ଭୁବନେଶ୍ୱର ୦୭/୦୯ : ଏବେ ହୃଦ୍ଘାତ ଖୁବ୍ ସାଧାରଣ ହୋଇପଡିଲାଣି । କିନ୍ତୁ ଜାଣନ୍ତି କି? ଏହାର ଆଶଙ୍କାକୁ ଜାଣିବା ପାଇଁ ଆପଣ ପ୍ରତି ୬ ମାସରେ ଥରେ ୨ଟି ପରୀକ୍ଷା କରାଇପାରିବେ, ଯାହା ହୃଦ୍ଘାତର ପୂର୍ବାଭାସ ଜଣାଇ ଦେଇଥାଏ । ଏବେ ଯୁବବର୍ଗଙ୍କ ଭିତରେ ବଢିଚାଲିଛି ହୃଦ୍ଘାତ ସମସ୍ୟା । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଖରାପ ଖାଦ୍ୟ ଶୈଳୀ, ଡାଏଟ୍, ବ୍ୟାୟମର ଅଭାବ ଓ ଅତ୍ୟଧିକ ଚିନ୍ତା କାରଣରୁ ଅଚାନକ୍ ହୃଦ୍ଘାତ ସମସ୍ୟା ସୃଷ୍ଟି ହେଉଛି । ତେଣୁ ସମୟ ପୂର୍ବରୁ ଏହି ରୋଗର ଆଶଙ୍କାକୁ ଜାଣିବାକୁ ପ୍ରୟାସ କରିବା ଉଚିତ୍ । ସେଥିପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ୱ ଦେବା ଜରୁରି । ପ୍ରତି ୬ ମାସରେ ଥରେ ୨ଟି ପରୀକ୍ଷା କରାଇ ନେବା ଆବଶ୍ୟକ । ଏହି ପରୀକ୍ଷାଗୁଡିକ ହେଉଛି…
ଲିପିଡ୍ ପ୍ରୋଫାଇଲ୍ ପରୀକ୍ଷା :
ଏହା ଏକ ପ୍ରକାରର ରକ୍ତ ପରୀକ୍ଷା, ଯାହା ଶରୀରରେ କୋଲେଷ୍ଟେରଲ୍ ଓ ଟ୍ରାଇଗ୍ଲେସରାଇଜ୍ଡର ସ୍ତର ନିର୍ଣ୍ଣୟ କରିଥାଏ । ଏହି ପରୀକ୍ଷା ଦ୍ୱାରା ଶରୀରର ୪ଟି ଦିଗ ବିଷୟରେ ଜଣାପଡିଥାଏ । ଯେପରିକି
ସମୁଦାୟ କୋଲେଷ୍ଟେରଲ୍ : ରକ୍ତରେ କୋଲେଷ୍ଟେରଲ୍ର ମାତ୍ରା ଜଣାପଡିଥାଏ ।
ଏଚ୍ଡିଏଲ୍ : ଏହାକୁ ଗୁଡ୍ କୋଲେଷ୍ଟେରଲ୍ କୁହାଯାଏ । ଏହା ହୃଦ୍ଘାତ ହେବାର ଆଶଙ୍କାକୁ କମ୍ କରିଥାଏ ।
ଏଲ୍ଡିଏଲ୍ : ଏହାକୁ ବ୍ୟାଡ୍ କୋଲେଷ୍ଟେରଲ୍ କୁହାଯାଏ । ଏହା ଧମନୀରେ ଫ୍ଲାକ୍ ଭାବେ ଜମା ହେବା ଦ୍ୱାରା ବ୍ଲକେଜ୍ ସୃଷ୍ଟି ହୋଇଥାଏ ।
ଟ୍ରାଇଗ୍ଲେସରାଇଜ୍ଡ୍ : ଏହା ଏକ ପ୍ରକାରର ଫ୍ୟାଟ୍, ଯାହା ହୃଦୟକୁ କ୍ଷତି ପହଞ୍ଚାଇଥାଏ ।
କାହିଁକି ଜରୁରି?
