ନୂଆଦିଲ୍ଲୀ,୦୧/୧୦: ଭାରତକୁ GE-F404 ଇଞ୍ଜିନ୍ ହସ୍ତାନ୍ତର କରିଛି ଆମେରିକା । GE ଏରୋସ୍ପେସ୍ ଆମେରିକୀୟ କମ୍ପାନୀ ବୁଧବାର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL)କୁ ୨୦୨୧ରେ ସ୍ୱାକ୍ଷରିତ ୭୧୬ ନିୟୁତ ଡଲାରର ଚୁକ୍ତି ଅନୁଯାୟୀ ଚତୁର୍ଥ GE-F404-IN20 ଇଞ୍ଜିନ୍ ପ୍ରଦାନ କରିଛି । ଏହି ଇଞ୍ଜିନଗୁଡ଼ିକ ଭବିଷ୍ୟତରେ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଥିବା ହାଲୁକା ଯୁଦ୍ଧ ବିମାନ (LCA) ତେଜସ ମାର୍କ 1Aରେ ବ୍ୟବହୃତ ହେବ ।
ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ସେପ୍ଟେମ୍ବର ୧୧ ତାରିଖରେ ଏହାର ତୃତୀୟ GE-୪୦୪ ଇଞ୍ଜିନ ପାଇଥିଲା । ସାର୍ବଜନିକ କ୍ଷେତ୍ରର ଏହି କମ୍ପାନୀ ଚଳିତ ଆର୍ଥିକ ବର୍ଷର ଶେଷ ସୁଦ୍ଧା ମୋଟ୍ ୧୨ଟି ଇଞ୍ଜିନ ପାଇବା ଆଶା କରାଯାଉଛି । ଭାରତୀୟ ବାୟୁସେନା ୮୩ଟି ତେଜସ Mk1A ବିମାନ ଅର୍ଡର କରିଛି । ଆଉ ୯୭ଟି କ୍ରୟ କରିବାର ପ୍ରସ୍ତାବ ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି । ବାୟୁସେନା ମୋଟ ୩୫୨ଟି ତେଜସ୍ (Mk1A ଏବଂ Mk2) ସାମିଲ କରିବାକୁ ଯୋଜନା କରୁଛି ।
୨୦୨୧ ମସିହାର ଏକ ଚୁକ୍ତିନାମା ଅନୁଯାୟୀ, GE ୯୯ଟି ଇଞ୍ଜିନ ଯୋଗାଇବାର ଅଛି । କିନ୍ତୁ ଯୋଗାଣ ଚେନ୍ ପ୍ରତିବନ୍ଧକ, ବିଶେଷକରି ଦକ୍ଷିଣ କୋରିଆର ଏକ କମ୍ପୋନେଟ ସପ୍ଲାଏର ଯୋଗାଣକାରୀଙ୍କ ବିଫଳତା, ଡେଲିଭରି ସମୟସୀମାକୁ ୨୦୨୫ ମାର୍ଚ୍ଚକୁ ପଛରେ ପକାଇ ଦେଇଥିଲା । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ କହିଛି ଯେ, ଆସନ୍ତା ଆର୍ଥିକ ବର୍ଷରୁ ଇଞ୍ଜିନ ଯୋଗାଣ ସ୍ଥିର ହେବ । କମ୍ପାନୀ ୨୦୨୬-୨୭ ସୁଦ୍ଧା ପ୍ରତିବର୍ଷ ୩୦ଟି ବିମାନ ଉତ୍ପାଦନ କ୍ଷମତାରେ ପହଞ୍ଚିବା ଆଶା କରୁଛି । ଯାହା ସରକାରୀ ଏବଂ ଘରୋଇ କ୍ଷେତ୍ରର ଅଂଶୀଦାରମାନଙ୍କ ସମର୍ଥନରେ ହେବ ।