ନୂଆଦିଲ୍ଲୀ ୦୯/୦୯ : ପୂର୍ଣ୍ଣ ସାକ୍ଷର ରାଜ୍ୟ ହୋଇଛି ହିମାଚଳ ପ୍ରଦେଶ । ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଶିମ୍‌ଲାର ପିଟରହଫ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା ଘୋଷଣା କରିଛନ୍ତି । ଉଲ୍ଲାସ (ନ୍ୟୁ ଇଣ୍ଡିଆ ଲିଟରାସି ପ୍ରୋଗ୍ରାମ୍‌) କାର୍ଯ୍ୟକ୍ରମ ଅନ୍ତର୍ଗତ ହିମାଚଳ ଦେଶର ୪ର୍ଥ ପୂର୍ଣ୍ଣ ସାକ୍ଷର ରାଜ୍ୟ ହୋଇଛି ।

ଦେଶରେ ଅଦ୍ୟାବଧି ଉଲ୍ଲାସ କାର୍ଯ୍ୟକ୍ରମ ଜରିଆରେ ତ୍ରିପୁରା, ମିଜୋରାମ ଓ ଲକ୍ଷଦ୍ୱୀପ ପୂର୍ଣ୍ଣ ସାକ୍ଷର ରାଜ୍ୟ ଘୋଷିତ ହୋଇଥିଲା । ଏହି ୩ ରାଜ୍ୟକୁ ପଛରେ ପକାଇ ହିମାଚଳ ପ୍ରଦେଶ ୯୯.୩୦ ପ୍ରତିଶତ ସାକ୍ଷରତା ହାର ସହିତ ଦେଶରେ ଶୀର୍ଷ ସ୍ଥାନ ହାସଲ କରିଛି । ଏହା ପୂର୍ବରୁ ମିଜୋରାମ ୯୮.୦୨ ପ୍ରତିଶତ ସାକ୍ଷରତା ହାର ସହିତ ପ୍ରଥମ, ଲକ୍ଷଦ୍ୱୀପ ୯୭.୩ ପ୍ରତିଶତ ସହିତ ୨ୟ ଏବଂ ତ୍ରିପୁରା ୯୭.୩ ପ୍ରତିଶତ ସାକ୍ଷରତା ହାର ସହିତ ୩ୟରେ ଥିଲା । ଏବେ ହିମାଚଳ ପ୍ରଥମ ସ୍ଥାନ ହାସଲ କରିଛି ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ମାନକ ଅନୁସାରେ, କୌଣସି ରାଜ୍ୟରେ ୯୫ ପ୍ରତିଶତ ବା ତାଠୁ ଅଧିକ ଲୋକ ସାକ୍ଷର ହେଲେ, ତାକୁ ପୂର୍ଣ୍ଣ ରାଜ୍ୟ ଘୋଷଣା କରାଯାଏ । ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ରକୁ ପଠାଯାଇଥିବା ଚିଠି ଅନୁସାରେ, ହିମାଚଳରେ ୯୯.୩୦ ପ୍ରତିଶତ ଲୋକ ସାକ୍ଷର ହୋଇଛନ୍ତି । ହିମାଚଳର ଆନୁମାନିକ ଜନସଂଖ୍ୟା ହାରାହାରି ୭୫.୫ ଲକ୍ଷ । ତନ୍ମଧ୍ୟରୁ ଏବେ ୫୬ ହଜାର ୯୬୦ ଜଣ ନିରକ୍ଷର ଅଛନ୍ତି । ରାଜ୍ୟ ସରକାର ଏବେ ସେମାନଙ୍କୁ ଉଲ୍ଲାସ କାର୍ଯ୍ୟକ୍ରମ ଜରିଆରେ ସାକ୍ଷର କରିବାକୁ ପ୍ରୟାସ କରିବେ ।

୨୦୧୧ ଜନଗଣନା ଅନୁସାରେ, ହିମାଚଳରେ ସାକ୍ଷରତା ହାର ୮୨.୮୦ ପ୍ରତିଶତ ଥିଲା । ରାଜ୍ୟରେ ସମସ୍ତଙ୍କୁ ସାକ୍ଷର କରିବା ପାଇଁ କେନ୍ଦ୍ରର ଉଲ୍ଲାସ ଯୋଜନାରେ ଲୋକଙ୍କୁ ସାକ୍ଷର କରାଯିବ । ୨୦୨୩ରୁ ୨୦୨୫ ମଧ୍ୟରେ ୪୩ ହଜାର ୮୮୫ ଲୋକଙ୍କୁ ସାକ୍ଷର କରାଗଲା । ଶିକ୍ଷା ମନ୍ତ୍ରଣାଳୟ ଅନୁସାରେ, ଜଣେ ବ୍ୟକ୍ତିଙ୍କୁ ସେତେବେଳେ ସାକ୍ଷର କୁହାଯିବ, ଯଦି ସେ ସାଧାରଣ ଶବ୍ଦ ପଢ଼ିପାରିବେ ଓ ଲେଖିପାରିବେ । ଗଣିତର ସାଧାରଣ ଗଣନା କରିପାରିବେ ।