ଭୁବନେଶ୍ବର,୯/୯ : ଅଭିଜିତଙ୍କ ସୁସ୍ଥତା କାମନା କଲେ ଓଲିଉଡ଼ ପରିବାର । ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ରାମମନ୍ଦିରଠାରେ ସମୂହ ଦୀପ ଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଅଭିଜିତ ମଜୁମଦାର ଓଡିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ ଓ ମନୋରଂଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ । ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିବାର କଳା ତାଙ୍କୁ ବେଶ୍‌ ଜଣା। ସଙ୍ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିବା ଅଭିଜିତ ଦାଏବେ କୋମାରେ ଅଛନ୍ତି ।

ତାଙ୍କ ଆରୋଗ୍ୟ କାମନା ପାଇଁ ଓଲିଉଡ଼ ପରିବାର ଏକାଠି ହୋଇ ସମୂହ ଦୀପଦାନ କରି ପ୍ରଭୁ ଶ୍ରୀରାମଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ  ଓଡିଶା ଫିଲ୍ମ ଡିଷ୍ଟ୍ରିବ୍ୟୁସନ ସିଣ୍ଡିକେଟର ସମ୍ପାଦକ ସଚ୍ଚିକାନ୍ତ ଜେନାଙ୍କ ସମେତ ପ୍ରଯୋଜକ ଶ୍ରୀଧର ମାର୍ଥା, ଜୁବୁଲି ସୁନ୍ଦରାୟ, ସଂଳାପକାର ଡଃ ରଜନୀ ରଞ୍ଜନ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଗଦାଧର ପୁଟ୍ଟୀ, ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ, ଶ୍ରୀତମ ଦାସ, ପ୍ରଯୋଜକ ବିବେକାନନ୍ଦ ବାରିକ, ସଞ୍ଜୟ ଭଟ୍ଟ, ଖଗେଶ୍ୱର ଜୟପୁରିଆ, ଇଂଫ୍ଲୁଏନ୍ସର ପ୍ରକାଶ ନାୟକ, କୋରିଓଗ୍ରାଫର ଲୁବୁନ, ଅଭିନେତ୍ରୀ ଅଙ୍କିତା, ପ୍ରିୟ ରଞ୍ଜନ ମହାନ୍ତି, କଣ୍ଠଶିଳ୍ପୀ ଅଂଶୁମାନ ନାୟକ, ଅନ୍ତରୀକ୍ଷା ନାୟକ, ପ୍ରଦୀପ ଏବଂ ଅନେକ ସଂଗୀତଜ୍ଞ ଓ ଓଲିଉଡ଼ ପରିବାରବର୍ଗ ଶ୍ରୀରାମ ମନ୍ଦିରରେ ସମୂହ ଦୀପ ଦାନ କରିଛନ୍ତି l

ଜୀବନ ସହ ସଂଗ୍ରାମ କରୁଥିବା ଅଭିଜିତ୍ ମଜୁମଦାର ଏବେ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ  ଚିକିତ୍ସାଧୀନ । ଇତି ମଧ୍ୟରେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ମହାଲିଙ୍ଗ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଏମ୍ସ ଭୁବନେଶ୍ବର ଗସ୍ତ କରିଥିଲେ। ଯଥାଶୀଘ୍ର ସେ ସୁସ୍ଥ ହୋଇ ଫେରନ୍ତୁ ଏବଂ ତାଙ୍କ ସଙ୍ଗୀତ ଯାତ୍ରା ଜାରି ରଖନ୍ତୁ ବୋଲି ଓଲିଉଡ଼ ପରିବାରବର୍ଗଙ୍କ ମୁହଁରୁ କୋହଭରା କଣ୍ଠରେ ଶୁଣିବାକୁ ମିଳିଛି।