲା ସାଣ୍ଟେ ଦ୍ୱାରରେ ମଧ୍ୟ ମୋର ମୁଣ୍ଡକୁ ଉଚ୍ଚ ରଖିବି। ମୁଁ ଶେଷ ପର୍ଯ୍ୟନ୍ତ ଲଢ଼ିବି।" "ଲା ଟ୍ରିବ୍ୟୁନ୍ ଡିମାଞ୍ଚେ" ଅନୁଯାୟୀ, ସାର୍କୋଜି ତାଙ୍କ ବ୍ୟାଗରେ ପୋଷାକ ସମେତ ନିଜ ପରିବାର ସହ ଉଠାଇଥିବା ୧୦ ଟି ଫଟୋ ନେଇଛନ୍ତି, ଯାହାକୁ ତାଙ୍କୁ ତାଙ୍କ ସହିତ ନେବାକୁ ଅନୁମତି ଦିଆଯାଇଛି।
ଆପଣଙ୍କୁ ଜଣାଇରଖୁ ଯେ, ଗତ ୨୦୧୨ ମସିହାରେ, ଏକ ଫରାସୀ ଗଣମାଧ୍ୟମ ସଂସ୍ଥା ୫୦ ନିୟୁତ ୟୁରୋ ପାଣ୍ଠି ବିଷୟରେ ଜଡିତ ଏକ ଲିବିଆ ଗୁପ୍ତଚର ଦଲିଲ ପ୍ରକାଶ କରିଥିଲା। ସାର୍କୋଜି ଏହି ଦଲିଲକୁ ନକଲି ବୋଲି କହିଥିଲେ ଏବଂ ଏହା ବିରୁଦ୍ଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ତେବେ ଫରାସୀ ତଦନ୍ତକାରୀ ସଂସ୍ଥାମାନେ ପରେ କହିଥିଲେ ଯେ ଦଲିଲଟି ଠିକ୍ ବୋଲି ମନେ ହେଉଥିଲା। ହେଲେ ସେମାନେ ପ୍ରକୃତରେ ଅନୈତିକ ଟଙ୍କାର ଆଦାନପ୍ରଦାନ କରାଯାଇଥିବା ଦାବିକୁ ସ୍ପଷ୍ଟ ଭାବେ ପ୍ରମାଣ କରିପାରି ନଥିଲେ।
ଚଳିତ ବର୍ଷ ତିନି ମାସ ଧରି ଚାଲିଥିବା ଏକ ବିଚାରରେ, ସାର୍କୋଜି ଏବଂ ତିନି ଜଣ ପୂର୍ବତନ ମନ୍ତ୍ରୀଙ୍କ ସମେତ ଅନ୍ୟ ୧୧ ଜଣଙ୍କ ବିରୁଦ୍ଧରେ ମାମଲାର ବିଚାର କରାଯାଇଥିଲା। ସାର୍କୋଜିଙ୍କ ଘନିଷ୍ଠ ସହଯୋଗୀମାନେ ୨୦୦୫ ରୁ ୨୦୦୭ ମଧ୍ୟରେ ଲିବିଆକୁ ଅନେକ ଥର ଗସ୍ତ କରିଥିଲେ। ସେତେବେଳେ ସେ ଫ୍ରାନ୍ସର ଗୃହମନ୍ତ୍ରୀ ଥିବାର ତାଙ୍କ ଉପରେ ସନ୍ଦେହ ଘନିଭୂତ ହେବାରେ ଲାଗିଛି।
ପବ୍ଲିକ ପ୍ରସିକ୍ୟୁଟରମାନେ ସାତ ବର୍ଷର ଦଣ୍ଡାଦେଶ ପାଇଁ ଆବେଦନ କରିଥିଲେ ସୁଦ୍ଧା ବର୍ତ୍ତମାନ ତାଙ୍କୁ ପାଞ୍ଚ ବର୍ଷର ଦଣ୍ଡାଦେଶ ଦିଆଯାଇଛି। ସାର୍କୋଜି ଏବେ ତାଙ୍କ ଦୋଷୀ ସାବ୍ୟସ୍ତ ହେବା ବିରୁଦ୍ଧରେ ଆବେଦନ କରିପାରିବେ, ଯାହା ତାଙ୍କ ଦଣ୍ଡାଦେଶକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବ। ସାର୍କୋଜି ଅତୀତରେ ଅନେକ ଆଇନଗତ ବିବାଦରେ ଫସି ରହିଛନ୍ତି। କିନ୍ତୁ ଏହା ସତ୍ତ୍ୱେ, ତାଙ୍କୁ ଫରାସୀ ଦକ୍ଷିଣପନ୍ଥୀ ରାଜନୀତିରେ ପ୍ରଭାବଶାଳୀ ଚେହେରା ଭାବେ ବିବେଚନା କରାଯାଏ।