କୋକସରା,୨୫/୧୦ : ଆଣ୍ଠେଇଛି ଗୋତମୁଣ୍ଡା ଡାହିମାଲ ରାସ୍ତା, ଗ୍ରାମ୍ୟ ଉନ୍ନୟନ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଦୁଇ ଜିଲ୍ଲାର ଅଞ୍ଚଳବାସୀ। ଦୁଇ ଜିଲ୍ଲା କଳାହାଣ୍ଡି ଓ ନବରଙ୍ଗପୁରକୁ ସଂଯୋଗ କରୁଥିବା ଗୋତମୁଣ୍ଡା ଡାହିମାଲ ରାସ୍ତା କାର୍ଯ୍ୟ ଅତି ମନ୍ଥର ଗତିଦେଇ ଚାଲୁଥିବାବେଳେ କାର୍ଯ୍ୟ ଶେଷ ଅବଧି ସରିବା ପରେ ମଧ୍ୟ ଅଧାରେ ଆଣ୍ଠେଇଛିଏହି ରାସ୍ତା ନିର୍ମାଣ କାର୍ଯ୍ୟ, ଫଳରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଜନସାଧାରଣ ମାନେ ଯାତାୟତରେ ଦୁର୍ଦ୍ଦଶା ଭୋଗୁଛନ୍ତି।
ସୂଚନା ଅନୁସାରେ, ପୂର୍ବ ସରକାର ସମୟରେ ଦୁଇ ଜିଲ୍ଲାର ରାଜନେତାମାନେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ସଡ଼କ ପଥରେ ଯୋଡ଼ିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। କାରଣ ଏହି ଦୁଇ ଜିଲ୍ଲାର ସୀମାବର୍ତି ଅଞ୍ଚଳ ରେ ବସବାସ କରୁଥିବା ଆଦିବାସୀ ଓ ଅନ୍ୟ ଜନଜାତି ଲୋକଙ୍କ ମଧ୍ୟରେ ଦଶନ୍ଧି ଦଶନ୍ଧି ଧରି ବନ୍ଧୁବାନ୍ଧବ ସମ୍ପର୍କ ରହିଛି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼, ଦଣ୍ଡପାଟ,କୋକସରା, ଜୟପାଟଣା ଅଞ୍ଚଳର ନବରଙ୍ଗପୁର ଜିଲ୍ଲା ଝରିଗାଁ, ଚାନ୍ଦାହାଣ୍ଡି, ଉମରକୋଟ, ଡାବୁଗାଁ, ପାପଡ଼ାହାଣ୍ଡି ଅଞ୍ଚଳରେ ସାମାଜିକ, ବ୍ୟବସାୟିକ, ପାରମ୍ପରିକ ସମ୍ପର୍କ ରହିଛି । ଏହି ଦୁଇ ଜିଲ୍ଲାର ସମ୍ପର୍କର ସେତୁ ଏହି ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୧୦କିମି ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ସାହାଜଖୋଲ ଜଙ୍ଗଲର ଛାତି ଚିରି ବିଭାଗୀୟ ଅନୁଦାନ ୭କୋଟି ୫୧ଲକ୍ଷ ୩୨ହଜାର ମଞ୍ଜୁର ହୋଇଥିଲା ।
ତେବେ ଏ ମଧ୍ୟରେ ବିଭାଗୀୟ କାର୍ଯ୍ୟ ଅବଧି ସରିବା ପରେ ମଧ୍ୟ ଏହି ରାସ୍ତା ଅଧ ପନ୍ତରିଆ ଭାବେ ପଡ଼ି ରହିଛି । ଅନ୍ୟପଟେ କାର୍ଯ୍ୟାଦେଶ ମିଳିଥିବା ଠିକାସଂସ୍ଥା କାର୍ଯ୍ୟ ନିଜେ ନ କରି ଅନ୍ୟ ଜଣେ ଛାୟା ଠିକାଦାରକୁ ଦେଇଥିବାବେଳେ ରାସ୍ତା ନିର୍ମାଣରେ ଛାୟା ଠିକା ସଂସ୍ଥା କାର୍ଯ୍ୟ ସମ୍ପାଦନରେ ଅନିୟମିତତା କରୁଥିବା ଓ ବିଭାଗୀୟ ଅଧିକାରୀମାନେ ଠିକାସଂସ୍ଥାକୁ ଅନୁକମ୍ପା ଦେଖାଉଥିବା ନେଇ ଗୋତମୁଣ୍ଡା ଅଞ୍ଚଳର ଆଦିବାସୀ ନେତା ତଥା ଆମପାଣି ଜୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ସମେତ ପୂର୍ଣ୍ଣଚନ୍ଦ୍ର ନାଏକ, ରୋମାଞ୍ଚଲ ପୁଝାରି, ମୁକୁନ୍ଦ ନାଗେଶ, ନିରଞ୍ଜନ ବାଗ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନି ହଂସ, ଭବେଶ ଗଇନ୍ତା ପ୍ରମୁଖ ଅଭିଯୋଗ କରିଛନ୍ତି । ରାସ୍ତା ନିର୍ମାଣ ନେଇ ଅଞ୍ଚଳବାସୀ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କୁ ମଧ୍ୟ ନିକଟରେ ଅଭିଯୋଗ କରିଛନ୍ତି । ଦୁଇ ଜିଲ୍ଲାର ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଲା ପ୍ରଶାସନ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ ଶୀଘ୍ର ଏହି ରାସ୍ତା ନିର୍ମାଣ ସମ୍ପାଦନ କରିବାକୁ ଦୁଇ ଜିଲ୍ଲାର ଅଞ୍ଚଳବାସୀ ଦାବି କରିଛନ୍ତି।