ଯେତେବେଳେ ରକ୍ତରେ ଏଲ୍ଡିଏଲ୍ ଓ ଟ୍ରାଇଗ୍ଲେସରାଇଜ୍ଡ୍ ସ୍ତର ବଢିଯାଏ, ତେବେ ଏହା ଧମନୀର କାନ୍ଥରେ ଫ୍ଲାକ୍ ଭାବେ ଜମା ହୋଇ ରହିଥାଏ । ଫଳରେ ଧମନୀ କଠୋର ହେବା ସହ ସଙ୍କୋଚିତ ହୋଇଚାଲେ । ଫଳରେ ଉଚ୍ଚ ରକ୍ତଚାପ, ହୃଦ୍ଘାତ୍ ଓ ଷ୍ଟ୍ରେକ୍ ହେବାର ଆଶଙ୍କା ବଢିଚାଲେ । ନିୟମିତ ବ୍ୟବଧାନରେ ଲିପିଡ୍ ପ୍ରେ ।ଫାଇଲ୍ ପରୀକ୍ଷା କରିବା ଦ୍ୱାରା କୋଲେଷ୍ଟେରଲ୍ ସ୍ତର ଉପରେ ଠିକ୍ ଭାବେ ନଜର ରଖିପାରିବେ । ଯଦି କିଛି ସମସ୍ୟା ରହିଥାଏ, ତେବେ ଏହାକୁ ନିୟନ୍ତ୍ରଣ କରିପାରିବେ । ଏପରିକି ଜୀବନଶୈଳିରେ ମଧ୍ୟ ପରିବର୍ତ୍ତନ ଆଣିପାରିବେ ।
ଏଚ୍ବିଏୱାନ୍ସି ପରୀକ୍ଷା :
ଏହି ପରୀକ୍ଷା ଦ୍ୱ ।ରା ରକ୍ତରେ ଶର୍କରା ସ୍ତର ଜଣାପଡିଥାଏ । ବିଶେଷକରି ମଧୁମେହର ସ୍ତର ଜାଣିବା ପାଇଁ ଏହି ପରୀକ୍ଷା କରାଯାଇଥାଏ । ସେମିତି ଦେଖିବାକୁ ଗଲେ ଶର୍କରା ସ୍ତର ଜାଣିବା ପାଇଁ ଫାଷ୍ଟିଂ କରାଯାଏ । କିନ୍ତୁ ଏଚ୍ବିଏୱାନ୍ସି ପରୀକ୍ଷା ଦ୍ୱାରା ବିଗତ ୨/୩ ମାସ ଭିତରେ ରକ୍ତରେ ଥିବା ଶର୍କରା ସ୍ତର ଜଣାପଡିଥାଏ ।
ଏହି ପରୀକ୍ଷା ସହ ହୃଦ୍ଘାତର ସମ୍ପର୍କ :
ମଧୁମେହ ଓ ହୃଦ୍ଘାତ ପରସ୍ପର ସହ ଜଡିତ । ଦୀର୍ଘଦିନ ଧରି ରକ୍ତରେ ଶର୍କରା ସ୍ତର ଅଧିକ ରହିବା ଦ୍ୱାରା ରକ୍ତନଳୀ ଓ ସ୍ୱାୟୁକୁ କ୍ଷତି ପହଞ୍ଚିଥାଏ । ଫଳରେ ଧମନୀ କଠୋର ହେବା ସହ ସଙ୍କୋଚିତ ହୋଇପଡିଥାଏ । ତେଣୁ ରକ୍ତ ପ୍ରବାହରେ ସମସ୍ୟା ସୃଷ୍ଟି ହୋଇଥାଏ । ସାଧାରଣ ଲୋକଙ୍କ ତୁଳନାରେ ମଧୁମେହ ରୋଗୀଙ୍କୁ ହୃଦ୍ଘାତ ହେବାର ଆଶଙ୍କା ଅଧିକ ରହିଥାଏ । ତେଣୁ ରକ୍ତରେ ଶର୍କରା ସ୍ତର ଯାଞ୍ଚ କରିବା ଜରୁରି ।